ପ୍ରାକୃତିକ ବିପର୍ଯ୍ୟୟର ସଫଳ ପରିଚାଳନା : ଆଜିଠାରୁ ତିନିଦିନିଆ କର୍ମଶାଳା ଓ ତାଲିମ ଶିବିର, ଅନ୍ୟ ରାଜ୍ୟଙ୍କୁ ଜ୍ଞାନ ବାଣ୍ଟିବ ଓଡିଶା

ଭୁବନେଶ୍ୱର- ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଅଦ୍ୱିତୀୟ ସାବ୍ୟସ୍ତ ହୋଇଛି ‘ନବୀନ ମଡେଲ୍‌” । ପ୍ରଳୟଙ୍କରୀ ବାତ୍ୟା ହେଉ କି ବନ୍ୟା, ସବୁ ଦୁର୍ବିପାକର ସଫଳ ମୁକାବିଲା ପାଇଁ ନବୀନ ମଡେଲ୍ ଉଦାହରଣ ପାଲଟିଛି । ଓଡିଶାର ଏହି ଅଭିଜ୍ଞତାରୁ ଶିଖିବାକୁ ଦେଶର ଅନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଆଗ୍ରହ ପ୍ରକାଶ କରିଛନ୍ତି । ଏ କ୍ରମରେ ୯ଟି ରାଜ୍ୟ ଓ ୪ଟି କେନ୍ଦ୍ରଶାସିତ ଅଂଚଳର ଅଧିକାରୀଙ୍କୁ ବିପର୍ଯ୍ୟୟ ମୁକାବିଲାର କୌଶଳ ଶିଖାଇବ ଓଡିଶା । ବନ୍ୟା ଓ ବାତ୍ୟା ବେଳେ ଜୀବନ ହାନି ରୋକିବା ସହ ଏହାକୁ କିପରି ସାମ୍ନା କରିହେବ, ସେ ନେଇ ଆଜିଠାରୁ ଆରମ୍ଭ ହେଉଥିବା ତିନି ଦିନିଆ କର୍ମଶାଳା ଓ ତାଲିମ ଶିବିରରେ ଅନ୍ୟ ରାଜ୍ୟର ପ୍ରାଶାସନିକ ଅଧିକାରୀଙ୍କୁ ଶିକ୍ଷା ଦେବେ ରାଜ୍ୟର ବରିଷ୍ଠ ଅଧିକାରୀ । ଗୋପବନ୍ଧୁ ଭବନରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି କର୍ମଶାଳାକୁ ଉଦଘାଟନ କରିବେ । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡିଶା ଆପଣାଉଥିବା ପଦକ୍ଷେପ ସଂପର୍କରେ ସୂଚନା ଦେବେ । କମ୍ ସମୟ ମଧ୍ୟରେ କିପରି ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇପାରିବ, ସେ ସଂପର୍କରେ ଓସଡମାର ଅଧିକାରୀମାନେ ସୂଚନା ଦେବେ । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ବିପର୍ଯ୍ୟୟ ମୁକାବିଲା କୌଶଳ ଶିକ୍ଷା ଦେବା ପାଇଁ ମସୁରୀ ସ୍ଥିତ ଲାଲ୍‌ବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରାଶାସନିକ ଏକାଡେମୀ ପକ୍ଷରୁ ଓଡିଶାକୁ ମନୋନୀତ କରାଯାଇଛି ।

Comments are closed.