ଭଞ୍ଜନଗର ନିକଟ ଉଲୁଦନ ଗାଁ ପାଖରେ ୧୮ ଜଣିଆ ହାତୀ ପଲ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ଼, ତାରାସିଙ୍ଗି, ଗାଲେରୀ ଓ ଜଗନ୍ନାଥପ୍ରସାଦ ବନାଞ୍ଚଳରେ ଘୁରି ବୁଲୁଛନ୍ତି ୧୮ ଜଣିଆ ହାତୀପଲ। ବଡ଼ ନଦୀ ପାର ହୋଇ ଦନ୍ତା ହାତୀ, ମାଈ ହାତୀ ଓ ଛୁଆ ହାତୀ ଥିବା ଏହି ଦଳ ମୁଜାଗଡ଼ ରେଞ୍ଜ୍ ଅନ୍ତର୍ଗତ ଉଲୁଦନ ଗାଁ ପାଖ ଜଙ୍ଗଲରେ ଡେରା ପକାଇଛନ୍ତି। ଏବେ ଫସଲ ଅମଳ ସମୟ, ଏଣୁ ଖାଦ୍ୟ ଅନ୍ବେଷଣରେ ହାତୀ ପଲ ଜନବସତିମୁହାଁ ହୋଇଛନ୍ତି। ଏହାକୁ ନେଇ ଗାଁ ଲୋକ, ଚାଷୀମାନେ ଏବେ ଆତଙ୍କିତ ଓ ଚିନ୍ତାଗ୍ରସ୍ତ। ସେପଟେ ବନବିଭାଗ ଉଭୟ ସାଧାରଣ ଲୋକ ଓ ହାତୀଙ୍କ ସୁରକ୍ଷା ପାଇଁ ତତ୍ପରତା ଦେଖାଇଛି। ବିଭାଗୀୟ କର୍ମଚାରୀ ହାତୀ ପଲଙ୍କ ଚଳପ୍ରଚଳ ଉପରେ ନଜର ରଖିବା ସହ ଗ୍ରାମବାସୀଙ୍କୁ ହାତୀଙ୍କ ଠାରୁ ଦୂରେଇ ରହିବାକୁ ସତର୍କ କରାଇଛନ୍ତି। ସେମାନେ ବାଣ ଫୁଟାଇ ଏବଂ ନିଆଁ ଜାଳି ହାତୀଙ୍କୁ ଘଉଡ଼ାଇବା ପାଇଁ ଦିନରାତି ଜଙ୍ଗଲ ଆଖପାଖ ଇଲାକାରେ ପଇଁତରା ମାରୁଛନ୍ତି।

ଉତ୍ତର ଘୁମୁସର ବନଖଣ୍ଡରେ ଘୁରି ବୁଲୁଥିବା ହାତୀମାନେ ପୂର୍ବରୁ ଦିନସାରା ଜଙ୍ଗଲ ଭିତରେ ଆଡ୍ଡା ଜମାଇ ରହୁଥିବା ବେଳେ ସନ୍ଧ୍ୟା ପରେ ସେଠାରୁ ବାହାରି ଖାଦ୍ୟ ପାଇଁ ଗାଁ ନିକଟ ଧାନ ଫସଲମୁହାଁ ହେଉଥିଲେ। ହେଲେ ଏବେ ସକାଳେ ଏବଂ ସନ୍ଧ୍ୟାରେ ମଧ୍ୟ ହାତୀପଲ ଧାନ କ୍ଷେତ ଆଡ଼କୁ ମାଡ଼ି ଆସୁଛନ୍ତି। ଏପରିକି ଧାନ ଫସଲ ଖାଇବା ସହ ପାଦରେ ଦଳି ନଷ୍ଟ କରୁଛନ୍ତି। ଏନେଇ ସ୍ଥାନୀୟ ଲୋକେ ଭୟ ଓ ଆଶଙ୍କା ଭିତରେ ଦିନ କାଟୁଛନ୍ତି। ଗ୍ରାମବାସୀ ସଙ୍ଗଠିତ ହୋଇ ଘଣ୍ଟ ଘଣ୍ଟା ବଜାଇ ହାତୀମାନଙ୍କୁ ପାଖ ଜଙ୍ଗଲକୁ ଘଉଡ଼ାଇ ଦେଉଛନ୍ତି। ବନ ବିଭାଗ କର୍ମଚାରୀମାନେ ହାତୀ ଦଳ ଉପରେ ତୀକ୍ଷ୍ଣ ନଜର ରଖି ସେମାନଙ୍କ ସୁରକ୍ଷା ତଥା ଗାଁ ଲୋକଙ୍କ ସୁରକ୍ଷା ପାଇଁ ତତ୍ପର ଥିବା ସୂଚନା ଦେଇଛନ୍ତି ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା।

Comments are closed.