ଶୀତଳାପଲ୍ଲୀ ୱାଗନ୍ ଫ୍ୟାକ୍ଟ୍ରୀ: ଅବହେଳାକୁ ସୁଧାରିବକି କେନ୍ଦ୍ର

ବ୍ରହ୍ମପୁର: ଗୋଟିଏ ଦଶନ୍ଧି ବିତିଗଲା। କେନ୍ଦ୍ରର ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଗଲା। ଗୋଟିଏ ପରେ ଗୋଟିଏ ରେଳ ବଜେଟ୍ ଚାଲିଗଲା। କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ ବିଜେପି ସରକାର ରେଳ ବଜେଟକୁ ଉଚ୍ଛେଦ କରି ସାଧାରଣ ବଜେଟରେ ମିଶାଇଦେଲେ। ହେଲେ ଓଡ଼ିଶା ପ୍ରତି ରେଳ ବିଭାଗର ଅବହେଳାର କାହାଣୀ ସତେ ଯେମିତି ସରିବାର ନାଁ ଧରୁନି। ଯଦିଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର କେନ୍ଦ୍ରକୁ ସମସ୍ତ ସହଯୋଗ କରି, ଜମି ଅଧିଗ୍ରହଣ ସହ ଅନ୍ୟାନ୍ୟ ସହାୟତା ଯୋଗାଇ ରାଜ୍ୟରେ ବିଭିନ୍ନ ରେଳ ପ୍ରକଳ୍ପକୁ ତ୍ବରାନ୍ବିତ କରିବାର ବାରମ୍ବାର ଦୃଢୋକ୍ତି ପ୍ରକାଶ କରି ଆସିଛନ୍ତି, ହେଲେ କେନ୍ଦ୍ର ସରକାର ଓ ରେଳ ମନ୍ତ୍ରଣାଳୟ ସତେ ଯେମିତି ନିରବଦ୍ରଷ୍ଟା ପାଲଟିଥିଲା। ଏହାର ଗୋଟିଏ ଜ୍ୱଳନ୍ତ ଉଦାହରଣ ପାଲଟିଛି ଓଡ଼ିଶା ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ବ କରୁଥିବା ଗଞ୍ଜାମ ଜିଲ୍ଲା ପାଇଁ ରେଳ ବିଭାଗର ପ୍ରସ୍ତାବିତ ୱାଗନ୍ ଫ୍ୟାକ୍ଟ୍ରୀ।

୨୦୧୧- ୧୨ ମସିହାରୁ ବ୍ରହ୍ମପୁର ଉପକଣ୍ଠ ଶୀତଳାପଲ୍ଲୀରେ ରେଳଡବା କାରଖାନା ନିର୍ମାଣ ପାଇଁ ଯୋଜନା ହୋଇଥିଲା। ସେଥିପାଇଁ ବଡ଼କୁଶସ୍ଥଳୀ ନିକଟରେ ରାଜ୍ୟ ସରକାର ୧୦୧ ଏକର ଜମି ରେଳବାଇକୁ ହସ୍ତାନ୍ତର କରିଥିଲେ। ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜମି ଚିହ୍ନଟ ସମ୍ପର୍କରେ ୨୦୧୩ ମସିହାରେ ରେଳ ମନ୍ତ୍ରୀଙ୍କୁ ଚିଠି ଲେଖି କାର୍ଯ୍ୟ ଆଗେଇ ନେବାକୁ ଅନୁରୋଧ କରିଥିଲେ। ହେଲେ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ନିଜ ଅବହେଳାର ଆଉ ଏକ ନମୁନା ପ୍ରସ୍ତୁତ କରିବାରେ ଆଦୌ ପଛଘୁଞ୍ଚା ଦେଇ ନଥିଲେ। କୋଟି କୋଟି ଟଙ୍କାର ପ୍ରକଳ୍ପ, ଅଥଚ ରେଳ ବଜେଟ୍‌ରେ ବ୍ୟୟବରାଦ ହୋଇଥିଲା ସମୁଦ୍ରକୁ ଶଙ୍ଖେ ଅନୁଦାନ ଭଳି ମାତ୍ର ୧ ଲକ୍ଷ ଟଙ୍କା। ପ୍ରଚୁର ରାଜସ୍ୱ ପାଉଥିଲେ ହେଁ ଓଡ଼ିଶା ତଥା ବ୍ରହ୍ମପୁର ପ୍ରତି ରେଳ ମନ୍ତ୍ରଣାଳୟର ଅଣଦେଖା ଚରମ ସୀମା ଛୁଇଁଥିଲା ଯେତେବେଳେ ଲଗାତର ୩ ବର୍ଷ ବଜେଟରେ ୧ ଲକ୍ଷ ଟଙ୍କାର ଟୋକନ୍ ମନି ପ୍ରସ୍ତାବ ସ୍ଥାନ ପାଇବା ପରେ ୨୦୧୬ ବଜେଟରେ ନାମକୁ ମାତ୍ର ଏକ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ପରବର୍ତ୍ତୀ ସମୟରେ ଶୀତଳାପଲ୍ଲୀ କାରଖାନା ପ୍ରସ୍ତାବ ରେଳ ବଜେଟ୍‌ରୁ ଗାୟବ ହୋଇ ଯାଇଥିଲା।

ଦେଶରେ ପ୍ରଚୁର ରେଳଡବା ମହଜୁଦ୍ ରହିଛି। ୨୦୨୪ ପର୍ଯ୍ୟନ୍ତ ରେଳଡବା ନିର୍ମାଣ ଆବଶ୍ୟକ ନାହିଁ। ଏଣୁ ଶୀତଳାପଲ୍ଲୀରେ ପ୍ରସ୍ତାବିତ କାରଖାନା ଆପାତତଃ ସ୍ଥଗିତ ରହିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୨୮.୩.୨୦୧୭ରେ ଚିଠି ଲେଖିଥିଲେ ରେଳ ରାଷ୍ଟ୍ରମନ୍ତ୍ରୀ ରାଜେନ୍ ଗୋହେନ୍। ପରବର୍ତ୍ତୀ ସମୟରେ ଚିହ୍ନଟ ଜମି ଫେରସ୍ତ କରିଥିବା ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ଚିଠି ଲେଖା ହୋଇଥିଲା। ଗଞ୍ଜାମ ଜିଲ୍ଲାବାସୀ ତଥା ଓଡ଼ିଶାବାସୀଙ୍କ ଆଶାକୁ ହତାକ୍ଶାର ଚୁଲିରେ ପ୍ରକ୍ଷେପ କରିଥିଲେ କେନ୍ଦ୍ର ସରକାର।

କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଓଡ଼ିଶା ସରକାର ଆଶା ହରାଇ ନଥିଲେ। ବାରମ୍ବାର ଦାବି ଉପସ୍ଥାପନ ସାଙ୍ଗକୁ କେନ୍ଦ୍ର ସହ ଏ ନେଇ ଏକାଧିକ ଥର ଆଲୋଚନା, ଚିଠି ଦିଆନିଆ ଚାଲିଥିଲା। ବିଜେଡି ସଂସଦରେ ଏହି ପ୍ରସଙ୍ଗ ଉତଥାପନ କରିବା ସହ ମନ୍ତ୍ରୀମାନଙ୍କ ଆଗରେ ଦାବି ଉପସ୍ଥାପନ କରିବାରେ କୌଣସି ଅବହେଳା କରି ନଥିଲା।ରାଜ୍ୟ ସରକାରଙ୍କ ଏ ପ୍ରୟାସ ଶେଷରେ ସୁଫଳ ଆଣି ଦେଇଛି।କେନ୍ଦ୍ର କ୍ୟାବିନେଟ୍‌ରେ ଓଡ଼ିଶାରୁ ଅଶ୍ବିନୀ ବୈଷ୍ଣବ ରେଳ ମନ୍ତ୍ରୀ ଭାବେ ସ୍ଥାନ ପାଇବା ସହ ନିକଟରେ ଗଞ୍ଜାମ ଗସ୍ତ ପରେ ପୁଣି ଏହି ପ୍ରକଳ୍ପ ଆଶା ଉଦଜୀବିତ ହୋଇଛି। ଜମି ଫେରସ୍ତ ସମ୍ପର୍କିତ ରାଜ୍ୟ ସରକାରଙ୍କୁ ପ୍ରଦତ୍ତ ଚିଠି ପ୍ରତ୍ୟାହାର ସାଙ୍ଗକୁ ପୂର୍ବତଟ ରେଳବାଇ ଜେନେରାଲ ମ୍ୟାନେଜର ବିଦ୍ୟା ଭୂଷଣ ସେପ୍ଟେମ୍ବର ୨୨ରେ ପ୍ରସ୍ତାବିତ ଓ୍ବାଗନ୍ ଫ୍ୟାକ୍ଟ୍ରୀ ଅଞ୍ଚଳ ବୁଲି ଦେଖିଛନ୍ତି। ରେଳଡବା କାରଖାନା ପ୍ରତିଷ୍ଠା ନିମନ୍ତେ ଜମି ନକ୍ସା ଓ ଜମି ହସ୍ତାନ୍ତର ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କୁ ନୂଆ କରି ଚିଠି ଲେଖିଛନ୍ତି ପୂର୍ବତଟ ରେଳବାଇର ଚିଫ୍ ପ୍ରୋଜେକ୍ଟ ମ୍ୟାନେଜର ଅନିଲ ପ୍ରକାଶ। ସେହିପରି ଆସନ୍ତା ବଜେଟ୍ ପୂର୍ବରୁ ଶୀତଳାପଲ୍ଲାରେ ରେଳଡବା କାରଖାନା କିମ୍ବା ରେଳ ସମ୍ବନ୍ଧୀୟ ଅନ୍ୟ କୌଣସି ୟୁନିଟ୍ ସ୍ଥାପନ ନେଇ କିଛି ନିଷ୍ପତ୍ତି ହୋଇପାରେ ବୋଲି କହିଛନ୍ତି ରେଲଓ୍ବେ ଜିଏମ୍।

Comments are closed.