ବିଧାନସଭା ଉପନିର୍ବାଚନ ପାଇଁ ପିପିଲିରେ ଜମିଲାଣି ପ୍ରଚାର, ବିଜେଡି ପ୍ରତି ସମର୍ଥନ ଘୋଷଣା କଲେ କଂଗ୍ରେସ ନେତା ପ୍ରିୟବ୍ରତ ସାମନ୍ତରାୟ

ପିପିଲି – ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଜୋର୍ ଧରିଛି ପ୍ରଚାର । ବଢିଚାଲିଛି ନିର୍ବାଚନୀ ଉଷ୍ମତା । କୋରୋନା ଗାଇଡଲାଇନ ମଧ୍ୟରେ ଚାଲିଛି ପ୍ରଚାର । ଘରକୁ ଘର ବୁଲି ପ୍ରାର୍ଥୀମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା ଚଳାଇଛନ୍ତି । ବିଭିନ୍ନ ଦଳର ତାରକା ପ୍ରଚାରକ ଓ ବରିଷ୍ଠ ନେତାମାନେ ବିଭିନ୍ନ ସ୍ଥାନରେ କର୍ମୀ ସମ୍ମିଳନୀ ଓ ମହିଳା ସମାବେଶ କରି ପ୍ରଚାର ଚଳାଇଛନ୍ତି । ଭୋଟରଙ୍କୁ ଦିଆଯାଉଛି ବିଭିନ୍ନ ପ୍ରତିଶ୍ରୁତି ।

ପିପିଲି ଉପନିର୍ବାଚନରେ ମୋଟ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିଜେଡିରୁ ଦିଂବଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ, ବିଜେପିରୁ ଆଶ୍ରିତ ପଟ୍ଟନାୟକ, କଂଗ୍ରେସରୁ ବିଶ୍ୱକେତନ ହରିଚନ୍ଦନ ସିପିଆଇ ( ଏମଏଲ) ରୁ ଅଶୋକ କୁମାର ପ୍ରଧାନ, ଅଖିଳ ଭାରତ ହିନ୍ଦୁ ମହାସଭାରୁ ଜୟ ପ୍ରକାଶ ସେଠୀ, କଳିଙ୍ଗ ସେନାରୁ ପିଙ୍କଲିନ ମହାନ୍ତି, ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆରୁ ମହମ୍ମଦ ଇମାମଉଦ୍ଦିନଙ୍କ ସମେତ ସ୍ୱାଧୀନ ଓ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନଗେନ୍ଦ୍ର ନାଥ ମିଶ୍ର, ସୁଲୋଚନା ସାହୁ ଓ ସ୍ୱପ୍ନେଶ୍ୱର ନାୟକ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତେବେ ପ୍ରତିଦ୍ୱନ୍ଦିତା ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ । ବିଜେଡି ଏହି ଆସନ ବଜାୟ ରଖିବ ବୋଲି ଦୃଢ ବିଶ୍ୱାସ ରଖିଛି । ପ୍ରଚାର କାର୍ଯ୍ୟ ମଧ୍ୟରେ ବିଜେଡିକୁ ବଳ ମିଳିଛି ।

ପୂର୍ବତନ କଂଗ୍ରେସ ନେତା ଯୁଧିଷ୍ଟିର ସାମନ୍ତରାୟଙ୍କ ପୁଅ ପ୍ରିୟବ୍ରତ ସାମନ୍ତରାୟ ବିଜେଡି ପ୍ରାର୍ଥୀ ରୁଦ୍ରପ୍ରତାପଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ବିକାଶକୁ ନେଇ ସେ ବିଜେଡିକୁ ସମର୍ଥନ ଦେଇଥିବା କହିଛନ୍ତି ପ୍ରିୟବ୍ରତ ସାମନ୍ତରାୟ । ତେବେ, ବିଜେଡିକୁ ଯୁଧିଷ୍ଠିରଙ୍କ ସମର୍ଥନ କଂଗ୍ରେସ ଉପରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ଦଳ କହିଛି । ବିଜେପି ବି ସମାନ ମତ ଦେଇଛି । ଏଣେ ବିଜେଡି କହିଛି ଯେ, ଦଳ ଦୁର୍ବଳ ନୁହେଁ । ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଓ ବିକାଶ ରାଜନୀତିରେ ପ୍ରଭାବିତ ହୋଇ ଅନ୍ୟ ଦଳରୁ ନେତା ଆସି ବିଜେଡିରେ ଯୋଗ ଦେଉଛନ୍ତି । ବିଜେଡି ଏଥର ବିପୁଳ ଭୋଟରେ ବିଜୟୀ ହେବ ବୋଲି ଦଳୀୟ ନେତାମାନେ କହିଛନ୍ତି ।

Comments are closed.