ରାୟଗଡ଼-ବରଗଡ଼ ଭାୟା ଭଟଲି ରେଳପଥ ନିର୍ମାଣ କର , ବିଲାସପୁର ଡିଭିଜନ ବୈଠକରେ ବିଧାୟକ ଦେବେଶଙ୍କ ଦାବି

ବରଗଡ଼ : ପର୍ଯ୍ୟଟନ ତଥା ବ୍ୟାବସାୟିକ ଦୃଷ୍ଟିକୋଣରୁ ଛତିଶଗଡ ଜିଲ୍ଲାର ପଡୋଶୀ ରାୟଗଡ ଏବଂ ଓଡିଶାର ବରଗଡ ଜିଲ୍ଲା ମଧ୍ୟରେ ରେଳପଥ ସଂଯୋଗୀକରଣ କରାଯାଉ । ବିଲାସପୁରରେ ଅନୁଷ୍ଠିତ ରେଳ ଉପଭୋକ୍ତା ପରାମର୍ଶଦାତା ସମିତିର ବୈଠକରେ ବିଜେଡି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଏହି ଦାବି କରିଛନ୍ତି । ସେହିପରି ବିଲାସପୁର- ଟିଟିଲାଗଡ ଭାୟା ଝାରସୁଗୁଡା ଦେଇ ଏକ ସୁପରଫାଷ୍ଟ ଟ୍ରେନ୍ ଚଲାଇବାକୁ ସେ ପ୍ରସ୍ତାବ ଦେଇଛନ୍ତି ।

ଦକ୍ଷିଣପୂର୍ବ ରେଳପଥର ବିଲାସପୁର ରେଲୱେ ଡିଭିଜନ ପକ୍ଷରୁ ଉପଭୋକ୍ତା ପରାମର୍ଶଦାତା ସମିତିର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡିଆରୟୁସିସି ସଦସ୍ୟ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ଯୋଗ ଦେଇଥିଲେ । ଏଥିରେ ଛତିଶଗଡର ରାୟଗଡା ଜିଲ୍ଲା ସହିତ ବରଗଡ ଜିଲ୍ଲା ମଧ୍ୟରେ ରହିଥିବା ଭାବଗତ ତଥା ବ୍ୟବସାୟିକ ସଂପର୍କକୁ ସେ ଉପସ୍ଥାପନ କରିଥିଲେ । ଏହି ଦୃଷ୍ଟିରୁ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାୟଗଡ – ବରଗଡ଼ ଭାୟା ଭଟଲି ଦେଇ ରେଳପଥ ନିର୍ମାଣ ପାଇଁ ଦାବି ଉପସ୍ଥାପନ କରିଛନ୍ତି । ରାୟଗଡ଼ – ବରଗଡ଼ ୮୦ କିଲୋମିଟର ରେଳପଥ ତିଆରି କରାଗଲେ ପର୍ଯ୍ୟଟନର ବିକାଶ ହେବା ସହିତ ଉତ୍ତର ଭାରତ ଓ ଦକ୍ଷିଣ ଭାରତର ଦୂରତା ୮୩ କିଲୋମିଟର ହ୍ରାସ ପାଇବ ।

ଏହାଦ୍ୱାରା ଟ୍ରାଫିକ ସମସ୍ୟା ମଧ୍ୟ ଅନେକ ମାତ୍ରାରେ ଦୂର ହୋଇପାରିବ ବୋଲି ଦେବେଶ ଯୁକ୍ତି ବାଢିଥିଲେ । ଏଥିସହ ଲୋକଙ୍କ ସୁବିଧା ଦୃଷ୍ଟିରୁ ବିଲାସପୁର ଓ ଟିଟିଲାଗଡ଼ ଭାୟା ଝାରସୁଗୁଡ଼ା ଦେଇ ଗୋଟେ ସୁପରଫାଷ୍ଟ ଇଣ୍ଟରସିଟି ଟ୍ରେନ ଚଳାଇବାକୁ ବିଧାୟକ ଦାବି କରିଥିଲେ । ସେହିଭଳି ବିଲାସପୁର ରାୟପୁର ଭାୟା ଝାରସୁଗୁଡ଼ା ଟିଟିଲାଗଡ଼ ପୁରୁଣା ପେସେଞ୍ଜର ଟ୍ରେନକୁ ଫାଷ୍ଟ ପାସେଞ୍ଜର କରାଯାଇ ଉଭୟ ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତବାସୀଙ୍କୁ ସୁବିଧା ପ୍ରଦାନ କରାଯାଉ ବୋଲି ବୈଠକରେ ଦାବି କରିଥିଲେ । ତେବେ ୨୦୧୨ – ୧୩ରୁ ସର୍ଭେ ସରିଥିବା ରାୟପୁର – ବରଗଡ଼ ଭାୟା ଆରଙ୍ଗ – ତୁମଗାଁ – ଝଳପ – ପିଥୋରା – ବସନା – ସରାଇପାଲି – ସୋହେଲା – ବରଗଡ଼ ରୋଡ଼ ୧୮୪ କିଲୋମିଟର ବ୍ୟାପୀ ରେଳପଥ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଉନଥିବାରୁ ସେ ଉଦବେଗ ପ୍ରକାଶ କରିଥିଲେ । ଏହାଦ୍ୱାରା ପୂର୍ବ ଛତିଶଗଡ଼ ଓ ପଶ୍ଚିମ ଓଡ଼ିଶାବାସୀ ଉପକୃତ ହୋଇପାରିବେ ବୋଲି ସେ ଯୁକ୍ତି ରଖିଥିଲେ ।

Comments are closed.