ମୁଖ୍ୟ ଶାସନ ସଚିବଙ୍କ ଦ୍ବାରା ଉତ୍କଳମଣୀଙ୍କ ଜନ୍ମପୀଠ ବିକାଶ କାର୍ଯ୍ୟ ସମୀକ୍ଷା

ସୁଆଣ୍ଡୋ , ସତ୍ୟବାଦୀ ଏବଂ ସାକ୍ଷୀଗୋପାଳଙ୍କୁ ଭାଷା – ସଂସ୍କୃତି ପର୍ଯ୍ୟଟନ କେନ୍ଦ୍ରଭାବେ ବିକଶିତ କରାଯାଉଛି

ଭୁବନେଶ୍ବର: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଥିବା ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପ ତ୍ବରାନ୍ବିତ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି ।

ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଆ ଭାଷା ସଂସ୍କୃତି ଓ ସାହିତ୍ୟ ବିଭାଗ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ପୁରୀ ଜିଲ୍ଲା ଅନ୍ତର୍ଗତ ସୁଆଣ୍ଡୋ ଗ୍ରାମ ଏବଂ ସେଠାରେ ଥିବା ଗୋପବନ୍ଧୁଙ୍କ ଜନ୍ମପୀଠର ସାମଗ୍ରିକ ବିକାଶ ପ୍ରକଳ୍ପ ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ ।

ପ୍ରକଳ୍ପ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ସେସବୁର ପୂର୍ଣ୍ଣାଙ୍ଗ ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସମୟ ନିର୍ଘଣ୍ଟ ଧାର୍ଯ୍ୟ କରିଥିଲେ । ସମୁଦାୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୨୨ ମାର୍ଚ୍ଚ ମାସ ମଧ୍ୟରେ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୫.୧୬ କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର କରାଯାଇଛି ।

ସମୀକ୍ଷାରୁ ଜଣାପଡିଥିଲା ଯେ ଗୋପବନ୍ଧୁଙ୍କ ଜନ୍ମପୀଠରେ ଥିବା ଶିବ ମନ୍ଦିର , ଦୁଇଟି ପୋଖରୀ , ପୈତୃକ ବାସଗୃହ , ଗ୍ରାମକୁ ରାସ୍ତା , ଜନ୍ମପୀଠ ପରିକ୍ରମା ରାସ୍ତା , ପାର୍କି ଆଦିର ବିକାଶ ପାଇଁ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଇତି ମଧ୍ୟରେ ତ୍ବରାନ୍ବିତ ହୋଇଛି । ଏସବୁ ସହ ସେଠାରେ ଗୋପବନ୍ଧୁ ସ୍ମୃତି ସଂଗ୍ରାହଳୟ , ସୂଚନା କେନ୍ଦ୍ର ଏବଂ ଆତିଥ୍ୟ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଉଛି । ଇତି ମଧ୍ୟରେ ଶିବ ମନ୍ଦିରର ମୂଳଦୁଆ ସଂରକ୍ଷଣ ପିଷ୍ଟର ବିକାଶ , ଦଧୂ ନଉତି , ମନ୍ଦିର ପରିକ୍ରମା ରାସ୍ତା ଆଦି କାର୍ଯ୍ୟ ବିଶେଷ ଭାବେ ଅଗ୍ରଗତି କରିଛି । ପ୍ରଥମ ପୋଖରୀର ପୁନଃ ଖନନ , ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପ୍ରାୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସଂଗ୍ରହାଳୟର ଘର ନିର୍ମାଣ ସରିଛି । ବିଦ୍ୟୁତକରଣ ଏବଂ ଶେଷ ପର୍ଯ୍ୟାୟ କାର୍ଯ୍ୟ ଚାଲୁରହିଛି । ସେହିପରି ଆତିଥ୍ୟ କେନ୍ଦ୍ରର ବିଭିନ୍ନ ବିଭାଗ କାମ ମଧ୍ୟ ଚାଲୁ ରହିଛି ।

ଦ୍ବିତୀୟ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ଚଳିତ ମାସ ମଧ୍ୟରେ ଆରମ୍ଭ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଗୋପବନ୍ଧୁ ଦାସଙ୍କର ପ୍ରାୟ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୁର୍ତି , ପୈତୃକ ଗୃହର ପୁନଃ- ବିକାଶ ଆଦି କାର୍ଯ୍ୟ ତ୍ବରାନ୍ବିତ କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ପୁରୀ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଆ ଭାଷା , ସଂସ୍କୃତି ଓ ସାହିତ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ପୁନଃରୁଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକୀୟ ପଥର ଯୋଗାଣ ଅବ୍ୟାହତ ରଖିବା ନିମନ୍ତେ ଓଡ଼ିଶା ଖଣି ନିଗମଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ବୈଠକରେ ଓଡ଼ିଆ ବିଶ୍ବବିଦ୍ୟାଳୟ ନିମନ୍ତେ ଭିତ୍ତିଭୂମି ବିକାଶ କାର୍ଯ୍ୟର ସମୀକ୍ଷା ହୋଇଥିଲା । ଇତି ମଧ୍ୟରେ ବିଶ୍ବବିଦ୍ୟାଳୟ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି ବୋଲି ବିଭାଗୀୟ ସଚିବ ଶ୍ରୀ ଦଳାଇ କହିଥିଲେ । ତୁରନ୍ତ କ୍ଷେତ୍ରସ୍ତରୀୟ କାର୍ଯ୍ୟ ଆରମ୍ଭ କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ବିଶ୍ବବିଦ୍ୟାଳୟ ନିର୍ମାଣ ନିମନ୍ତେ ସମୁଦାୟ ୬୧.୬୩ କୋଟି ଟଙ୍କାର ବ୍ୟୟ ଅଟକଳକୁ ପ୍ରଶାସନିକ ଅନୁମୋଦନ ଦିଆଯାଇଛି ।

ସେହିପରି ସାକ୍ଷୀଗୋପାଳ ମନ୍ଦିରର ଆବଶ୍ୟକୀୟ ମରାମତି ଏବଂ ସୌନ୍ଦର୍ଯ୍ୟକରଣ କାମ ତ୍ଵରାନ୍ଵିତ କରିବାକୁ ମୁଖ୍ୟ ଶାସନ ସଚିବ ଭାଷା ସଂସ୍କୃତି ଓ ସାହିତ୍ୟ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସୁଆଣ୍ଡୋ , ସତ୍ୟବାଦୀ , ଓଡ଼ିଆ ବିଶ୍ୱବିଦ୍ୟାଳୟ ଏବଂ ସାକ୍ଷୀଗୋପାଳକୁ ଓଡ଼ିଆ ଭାଷା – ସଂସ୍କୃତିର ଏକ ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ରଭାବେ ବିକଶିତ କରିବା ନିମନ୍ତେ ସବୁ ପ୍ରକାର ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା , ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ , ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଶାସ୍ବତ ମିଶ୍ର , ପୁର୍ତ୍ତ ବିଭାଗ ସଚିବ କ୍ରିଷନ୍‌ କୁମାର , ଓଡ଼ିଆ ବିଶ୍ବ ବିଦ୍ୟାଳୟ ସ୍ବତନ୍ତ୍ର ଅଧିକାରୀ ବରିଷ୍ଠ ଅଧିକାରୀମାନେ ବୈଠକର ବିଜୟ କୁମାର ନାୟକଙ୍କ ସମେତ ସଂପୃକ୍ତ ବିଭାଗର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments are closed.