ଅନ୍ୟ ରାଜ୍ୟଙ୍କୁ ଓଡିଶା ଶିଖାଇବ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାର କୌଶଳ

ଭୁବନେଶ୍ୱର- ପ୍ରାକୃତିକ ବିପର୍ଯ୍ୟୟର କିଭଳି ସଫଳ ମୁକାବିଲା କରାଯାଇପାରିବ, ସେ ଦିଗରେ ଓଡିଶା ସାରାବିଶ୍ୱରେ ଉଦାହରଣ ପାଲଟିଛି । ଜିରୋ କାଜୁଆଲିଟି ଲକ୍ଷ୍ୟ ନେଇ ଶକ୍ତିଶାଳୀ ବାତ୍ୟା, ମହାବାତ୍ୟାର ସଫଳ ମୁକାବିଲା କରିପାରୁଥିବା ଓଡିଶା ଏବେ ବିଶ୍ୱସ୍ତରରେ ପ୍ରଶଂସା ସାଉଁଟୁଛି । ମସୁରୀ ସ୍ଥିତ ଲାଲ୍ ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଶିଖାଇବା ପାଇଁ ଓଡିଶାକୁ ମନୋନୀତ କରାଯାଇଛି ।

ଏ ନେଇ ଆସନ୍ତାକାଲିଠାରୁ ଗୋପବନ୍ଧୁ ଏକାଡେମୀରେ ତିନିଦିନିଆ କର୍ମଶାଳା ଆରମ୍ଭ ହେଉଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହାକୁ ଉଦଘାଟନ କରିବେ । ଏହି ବିପର୍ଯ୍ୟୟ ମୁକାବିଲା କର୍ମଶାଳାରେ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ଓଡିଶା, ତାମିଲନାଡୁ , କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଗୁଜରାଟ, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଲାକ୍ଷାଦ୍ୱୀପର ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳମାନେ ଯୋଗ ଦେବେ । ସେମାନେ କୋଣାର୍କର ରାମଚଣ୍ଡୀଠାରେ ବିପର୍ଯ୍ୟୟ ମୁକାବିଲାର ବାସ୍ତବିକ ଶିକ୍ଷା ଗ୍ରହଣ କରିବେ । ଏଣେ ବିପର୍ଯ୍ୟୟ ପରିଚାଳନା ନେଇ ଓସଡମା ପକ୍ଷରୁ ପ୍ରସ୍ତୁତ ପାଠ୍ୟଖସଡାକୁ ସୋମବାର ରାଜ୍ୟ ସରକାର ଅନୁମୋଦନ କରିଛନ୍ତି ।

Comments are closed.