ନ୍ୟାସନାଲ ବୁକ୍ ଅଫ୍ ରେକର୍ଡସରେ ମନିଷା

ବ୍ରହ୍ମପୁର: ସାମ୍ପ୍ରତିକ ସମୟରେ ତ ଗଞ୍ଜାମ ମାଟିର ଅନେକ ଗୌରବମଣ୍ଡିତ ଓଡ଼ିଆ ପ୍ରତିଭା ଏ ରାଜ୍ୟ ତଥା ଜାତିର ନାଁର ଟେକ ରଖିଛନ୍ତି। ତଥାପି ଆହୁରି ଅନେକ ଦକ୍ଷ, ଯୁବ ତଥା ଉଦୀୟମାନ ପ୍ରତିଭା ନିଜର ନିଆରା କାର୍ଯ୍ୟରେ ଉକ୍ତ ଗୌରବକୁ ଅଧିକ ମହିମାମଣ୍ଡିତ କରୁଛନ୍ତି। ନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇ ସେହି ଧାରାରେ ଯୋଡ଼ି ହୋଇ ଯାଇଛନ୍ତି ବ୍ରହ୍ମପୁର ଆମ୍ବପୁଆ ମାରୁତି ନଗରର ମନିଷା ପଣ୍ଡା। ଅବ୍ୟବହୃତ କାଗଜ, ଖାଇବା ପ୍ଲେଟ୍, ପରିତ୍ୟକ୍ତ ସିଡି ବ୍ୟବହାର କରିବା ପରେ ତାହାକୁ ପେଣ୍ଟିଂ କରି ସେ ତିଆରି କରିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏକ ନିଆରା କଳାକୃତି। ତାହାକୁ ଏବେ ନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡସ କର୍ତ୍ତୃପକ୍ଷ ସ୍ବୀକୃତି ଦେଇଛନ୍ତି। ନିଜ ନିଆରା କଳାକୃତି ନିମନ୍ତେ ସେ ନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡସ ସତ୍ତ୍ଵାଧିକାରୀଙ୍କ ଠାରୁ ହାସଲ କରିଛନ୍ତି ସାର୍ଟିଫିକେଟ୍‌, ମେମେଣ୍ଟୋ, ପେନ୍‌, ନେମ୍ ପ୍ଲେଟ୍ ଓ ଷ୍ଟାମ୍ପ୍ ଆଦି।

ଗତ ରଥଯାତ୍ରାର କଥା। ଲକ୍‌ଡାଉନ୍ ସମୟର ସଦୁପଯୋଗ କରି ପେନ୍‌ସିଲ୍ ଡ୍ରଇଂ, କ୍ରାଫ୍ଟ, ସିନେରୀ, ପଟ୍ଟଚିତ୍ର ଚିତ୍ରାଙ୍କନ ଆରମ୍ଭ କରିଥିଲେ ଏହି ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରୀଜଣକ। ତେବେ କିଛି ନିଆରା କରିବା ଉଦ୍ଦେଶ୍ୟରେ ସେ ଶ୍ରୀଜଗନ୍ନାଥଙ୍କ ଏଭଳି ପ୍ରତିକୃତି ତିଆରି କରିବା ଆରମ୍ଭ କରିଥିଲେ। ଶ୍ରୀଜଗନ୍ନାଥଙ୍କ ନିଆରା କଳାକୃତି ହିଁ ତାଙ୍କୁ ପରିଚୟ ଆଣି ଦେଇଥିଲା। ଏହାପରେ ସେ ନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡସ ପାଇଁ ପ୍ରୟାସ କରିଥିଲେ ଓ ସଫଳ ମଧ୍ୟ ହୋଇପାରିଛନ୍ତି। ନୀଳମାଧବ ପଣ୍ଡା ଏବଂ ନକ୍ଷତ୍ରମାଳା ପଣ୍ଡାଙ୍କ କନ୍ୟା ମନିଷା ଦିଲ୍ଲୀର ମଣିକର୍ଣ୍ଣିକା ଆର୍ଟ ଗ୍ୟାଲେରି ଦ୍ଵାରା ଟିନ୍ ଏଜର୍ ଆର୍ଟିଷ୍ଟ ଭାବେ ମଧ୍ୟ ପୁରସ୍କୃତ ହୋଇଛନ୍ତି।

Comments are closed.