ବିଭିନ୍ନ ସ୍ଥାନରେ ଆସନ୍ତାକାଲିରୁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ, ସାମିଲ ହେବେ ୩ ମନ୍ତ୍ରୀଙ୍କ ସମେତ ଅନେକ ପଦାଧିକାରୀ 

ସମ୍ବଲପୁର : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସି ବିଏସ୍‌କେୱାଇ ସ୍କାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ଆଉ ଏହା ସାଙ୍ଗକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ୩ ଦିନ ଧରି ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବ । ଏଥିପାଇଁ ଆଜିଠାରୁ ଜିଲ୍ଲାରେ ମନ୍ତ୍ରୀ ଓ ସରକାରଙ୍କ ବରିଷ୍ଠ ପଦାଧିକାରୀଙ୍କ ଡେରା ପଡିଲାଣି । ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ ମନ୍ତ୍ରୀ ସାମିଲ ହେବାକୁ ଯାଉଛନ୍ତି । ଏଥିରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ , ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ , ଜଳସଂପଦ ତଥା ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ପ୍ରମୁଖ ଉପସ୍ଥିତ ରହିବେ ବୋଲି ଜଣାପଡିଛି । ସେହିପରି ସମାନ୍ତରାଳ ଭାବେ କାଲି ଠୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନ୍ୟ ନେତା ଓ ମନ୍ତ୍ରୀଙ୍କ ଦ୍ବାରା ସ୍ମାର୍ଟ କାର୍ଡ ବଣ୍ଟନ ଜାରି ରହିବ ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି । ଆସନ୍ତାକାଲି ସମ୍ବଲପୁରର ତପସ୍ବିନୀ ହଲ୍ ସମେତ ମହାନଗରର ବିଭିନ୍ନ ସ୍ଥାନରେ ୩ ଦିନ ଧରି ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ହେବ । ଏଥିରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ , ଯୋଜନା ସମନ୍ବୟ ତଥା ବାଣିଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସମେତ ଓଏଫ୍‌ଡିସି ଅଧ୍ୟକ୍ଷ କୁନା ତ୍ରିପାଠୀ , ମିଶନ ଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ନେତା ମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ସାରା ସମ୍ବଲପୁର ଚଳଚଞ୍ଚଳ ହୋଇଉଠିଛି ।

Comments are closed.