ବିରଳ ବିଗ୍ରହ ସିରୁଳି ମହାବୀର, ଜାଣନ୍ତୁ ଏ ସଂପର୍କରେ କିଛି ଅଜଣା କଥା

ପୁରୀ ରୁ ଚନ୍ଦନପୁର ଦେଇ ଜଟଣୀ ଛକ ଯିବା ରାସ୍ତାରେ ପଡେ ସିରୁଳି ଗ୍ରାମ। ପୁରୀ ଠାରୁ ପ୍ରାୟ ୩୩ କି.ମି ଦୂରରେ ରହିଛି ଏହି ଗ୍ରାମ। ଏହି ଗ୍ରାମଟି ପର୍ଯ୍ୟଟନ ମାନଚିତ୍ରରେ ସିରୁଳି ମହାବୀର ପାଇଁ ପ୍ରସିଦ୍ଧ। ଓଡ଼ିଶାରେ ଥିବା ମୁଖ୍ୟ ହନୁମାନ ପୀଠ ମାନଙ୍କ ମଧ୍ୟରେ ସିରୁଳି ମହାବୀର ଅନ୍ୟତମ । ଏଠାରେ ଅବସ୍ଥିତ ମହାବୀରଙ୍କ ବିଗ୍ରହ ପ୍ରାୟତଃ ୧୦ ଫୁଟ ଉଚ୍ଚତା ବିଶିଷ୍ଟ ଅଟେ।

କିମ୍ବଦନ୍ତୀ କୁହେ ଏହି ମହାବୀର ପ୍ରଥମେ ଶ୍ରୀମନ୍ଦିର ଭିତରେ ଥିବା ଲକ୍ଷ୍ମୀ ମନ୍ଦିରରେ ଅବସ୍ଥାନ କରିଥିଲେ । କିନ୍ତୁ ରାତ୍ରି ସମୟରେ ମହାବୀରଙ୍କ ନିଶ୍ବାସର ଶବ୍ଦ (ଘୁଙ୍ଗୁଡ଼ି) ଏତେ ଜୋର ଥିଲା ଯେ ତାହା ମହାଲକ୍ଷ୍ମୀଙ୍କ ନିଦ୍ରାରେ ବ୍ୟାଘାତ ସୃଷ୍ଟି କରୁଥିଲା। ଶବ୍ଦ କ୍ରମେ ଅସହ୍ୟ ହେବାରୁ ମହାଲକ୍ଷ୍ମୀ ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅଭିଯୋଗ କଲେ । ମହାପ୍ରଭୁ ଏହାପରେ ହନୁମାନଙ୍କୁ ଡାକି କହିଲେ, ହେ ଭକ୍ତ ଶ୍ରେଷ୍ଠ! ଆପଣଙ୍କ ନିଶ୍ବାସ ଶବ୍ଦ ମହାଲକ୍ଷ୍ମୀଙ୍କ ନିଦ୍ରାରେ ବାଧା ଉପୂଜାଉଚି, ତେଣୁ ତୁମେ ଶ୍ରୀମନ୍ଦିର ଠାରୁ କିଛି ଦୂରକୁ ଚାଲିଯାଅ । ଏହା ଶୁଣି ମହାବୀର ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ ଏବଂ କହିଲେ, ହେ ପ୍ରଭୁ ଆପଣଙ୍କୁ ଛାଡ଼ି ମୁଁ କୁଆଡ଼େ ଯିବି । ମତେ ଏପରି ଆଦେଶ ଦିଅନ୍ତୁ ନାହିଁ ହେ ମଣିମା । ଏହା ଶୁଣି ମହାପ୍ରଭୁ ହନୁମାନଙ୍କୁ ଅନୁରୋଧ କଲେ ତମେ ଶ୍ରୀମନ୍ଦିର ଠାରୁ ମାତ୍ର ଅଢେ଼ଇ ପାଦ ଦୂରରେ ରୁହ । ଯେଉଁଠାରୁ ତୁମେ ମୋ ସ୍ୱରୂପ ନୀଳଚକ୍ର କୁ ପ୍ରତି ମୁହୁର୍ତ୍ତ ରେ ଦର୍ଶନ କରିପାରିବ। ଏହାଦ୍ୱାରା ମହାଲକ୍ଷ୍ମୀଙ୍କ ନିଦ୍ରାରେ ବି ବ୍ୟାଘାତ ହେବ ନାହିଁ । ତତକ୍ଷଣାତ୍ ମହାବୀର ଶ୍ରୀମନ୍ଦିର ଠାରୁ ଅଢେ଼ଇ ପାଦ ଦୂରକୁ ଚାଲିଗଲେ ଓ ସିରୁଳି ଠାରେ ବିରାଜମାନ କଲେ ।

ଯଦି ଆପଣ ସିରୁଳି ମହାବୀରଙ୍କ ବିଗ୍ରହ କୁ ଲକ୍ଷ୍ୟ କରିବେ ଦେଖି ଜାଣିପାରିବେ ମହାବୀରଙ୍କ ଗୋଟିଏ ନେତ୍ର ସର୍ବଦା ନୀଳଚକ୍ର କୁ ଦେଖୁଥିବା ବେଳେ ଅନ୍ୟ ନେତ୍ର ଟି ବିପରୀତ ଦିଗ ଯାହାକି ଶ୍ରୀଲଙ୍କା ଆଡ଼କୁ ଅହରହ ଦୃଷ୍ଟି ନିକ୍ଷେପ କରୁଛି । ଗୋଟିଏ ନେତ୍ରରେ ସେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ବେଳେ ଅନ୍ୟ ନେତ୍ରରେ ସେ ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ରଙ୍କୁ ଦେଇଥିବା ପ୍ରତିଜ୍ଞା ଯାହା କି ସେ ବିଭୀଷଣଙ୍କୁ ସର୍ବଦା ସୁରକ୍ଷା ଦେବାର ପାଳନ କରୁଛନ୍ତି । ମହାବୀରଙ୍କ ଏହିଭଳି ବିଗ୍ରହ ସମଗ୍ର ଭାରତ ବର୍ଷରେ ବିରଳ ।

ସିରୁଳି ମହାବୀରଙ୍କ ଅନ୍ୟ ଏକ ବୈଚିତ୍ରତା ହେଉଛି ମହାବୀରଙ୍କ ଲାଙ୍ଗୁଳ । ଯାହା କି ମନ୍ଦିର ଠାରୁ ୧୬ କି.ମି ଦୂରରେ କାଣ୍ଡଗଦା ନାମକ ଏକ ଗ୍ରାମର ବିଲ ମଧ୍ୟରେ ରହିଛି। ବିଗ୍ରହ ଗୋଟିଏ ସ୍ଥାନରେ ପୂଜା ପାଉଥିବା ସମୟରେ ଲାଙ୍ଗୁଡ଼ ଅନ୍ୟ ସ୍ଥାନରେ ରହିଛି। କୁହାଯାଏ ଏହି ଲାଙ୍ଗୁଡ଼ ଲଙ୍କା ପର୍ଯ୍ୟନ୍ତ ଯାଉଥିବା ସମୟରେ ଲଙ୍ଗଳ ବାଜି ବିଘ୍ନ ହେବାରୁ ସେହି ସ୍ଥାନରେ ରହି ଯାଇଛି।

Comments are closed.