ହଷ୍ଟେଲ ଫି’ ହ୍ରାସ ଦାବି, ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଛାତ୍ର ଅଶାନ୍ତି

ବ୍ରହ୍ମପୁର:  ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଆଜି ଛାତ୍ର ଅଶାନ୍ତି ଦେଖାଦେଇଛି। ପ୍ରାୟ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ହଷ୍ଟେଲ୍‌ ଫି’ କମାଇବାକୁ ଦାବି କରି ପୂର୍ବାହ୍ନ ୧୧ଟା ୩୦ରୁ ଆରମ୍ଭ କରି ୪ ଘଣ୍ଟାରୁ ଅଧିକ ସମୟ ଧରି ବିକ୍ଷୋଭ ଜାରି ରଖିଛନ୍ତି। ଖରାତରାକୁ ଖାତିର ନକରି ହଷ୍ଟେଲ ଛାତ୍ରଛାତ୍ରୀମାନେ ପ୍ରଶାସନିକ ଭବନ ଆଗରେ ଆନ୍ଦୋଳନ କରିଛନ୍ତି। କୁଳପତି, ପିଜି କାଉନ୍‌ସିଲ୍ ଚେୟାରମ୍ୟାନ୍, ହଷ୍ଟେଲ୍‌ ୱାର୍ଡନ୍ ପ୍ରମୁଖ ଆନ୍ଦୋଳନରତ ଛାତ୍ରାବାସ, ଛାତ୍ରୀନିବାସ ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ ହେଁ ରାଜି ହୋଇନାହାନ୍ତି ଛାତ୍ରଛାତ୍ରୀ।

ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ଗତ ଫେବ୍ରୁଆରୀ ମାସରେ ହଷ୍ଟେଲ ଫି’ ୩୦୦ ଟଙ୍କା ପଇଠ କରିଥିଲେ। ହେଲେ ମେ ୧୬ ତାରିଖରୁ କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ହଷ୍ଟେଲ ବନ୍ଦ ହୋଇ ଯାଇଥିଲା। ଅଗଷ୍ଟ ମାସରେ ପୁଣି ହଷ୍ଟେଲ ଖୋଲିଥିଲେ ହେଁ ଏବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅକ୍ଟୋବର ୮ ତାରିଖ ସୁଦ୍ଧା ୫୩୫୦ ଟଙ୍କା ପଇଠ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ଯେ ସେମାନେ ଯେଉଁ ୪ ମାସ ହଷ୍ଟେଲରେ ରହି ନଥିଲେ ସେ ବାବଦ ଫି’ ରି-ଆଡ୍‌ମିଶନ୍ ବେଳେ ହ୍ରାସ କରାଯାଉ। ଯଦିଓ ବିଶ୍ଵବିଦ୍ୟାଳୟ ପ୍ରଶାସନ ୫୦୦ ଟଙ୍କା ହ୍ରାସ କରିଛନ୍ତି, ସେଥିରେ ସନ୍ତୁଷ୍ଟ ହୋଇନାହାନ୍ତି ହଷ୍ଟେଲ୍ ଅନ୍ତେବାସୀ। ଏଣୁ ଆଜି ସେମାନେ ପୂର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ପ୍ରଶାସନିକ ଭବନ ଆଗରେ ଖରାରେ ଛତା ମୁଣ୍ଡାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Comments are closed.