ଶ୍ରୀକ୍ଷେତ୍ରରେ ରହିଛି ମୁକ୍ତିଶିଳା

ପୁରୀ: ପରମ ପାବନ ଧାମ ହେଉଛି ଶ୍ରୀକ୍ଷେତ୍ର। ଏହା ମୁକ୍ତିର କ୍ଷେତ୍ର, ଏହା ମଧ୍ୟ ପ୍ରେମର କ୍ଷେତ୍ର। ଯାହାର ମହିମା ବେଦ ରେ ବର୍ଣ୍ଣିତ ହୋଇଛି ଏବଂ ପୁରାଣ ଗ୍ରନ୍ଥରେ ଭୁରି ଭୁରି ପ୍ରଶଂସା ବି କରାଯାଇଛି। ବ୍ୟାସଦେବ କୃତ ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡରେ ବିଶେଷ ଭାବରେ ଶ୍ରୀକ୍ଷେତ୍ର ମହିମ ବର୍ଣ୍ଣିତ। ଉକ୍ତ ପୁରାଣ ଅନୁସାରେ ମହାଲକ୍ଷ୍ମୀଙ୍କ ଆଦେଶରେ ଏହି କ୍ଷେତ୍ରରେ ଯମଙ୍କ ପ୍ରଵେଶ ନିଷେଧ। ଏହି ସ୍ଥାନରେ ରହିଛି ଯମନିକ ତୀର୍ଥ।

ଏହି ପବିତ୍ର କ୍ଷେତ୍ରର ଏପରି ମହିମା ରହିଛି ଯେଉଁ କ୍ଷେତ୍ରରେ ପାଦ ଦେବାକ୍ଷଣି ପ୍ରେମବତାର ଶ୍ରୀଚୈତନ୍ୟ ମହାପ୍ରଭୁ, ନାନକ, କବିର ଏବଂ ମିରାବାଇ ସମସ୍ତେ ଭକ୍ତିଭାବରେ ଉନ୍ମାଦିତ ହୋଇ ପଡ଼ିଥିଲେ। ବିଶୁଦ୍ଧ ପ୍ରେମର ସମସ୍ତ ଲକ୍ଷଣ ସ୍ୱତଃ ସେମାନଙ୍କ ଠାରେ ପ୍ରକାଶ ପାଇଥିଲା। ସେହିପରି ମୁକ୍ତିକାମୀ ଜଗଦ୍ଗୁରୁ ଆଦି ଶଙ୍କରାଚାର୍ଯ୍ୟ, ଯୁକ୍ତେଶ୍ଵର ଗିରି, ନଙ୍ଗାବାବା, ଭୋଳାଗିରି ଆଦି ସଦ୍ୟମୁକ୍ତିର ଅମୃତ କଣିକାକୁ ମର୍ମେ ମର୍ମେ ଅନୁଭବ କରିଥିଲେ।

ଯଦି ବାସ୍ତବକ୍ଷେତ୍ରକୁ ଆମେ ଯିବା ତେବେ ଆଜିବି ଜଣେ ମୁମୂକ୍ଷୁ କିପରି ମୁକ୍ତିର ଗତିକୁ ପ୍ରାପ୍ତ ହେଉଛି ତାହା ଅନୁଭବ କରି ପାରିବା।

ସାଧାରଣ ମରଣ ହେଉ ଅବା ବାର୍ଦ୍ଧକ୍ୟ ଜନିତ ବା ଦୁର୍ଘଟଣା ଜନିତ ମୃତ୍ୟୁ ହୁଏ ତେବେ ଉକ୍ତ ଶବକୁ ଶ୍ରୀକ୍ଷେତ୍ରର ସ୍ଵର୍ଗଦ୍ୱାରରେ ଦାହକଲେ ତାର ମୁକ୍ତି ହୋଇଥାଏ। ଏହାସହିତ ସେହି ଆତ୍ମାକୁ ଶାସ୍ତ୍ର ମତରେ ପ୍ରେତତ୍ୱ ପ୍ରାପ୍ତ ହୋଇନଥାଏ।

କିନ୍ତୁ କୌଣସି ବ୍ୟକ୍ତି ଏହି ଜନ୍ମରେ ହେଉ ଅବା ପୂର୍ବଜନ୍ମ କୃତ କର୍ମ ଯୋଗୁଁ ଅନେକ ଦିନ ଶଯ୍ୟାଶାୟୀ ରହୁନ୍ତି ଏବଂ ଅନେକ କଷ୍ଟ ଭୋଗ କରିଥାନ୍ତି ସେମାନଙ୍କ ମୁକ୍ତି ପାଇଁ ଏହି କ୍ଷେତ୍ରରେ ରହିଛି ‘ମୁକ୍ତିଶିଳା’।

ଯଦି କୌଣସି ବ୍ୟକ୍ତିର ପ୍ରାଣ ସହଜରେ ଛାଡ଼ୁନଥିବ ଓ ସେ ଅସହ୍ୟ ଯନ୍ତ୍ରଣା ପାଉଥିବେ। ତେବେ ଏହି କଷ୍ଟରୁ ମୁକ୍ତିଲାଭ କରିବା ପାଇଁ ଏହି କ୍ଷେତ୍ରରେ ରହିଛି ସୁନ୍ଦର ଧାର୍ମିକ ବ୍ୟବସ୍ଥା । ଶ୍ରୀମନ୍ଦିର ଦକ୍ଷିଣ ଦିଗର ବାଲିସାହିରେ ରହିଛି ଶ୍ଵେତଗଙ୍ଗା ପୁଷ୍କରିଣ। ଏହି ତୀର୍ଥ ପରିସରର ଦକ୍ଷିଣ ଦିଗରେ ଏକ ମନ୍ଦିର ରହିଛି। ମନ୍ଦିର ମଧ୍ୟରେ ଏକ ଆୟତାକାର ଶିଳା ଉପରେ ତିନି ଯୋଡ଼ା ପାଦ ଚିହ୍ନ ଅଛନ୍ତି। ଏହା ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱରଙ୍କ ପାଦପଦ୍ମ। ଏହି ଶିଳାଙ୍କୁ ମୁକ୍ତିଶିଳା କୁହାଯାଏ। ଏହି ଶ୍ଵେତଗଙ୍ଗା ପୁଷ୍କରିଣୀ ସାମ୍ନାରେ ଭୃଗୁ ଆଶ୍ରମ । ଏହି ଆଶ୍ରମରେ ଉଗ୍ରସେନ ମହାରାଜା ପୂଜା ପାଇଥାନ୍ତି। ମୃତ୍ୟୁ ଜନିତ ଯନ୍ତ୍ରଣା ବା ସହଜରେ ପ୍ରାଣବାୟୁ ନ ଯାଉଥିବା ବ୍ୟକ୍ତିଙ୍କ ପାଇଁ ଏହି ମୁକ୍ତିଶିଳାଙ୍କ ପାଖରେ ଶାନ୍ତିହୋମ କରି ଉଗ୍ରସେନ ମହାରାଜାଙ୍କୁ ପଣା ଭୋଗ କରି ତାଙ୍କ ଖଣ୍ଡା ସେହି ପଣାରେ ଛୁଆଁଇ ଦିଆଯାଏ। ସେହି ପଣାକୁ ପିଆଇଦେଲେ ଧୀରେ ଧୀରେ ଯନ୍ତ୍ରଣା କମିଯାଏ ଓ ଆତ୍ମା ଶରୀର ସହ ସମ୍ପର୍କ ତୁଟାଇଦିଏ। ସ୍ଵଭାବିକ ମୃତ୍ୟୁ ଲାଭ ହୋଇଥାଏ ।

ପୁରାଣରେ ବର୍ଣ୍ଣିତ ହୋଇଛି:
” ଗଂଗାୟମ ଚ ଜଳେମୁକ୍ତି, ବାରାଣଶ୍ୟାମ ଜଳେ ସ୍ଥଳେ।
ଜଳେସ୍ଥଳେ ଚାନ୍ତରୀକ୍ଷେ ମୁକ୍ତି ଶ୍ରୀପୁରୁଷୋତ୍ତମେ”।

ଏହି ପାବନ କ୍ଷେତ୍ରରେ ଶବକୁ ଯେପରି ଭାବରେ ସଂସ୍କାର କରିଲେବି ତାର ମୁକ୍ତି ସୁନିଶ୍ଚିତ।

Comments are closed.