ରାଜ୍ୟ ପାଇଁ ରୋଲ୍ ମୋଡେଲ୍ ହେବ ସମ୍ବଲପୁରର ସମନ୍ବିତ ଭିତ୍ତିଭୂମି କଂପ୍ଲେକ୍ସ

ବେସାହାରାଙ୍କ ପାଇଁ ରାଜକୀୟ ଉଆସ

ସମ୍ବଲପୁର : କୋଠାର ନିର୍ମାଣଶୈଳୀ କୌଣସି ପଞ୍ଚତାରକା ହୋଟେଲ ବା ଆଭିଜାତ୍ୟପୂର୍ଣ ରାଜପ୍ରାସାଦ ଠାରୁ କୌଣସି ଗୁଣରେ କମ୍ ନୁହେଁ । ଏହାର ଆକର୍ଷଣୀୟ ଚାକଚକ୍ୟପୂର୍ଣ ବିଶାଳ କୋଠାରୁ ଆରମ୍ଭ କରି ଭିତରେ ଥିବା ପ୍ରତିଟି ଭିତ୍ତିଭୂମିକୁ ଦେଖିଲେ କେହି ବିଶ୍ବାସ କରିପାରିବେନି ଯେ , ସବୁ ପ୍ରକାର ସୁବିଧା ଥିବା ଏଭଳି ଏକ ବିଳାସପୂର୍ଣ କୋଠାରେ ଦିବ୍ୟାଙ୍ଗ , ଭିକାରୀ , କିନ୍ନର , ଅସହାୟ , ବେସାହାରା ଲୋକେ ଜୀବନ ବିତାଇବେ । ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୈଜାମୁଣ୍ଡାରେ ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଏହି ସମନ୍ବିତ ଭିତ୍ତିଭୂମି କଂପ୍ଲେକ୍ସ ଏବେ ସାରା ରାଜ୍ୟ ପାଇଁ ରୋଲ୍ ମୋଡେଲ୍ ହେବାକୁ ଯାଉଛି ।

ଗତ ୨୦୧୭ ମସିହା ମାର୍ଚ୍ଚ ୧୯ ତାରିଖରେ ସମ୍ବଲପୁରରେ ଏହି ସମନ୍ବିତ ଭିତ୍ତିଭୂମି କଂପ୍ଲେକ୍ସ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏଥିପାଇଁ ପ୍ରାୟ ୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା । ତେବେ , ସହରଠାରୁ ଅନତି ଦୂରରେ ଏକ ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ ଏହି କଂପ୍ଲେକ୍ସ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରାଯାଇଥିଲା । ଆଉ ଇତିମଧ୍ୟରେ ଏହାର ନିର୍ମାଣ କାମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଜିଲ୍ଲାରେ ଫୁଟପାଥ , ରେଳ ଷ୍ଟେସନ୍ , ବସଷ୍ଟାଣ୍ଡ ତଥା ରାସ୍ତାକଡ଼ ବାରଣ୍ଡାରେ ଦୟନୀୟ ଭାବେ ବେସାହାରା ଜୀବନ ଯାପନ କରୁଥିବା ଭିକାରୀ , କିନ୍ନର , ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ଥଇଥାନ କରିବାକୁ ଏହି କଂପ୍ଲେକ୍ସ ପରିକଳ୍ପନା କରାଯାଇଥିଲା ।

ତେବେ , ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୫ କୋଟି ୪୩ ଲକ୍ଷ ୬୨ ହଜାର ଟଙ୍କାରେ ନିର୍ମିତ ଏହି ବିଶାଳ କୋଠାର ନିର୍ମାଣ କାମ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କେବଳ ଏହାର ପାଚେରୀ ସାଙ୍ଗକୁ ଅନ୍ୟ ଆନୁସଙ୍ଗିକ କିଛିଟା କାମ ବାକି ରହିଛି । ଖୁବ୍ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହାର ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ରାଜ୍ୟର ପ୍ରଥମ ପ୍ରକଳ୍ପ ବୋଲି ଜଣାପଡିଛି । ଆଉ ଏହି ପାଇଲଟ୍ ପ୍ରକଳ୍ପକୁ ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ କରିବାକୁ ସରକାର ଯୋଜନା ରଖିଛନ୍ତି ।

ତେବେ , ବର୍ତ୍ତମାନ ଦୁଇ ମହଲା ବିଶିଷ୍ଟ ଏହି ବିଶାଳ କୋଠାରେ ୫ ଶହ ଜଣଙ୍କ ରହିବା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ମୋଟ୍ ୧୪୭ଟି କୋଠରୀ ନିର୍ମାଣ କରାଯାଇଛି । ଏହାଛଡ଼ା ଏହାର ପରିଚାଳନା ପାଇଁ ନିଯୁକ୍ତ କର୍ମଚାରୀଙ୍କ ସକାଶେ କ୍ବାର୍ଟର ମଧ୍ୟ ନିର୍ମାଣ କରାଯାଇଛି । ଏଥିରେ ଶୟନ କକ୍ଷରୁ ଆରମ୍ଭ କରି ସମ୍ମିଳନୀ କକ୍ଷ , ଯୋଗ ଶିବିରି , ବ୍ୟାୟାମ ଶାଳା , କ୍ୟାଣ୍ଟିନ୍ , ବଗିଚା , ମନୋରଞ୍ଜନ ତଥା ଖେଳକୁଦ ଆଦି ସବୁ ପ୍ରକାର ସୁବିଧା ଉପଲବ୍ଧ କରାଯିବ । ସମସ୍ତ ପ୍ରକାରର ବେସାହାରାଙ୍କୁ ଏଠାରେ ଥଇଥାନ କରାଯାଇ ମାଗଣାରେ ସେମାନଙ୍କ ରହିବା ଖାଇବା ସହିତ ବିଭିନ୍ନ ପ୍ରକାର ରୋଜଗାରକ୍ଷମ ତାଲିମ ପ୍ରଦାନ କରିବାକୁ ଯୋଜନା ହୋଇଛି । ଏହାର ପ୍ରତିଟି ଅଂଶ ଏଭଳି ଆକର୍ଷଣୀୟ ହୋଇଛି ଯେ , ଏହା ଦେଶର ଖ୍ୟାତନାମା ରାଜପ୍ରାସାଦର ଚାକଚକ୍ୟକୁ ବି ବଳି ଯାଇଛି । ସେହିପରି ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ରାମ୍ପ ଏବଂ ରେଲିଂ ବ୍ୟବସ୍ଥା କରାଯାଇଛି ।

ଇଡକୋ ଦ୍ବାରା ଚାଲିଥିବା ଏହି ବିଶାଳ କୋଠା ୬୫୯୭.୯୫୫ ବର୍ଗ ଫୁଟ୍ ଅଞ୍ଚଳ ବ୍ୟାପି ନିର୍ମାଣ ହୋଇଛି । ସେହିପରି ଅଗ୍ନିକାଣ୍ଡ ଭଳି ଜରୁରୀକାଳୀନ ସମୟରେ ଯେପରି ଅନ୍ତେବାସୀଙ୍କୁ ବାହାରିବାକୁ କୌଣସି ସମସ୍ୟା ନ ହେବ ସେଥିପାଇଁ ଏକାଧିକ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି । ସେହିପରି ଏହି କୋଠାକୁ ଲାଗି ରହିଥିବା ଅତିରିକ୍ତ ୮ ଏକର ଜମିରେ ଖେଳ ପଡିଆ ସହିତ ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ଅସହାୟଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଏହି ମହତ୍ବାକାଂକ୍ଷୀ ଯୋଜନା ବାସ୍ତବରେ ପ୍ରଶଂସନୀୟ ହୋଇପାରିଛି ।

Comments are closed.