ପ୍ରତ୍ୟେକଟି ଜୀବନ ମୂଲ୍ୟବାନ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି

ଭୁବନେଶ୍ୱର: ଓଡ଼ିଶା ଆଜି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ନିଜର ସ୍ଥିତି ସୁଦୃଢ଼ କରିପାରିଛି । ପ୍ରାକୃତିକ ତଥା ଅନ୍ୟାନ୍ୟ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଦ୍ଵାରା ନିଆ ଯାଇଥିବା ବଳିଷ୍ଠ ପଦକ୍ଷେପ ଦ୍ଵାରା ବିପର୍ଯ୍ୟୟଜନିତ ଧନଜୀବନ କ୍ଷୟକ୍ଷତିକୁ ଅନେକ ମାତ୍ରାରେ ହ୍ରାସ କରାଯାଇପାରିଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ତି ପ୍ରକାଶ କରିଛନ୍ତି ।

ସ୍ଥାନୀୟ କୃଷି ଭବନ ପ୍ରେକ୍ଷାଳୟଠାରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆୟୋଜିତ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଅବସରରେ ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ବିପର୍ଯ୍ୟୟ ପ୍ରସ୍ତୁତିର ମେରୁଦଣ୍ଡ ବିଷୟବସ୍ତୁ ଉପରେ ମନ୍ତ୍ରୀ ଶ୍ରୀ ମାର୍ଣ୍ତି କହିଲେ ଯେ , ଓଡ଼ିଶା ଆଜି ବିପର୍ଯ୍ୟୟ ପରିଚାଳନାକୁ ସର୍ବାଧିକ ଗୁରୁତ୍ଵ ଦେଇଆସୁଛି ଯାହା ଫଳରେ ଆମ ରାଜ୍ୟ ବିପର୍ଯ୍ୟୟ ପରିଚାଳନାରେ ଉତ୍କର୍ଷ ହାସଲ କରିବା ସହିତ ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନିଷ୍ଠା , ଆନ୍ତରିକତା ଓ ଦୂରଦୃଷ୍ଟି ଯୋଗୁଁ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟରେ ଧନଜୀବନ କ୍ଷୟକ୍ଷତିର ବ୍ୟାପକ ହ୍ରାସ ଘଟିଛି ।

ବିଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ କୋଭିଡ୍ ମହାମାରୀର ସଫଳ ମୁକାବିଲା କରିବା ସହ ବନ୍ୟା ଓ ବାତ୍ୟାର ସଠିକ୍ ପରିଚାଳନା କରିପାରିଛି । ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ଦିଗରେ ଆଗଧାଡ଼ିର କର୍ମୀ ଆଶା , ଅଙ୍ଗନବାଡ଼ି , ଏଏନ୍‌ଏମ୍ ଇତ୍ୟାଦି ଏବଂ ପଞ୍ଚାୟତିରାଜ ଅନୁଷ୍ଠାନ ଓ ପୌରପରିଷଦଗୁଡ଼ିକର ନିର୍ବାଚିତ ପ୍ରତିନିଧି , ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟ , ବେସରକାରୀ ସଂସ୍ଥା ଓ ଗୋଷ୍ଠୀସ୍ତରୀୟ ସ୍ୱେଚ୍ଛାସେବୀମାନଙ୍କର କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ଅଟେ ।

ଏହି ଅବସରରେ ଯୋଗଦେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ ଯେ ପ୍ରାକୃତିକ ବିପର୍ଯ୍ୟୟ ସାମ୍ନାରେ ଆମେ ନିଃସହାୟତାରୁ ସାହସିକତାର ସହ ମୁକାବିଲା ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଛୁ । ଏହି ପ୍ରସ୍ତୁତିରେ ପଞ୍ଚାୟତିରାଜ ଅନୁଷ୍ଠାନ , ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ , ଗ୍ରାମ ସମୁଦାୟମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ବିପର୍ଯ୍ୟୟ ନିମନ୍ତେ ପ୍ରାକ୍‌ ପ୍ରସ୍ତୁତି , ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର , ଉଦ୍ଧାର ଓ ରିଲିଫ୍‌ ଯୋଗାଣ ଏବଂ ପୁନରୁଦ୍ଧାର ଆଦି କାର୍ଯ୍ୟରେ ପଞ୍ଚାୟତିରାଜ ପ୍ରତିନିଧିମାନେ ସକ୍ରିୟ ଭାବେ ସାମିଲ ହୋଇ ଲୋକମାନଙ୍କ ଧନଜୀବନ ରକ୍ଷା କରି ଆସୁଛନ୍ତି । କୋଭିଡ-୧୯ ପରି ମହାମାରୀର ମୁକାବିଲାରେ ମଧ୍ୟ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କର ଭୂମିକା ଉଚ୍ଚ ପ୍ରଶଂସନୀୟ , ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଓଡ଼ିଆମାନଙ୍କ ଚିହ୍ନଟ , ଅସ୍ଥାୟୀ ପୃଥକବାସ ବ୍ୟବସ୍ଥା , କୋଭିଡ୍ ଆକ୍ରାନ୍ତମାନଙ୍କୁ ଘରୋଇ ପୃଥକବାସରେ ସହାୟତା , ଡାକ୍ତରଖାନାକୁ ସ୍ଥାନାନ୍ତର ଆଦି କାର୍ଯ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନର ଅବଦାନ ଅଦ୍ୱିତୀୟ । ସେହିପରି ଓଡ଼ିଶାର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନେ ବିଭିନ୍ନ ବିପର୍ଯ୍ୟୟ ସମୟରେ ଧୈର୍ଯ୍ୟ ଓ ସାହସିକତାର ସହ କାର୍ଯ୍ୟକରି ଲୋକମାନଙ୍କର ଧନଜୀବନର ସୁରକ୍ଷାରେ ଲଗାତାର ଭାବେ ସହାୟକ ହୋଇଆସୁଛନ୍ତି ।

କାର୍ଯ୍ୟକ୍ରମରେ ସ୍ଵାଗତ ଭାଷଣ ଦେଇ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ , ସ୍ଵତନ୍ତ୍ର ରିଲିଫ କମିଶନର ଏବଂ ଓସ୍‌ଡମାର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ଜେନା କହିଲେ ଯେ ୧୯୯୯ ମସିହା ଆଜିର ଦିନରେ ହୋଇଥିବା ପ୍ରଳୟଙ୍କରୀ ମହାବାତ୍ୟାରେ ଓଡ଼ିଶାରେ ହଜାର ହଜାର ଲୋକଙ୍କର ମୃତ୍ୟୁ ସହ ଅକଳନୀୟ ଏବଂ ସାମାଜିକ କ୍ଷୟକ୍ଷତି ହୋଇଥିଲା । ଏହା ମଧ୍ୟରେ ୨୨ ବର୍ଷ ବିତି ଯାଇଛି । ଏହାରି ମଧ୍ୟରେ ଓସ୍‌ଡମାର ଗଠନ ଏହାର ପ୍ରାକୃତିକ ତଥା ଅନ୍ୟାନ୍ୟ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଶେଷ ଅବଦାନ ଏବଂ ଏହି ବର୍ଷଗୁଡ଼ିକ ଭିତରେ ଓଡ଼ିଶା ସରକାରଙ୍କ ଦ୍ଵାରା ନିଆଯାଇଥିବା ବଳିଷ୍ଠ ପଦକ୍ଷେପ ଦ୍ଵାରା ବିପର୍ଯ୍ୟୟଜନିତ ଧନଜୀବନର କ୍ଷୟକ୍ଷତିକୁ ଅନେକ ମାତ୍ରାରେ ହ୍ରାସ କରାଯାଇପାରୁଛି ।

ଏହି ଅବସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଯୋଗଦେଇ ବିପର୍ଯ୍ୟୟ ପରିଚାଳନାରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମହିଳା ସରପଞ୍ଚ ପଦ୍ମାଳୟା ମଲ୍ଲିକ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ଶୈଳବାଳା ରଥଙ୍କୁ ସମ୍ବଦ୍ଧିତ କରାଯାଇଥିଲା ।

ଅତିରକ୍ତ ରିଲିଫ କମିଶନର କମଳ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଓସ୍‌ଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସତ୍ୟରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.