ନବରାତ୍ରି ବ୍ରତର ଦ୍ଵିତୀୟ ଦିବସ: ଆଜି ବ୍ରହ୍ମଚାରିଣୀ ରୂପରେ ମାଆ ଦେବେ ଆଶୀର୍ବାଦ

ମା’ ଙ୍କ ନବଦିନାତ୍ମକ ପୂଜାର ଆଜି ହେଉଛି ଦ୍ଵିତୀୟ ଦିବସ। ଆରମ୍ଭ ହୋଇ ଯାଇଛି ପାର୍ବଣର ଋତୁ । ଧରାବତରଣ କରିସାରିଛନ୍ତି ମା’ ଦୁର୍ଗତି ନାଶିନୀ ଦୁର୍ଗା। ପୃଥିବୀର ସବୁ ଶକ୍ତି ଅପେକ୍ଷା ମାତୃଶକ୍ତି ଶ୍ରେଷ୍ଠ । ମା’ ଦୁର୍ଗା ଏହି ମାତୃଶକ୍ତିର ପ୍ରତୀକ । ଜଗତଜନନୀ ମାଆ ଦୁର୍ଗା ପୃଥିବୀକୁ ସତ୍ୟ-ଶିବ-ସୁନ୍ଦରରେ ପରିଣତ କରିଛନ୍ତି । ବିଶ୍ୱର କଲ୍ୟାଣମୟୀ ସେ । ଜଗତଜନନୀ, ସିଂହବାହିନୀ, ଶକ୍ତିପ୍ରଦାୟିନୀ, ବୁଦ୍ଧି, ନିଦ୍ରା, ଛାୟା, ତୃଷ୍ଣା, ଶ୍ରଦ୍ଧା, ଲକ୍ଷ୍ମୀ, ଦୟା, ଭ୍ରାନ୍ତି ରୂପରେ ସେ ସଂସ୍ଥିତା। ଆଜି ହେଉଛି ମହାମାୟୀଙ୍କ ନବଦିନାତ୍ମକ ପୂଜାର ଦ୍ଵିତୀୟ ଦିନ। ବ୍ରହ୍ମଚାରିଣୀ ରୂପରେ ମାଆ ଆଜି ଆରାଧିତା ହେବେ ।

ନବରାତ୍ର ଦ୍ଵିତୀୟ ଦିନ ମା ଦୁର୍ଗାଙ୍କର ବ୍ରହ୍ମଚାରିଣୀ ସ୍ୱରୂପର ପୂଜା କରାଯାଇଥାଏ। ମାଆ ପାର୍ବତୀ ଭଗବାନ ଶିବଙ୍କୁ ପତି ରୂପରେ ପାଇବା ପାଇଁ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ବ୍ରହ୍ମଚାରୀଣୀ ଭାବେ ଘୋର ତପସ୍ୟା କରିଥିଲେ । ଏହି କଠିନ ତପସ୍ୟା କାରଣରୁ ତାଙ୍କ ନାମ ବ୍ରହ୍ମଚାରିଣୀ ହୋଇଥିଲା। ପ୍ରତ୍ୟେକ ସାଧନାର ଦ୍ଵିତୀୟ ସ୍ତର ହେଉଛି ବ୍ରହ୍ମଚର୍ଯ୍ୟ ସାଧନା।

ଏହି ୯ ଦିନରେ ପ୍ରଥମ ଦିନ ଶୈଳପୁତ୍ରୀ ପୂଜା, ଦ୍ଵିତୀୟ ଦିନ ବ୍ରହ୍ମଚାରିଣୀ ପୂଜା, ତୃତୀୟ ଦିନ ଚଣ୍ଡଘଣ୍ଟାଙ୍କ ପୂଜା, ଚତୁର୍ଥ ଦିନ କୁଷ୍ମାଣ୍ଡା ଦେବୀ, ପଞ୍ଚମ ଦିନ ସ୍କନ୍ଧମାତା, ଷଷ୍ଠ ଦିନ କାତ୍ୟାୟନି ପୂଜା, ସପ୍ତମୀ ଦିବସରେ କାଳରାତ୍ରି, ଅଷ୍ଟମ ଦିବସରେ ମହାଗୌରୀ ଓ ନବମ ଦିବସରେ ସିଦ୍ଧିଦାତ୍ରୀ ପୂଜା ଅନୁଷ୍ଠିତ ହେବାର ବିଧି ରହିଛି ।

ମାତୃଶକ୍ତିକୁ ଆରାଧନା କଲାବେଳେ ସାଧକ ନିଜକୁ ବ୍ରହ୍ମଚର୍ଯ୍ୟ ବ୍ରତରେ ପ୍ରତିଷ୍ଠିତ କରିବେ। ଏହା ସାଧନାର ଏକ ଅବସ୍ଥା । ବ୍ରହ୍ମଚର୍ଯ୍ୟର ସ୍ତର । ନାରୀର କୈଶୋର କାଳ । ଯେଉଁ ସମୟରେ ସେ ଶିକ୍ଷା ପ୍ରାପ୍ତି କରେ,ବିଦ୍ୟାର୍ଜନ କରେ । ନିଜକୁ ନିଜର ଲକ୍ଷ୍ୟ ଉଦ୍ଦେଶ୍ୟରେ ପ୍ରେରିତ କରେ । ଶକ୍ତିର ସଦୁପଯୋଗ କରିବାର କ୍ଷମତା ପାଏ । ସେହି ସମୟରେ ସିଏ ଏକାଗ୍ର ଚିତ୍ତ ହୋଇ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ। ଯାହା ତାର ମେଧାକୁ ବୃଦ୍ଧି କରିବା ସହିତ ଆଗାମୀ ଭବିଷ୍ୟତକୁ ଶୃଂଖଲିତ କରି ଗଢି ତୋଳି ଥାଏ। ସାଧକ ପ୍ରଥମ ଦିନ ମୂଳାଧାର ଚକ୍ରରେ ମା ଶୈଳପୁତ୍ରୀଙ୍କୁ ଆରାଧନା କରିଥିବା ସ୍ଥଳେ ଆଜି ସ୍ୱାଧିଷ୍ଠାନ ଚକ୍ରରେ ମା ବ୍ରହ୍ମଚାରିଣୀଙ୍କୁ ପ୍ରତିଷ୍ଠିତ କରି ନବଦିନାତ୍ମକ ସାଧନାକୁ ଦୃଢ଼ କରିବେ।

ବିଶେଷ କରି ଯେଉଁମାନେ ରାହୁଗ୍ରହଙ୍କର ପୀଡ଼ାରେ ପୀଡିତ ସେମାନେ ଲକ୍ଷ୍ୟ ଭ୍ରଷ୍ଟ କରାଉଥିବା ରାହୁ ଗ୍ରହ ନିମନ୍ତେ ଦୂର୍ଗାଙ୍କର ଏହି ବ୍ରହ୍ମଚାରିଣୀ ରୂପର ଆରାଧନା କରିବା ଉଚିତ ଏହାଦ୍ୱାରା ଗ୍ରହପୀଡ଼ା ଦୂର ହୋଇଥାଏ। ବ୍ରହ୍ମଚାରିଣୀ ସ୍ୱରୂପ ଆରାଧନାର ମୁଖ୍ୟ ଉଦେଶ୍ୟ ହେଉଛି ଆଜି ସ୍ୱାଧିଷ୍ଠାନ ଚକ୍ରକୁ ଜାଗ୍ରତ କରି ମାଙ୍କ ସେଇ ଦିବ୍ୟଜ୍ୟୋତିକୁ ଦର୍ଶନ କରିବା। ନିଜ ଜୀବନକୁ ଶୃଙ୍ଖଳିତ ଧାରାରେ ପରିଚାଳିତ କରାଇବା।

Comments are closed.