ଆମ ସଂସ୍କୃତି ଓ ପରମ୍ପରା ବିଜ୍ଞାନ ସମ୍ମତ

ଲେଖକ: ହରି ଶଙ୍କର ମିଶ୍ର

ଆମ ସଂସ୍କୃତିରେ ମୁନିଋଷି ମାନେ ଶଯ୍ଯା ତ୍ଯାଗ ବିଧି ନିର୍ଣ୍ଣୟ କରିଛନ୍ତି। ବ୍ରାହ୍ମମୁହୂର୍ତ୍ତରେ ଶଯ୍ୟା ତ୍ଯାଗ ବିଧେୟ। ନିଦ୍ରାରୁ ଉଠିବା ପରେ ଦୁଇହାତର ପାପୁଲିକୁ ଚାହିଁ ପ୍ରାର୍ଥନା କରାଯାଏ।

“ଓଁ କରାଗ୍ରେ ବସତି ଲକ୍ଷ୍ମୀଃ କରମଧ୍ଯେ ସରସ୍ୱତୀ।
କର ମୂଳେ ତୁ ଗୋବିନ୍ଦଂ ପ୍ରଭାତେ କର ଦର୍ଶନଂ”

ଏହାପରେ ନବଗ୍ରହଙ୍କୁ ସ୍ମରଣ କରିବ

“ବ୍ରହ୍ମା ମୁରାରୀ ତ୍ରିପୁରାନ୍ତକାରୀ, ଭାନୁ, ଶଶୀ, ଭୂମିସୂତ, ବୁଧଶ୍ଚ ଗୁରୁଶ୍ଚ ଶୁକ୍ର ଶନିରାହୋ କେତବଃ କୁର୍ବନ୍ତୁ ସର୍ବେ ମମ ସୁପ୍ରଭାତମ୍”

ଏହାପରେ ଗୁରୁ ଓ ସ୍ବଇଷ୍ଟଙ୍କୁ ସ୍ମରଣ କରିବ। ଭୂମି ସ୍ପର୍ଶ ପୂର୍ବରୁ ମନେମନେ ପାଠ କରିବେ :

“ଓଁ ସମୁଦ୍ର ମେଖଳେ ଦେବୀ ପର୍ବତ ସ୍ତନମଣ୍ଡିତେ। ବିଷ୍ଣୁ ପତ୍ନୀଃ ନମସ୍ତୁଭ୍ଯଂ ପାଦ ସ୍ପର୍ଶ କ୍ଷମସ୍ବ ମେ।
ଓଁ ପ୍ରିୟ ଦତ୍ତାୟୈ ଭୂମି ନମଃ”

ଏହିସବୁ ପାଠ/ ସ୍ମରଣ ପାଇଁ ନିଶ୍ଚିତ ୨ରୁ ୩ ମିନିଟ ସମୟ ଲାଗିବ। ଏହିପରି ନିର୍ଣ୍ଣୟ ପଛରେ ଥିବା ପ୍ରକୃତ କାରଣ କଣ ହୋଇପାରେ? ଏବେ ଚିକିତ୍ସା ବିଜ୍ଞାନୀ ମାନେ ପରାମର୍ଶ ଦେଉଛନ୍ତି ଯେ ନିଦ୍ରା ଭଗ୍ନ ପରେ ବିଶେଷତଃ ବୟସ୍କ ବ୍ଯକ୍ତିମାନେ ଶଯ୍ୟା ତ୍ଯାଗ କରି ସଂଗେସଂଗେ ଠିଆ ହେଲେ ମସ୍ତିଷ୍କ ପ୍ରଦାହ ( ବ୍ରେନ ହାମରେଜ) ବା ଉଚ୍ଚ ରକ୍ତଚାପ ଜନିତ ଶାରୀରିକ ଅସୁସ୍ଥତା ସମ୍ଭାବନା ଅଧିକ ଥାଏ। କାରଣ ନିଦ୍ରା ସମୟରେ ଆମ ଶରୀରର ସମସ୍ତ ଅଂଗ ନିଷ୍କ୍ରିୟ ରହିଥାନ୍ତି। ସେମାନେ ସକ୍ରିୟ ହେବାକୁ ୨ରୁ ୩ମିନିଟ ସମୟ ଲାଗିଥାଏ। ସେଥିପାଇଁ ହଠାତ୍ ଠିଆ ନହୋଇ କିଛି ସମୟ ଶଯ୍ଯାରେ ବସିବାକୁ ପରାମର୍ଶ ଦିଆଯାଉଛି। ଏଠାରେ ଚିନ୍ତା କରାଯାଇପାରେ ଯେ ଆମ ଧାର୍ମିକ ଭାବନାରେ ମୁନିଋଷିଙ୍କ ନିର୍ଣ୍ଣୟକୁ ତର୍ଜମା କଲେ ସେମାନେ ନିଶ୍ଚିତ ବିଜ୍ଞାନୀ ଥିଲେ ବୋଲି ସ୍ବୀକାର କରିବାକୁ ହେବ। ଦୀର୍ଘାୟୁ ହେବାକୁ ସେମାନେ ଦିନଚର୍ୟା ଠାରୁ ଜୀବନଶୈଳିକୁ ଏଭଳି ପରିଚାଳନାର ମାର୍ଗ ନିର୍ଣ୍ଣୟ କରିଥିଲେ ଯାହାଦ୍ବାରା ମନୁଷ୍ଯ ଦୀର୍ଘାଯୁ ସହ ଧାର୍ମିକ ଭାବନାରେ ଆପେଆପେ ସଂଯୋଜିତ ହୋଇପାରୁଥିଲା।

କରୋନା ସଂକ୍ରମଣ ବେଳେ ଫୁସଫୁସ ଅଧିକ କ୍ଷତିଗ୍ରସ୍ତ ହୋଇ ସାରା ପୃଥିବୀର ଅନେକ ଲକ୍ଷ ଲକ୍ଷ ଜୀବନ ଚାଲିଗଲା । କିନ୍ତୁ ଯେଉଁମାନେ ପ୍ରାଣାୟାମ, ଯୋଗ ଆଦି କରୁଥିଲେ ସେମାନେ କମ୍ ସଂକ୍ରମିତ ହେବାସହ ଚିକିତ୍ସକ ମାନେ କରୋନା ସଂକ୍ରମିତ ଙ୍କୁ ରେଚକ, ପୁରକ ଓ କୁମ୍ଭକ ପ୍ରାଣାୟାମ କରିବାକୁ କହୁଛନ୍ତି। ଯିଏ ନିୟମିତ ପ୍ରାଣାୟାମ କରୁଥିବ ତା ଶରୀରର ଅମ୍ଳଯାନ ଧାରଣ କ୍ଷମତା କେବେବି କମିବ ନାହିଁ। ଏଠାରେ ଆମକୁ ମାନିବାକୁ ହେବ ଆମ ସଂସ୍କୃତି ନିଶ୍ଚିତ ମହାନ। ବାର ଅନୁଯାୟୀ ଖାଦ୍ୟ, ବେଳା ଅନୁଯାୟୀ ଯାତ୍ରା, ଶୁଭାଶୁଭ କାର୍ଯ୍ୟ ପାଇଁ ବ୍ଯବସ୍ଥାର ପ୍ରାସଙ୍ଗିକତା ଏବେ ବି ଚିକିତ୍ସା ଠାରୁ ଆରମ୍ଭ କରି ବାସ୍ତୁ ବିଜ୍ଞାନ ପର୍ଯ୍ୟନ୍ତ ଗ୍ରହଣୀୟ ହେଉଛି। ସେଥିପାଇଁ ଆମ ସଂସ୍କୃତି ନିଶ୍ଚିତ ମହାନ। ଜୟଶ୍ରୀ ଜଗନ୍ନାଥ

( ଲେଖକ ହରି ଶଙ୍କର ମିଶ୍ର ଏକାଧାରରେ ଜଣେ ଗବେଷକ, ସ୍ତମ୍ବକାର, ,ଜ୍ୟୋତିର୍ବିଦ, ପାଞ୍ଜି ସମୀକ୍ଷକ, ପୁରୀ ମୁକ୍ତିମଣ୍ଡପ ପଣ୍ଡିତ ସଭାର ବରିଷ୍ଠ ସଦସ୍ୟ ତଥା ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ଜଣେ ପୂର୍ବତନ ବରିଷ୍ଠ ଅଧିକାରୀ )

Comments are closed.