ଟି-୨୦ ବିଶ୍ୱକପରେ ଭାରତର ପ୍ରଥମ ବିଜୟ, ଆଫଗାନିସ୍ତାନକୁ ୬୬ ରନରେ ହରାଇଲା

ଆବୁଧାବି: ପ୍ରଥମ ଦୁଇଟି ମ୍ୟାଚ୍ ହାରିବା ପରେ ଟି୨୦ ବିଶ୍ୱକପରେ ଭାରତ ଶେଷରେ ବିଜୟ ଖାତା ଖୋଲିଛି । ଭାରତର ବ୍ୟାଟର ନିଜ ଲୟ ଫେରି ପାଇଥିବା ବେଳେ ଭାରତ ବୁଧବାର ଏଠାରେ ଅନୁଷ୍ଠିତ ଏକ ସୁପର-୧୨ ମ୍ୟାଚରେ ଆଫଗାନିସ୍ତାନକୁ ୬୬ ରନରେ ହରାଇ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କରିଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ଧୂଆଁଧାର ଅର୍ଦ୍ଧଶତକ ସହାୟତାରେ ୨ ୱିକେଟ୍ ହରାଇ ୨୧୦ ରନର ବିଶାଳ ସ୍କୋର କରିଥିଲା । ଚଳିତ ବିଶ୍ୱକପରେ ଏହା ସର୍ବୋଚ୍ଚ ଟିମ୍ ସ୍କୋର ଥିଲା । ରୋହିତ ୪୭ ବଲରେ ୮ଟି ଚୌକା ଓ ୩ଟି ଛକା ସହ ୭୪ ରନ୍ କରିଥିବା ବେଳେ ରାହୁଲ ୪୮ ବଲରେ ୬ଟି ଚୌକା ଓ ୨ଟି ଛକା ସହ ୬୯ ରନ୍ କରିଥିଲେ । ଦୁହେଁ ପ୍ରଥମ ୱିକେଟରେ ୧୪୦ ରନର ଭାଗିଦାରୀ ସହ ବଡ ସ୍କୋର ପାଇଁ ମୂଳଦୁଆ ପକାଇଥିଲେ । ୨୧୧ ରନର ବିଜୟଲକ୍ଷ୍ୟ ଜବାବରେ ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୪୪ ରନ୍ କରିବାକୁ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ ମହମ୍ମଦ ସାମି ୩ଟି ୱିକେଟ୍ ନେଇଥିବା ବେଳେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳୁଥିବା ରବିଚନ୍ଦ୍ରନ ଅଶ୍ୱିନ ୨ଟି ୱିକେଟ୍ ହାସଲ କରିଥିଲେ । ରୋହିତ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଏହି ବୃହତ ବିଜୟ ସହ ଭାରତ ଚତୁର୍ଥ ସ୍ଥାନକୁ ଉଠିଛି ।

ପୂର୍ବରୁ ଆଫଗାନିସ୍ତାନ କ୍ୟାପଟେନ ମହମ୍ମଦ ନବି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତକୁ ଜବରଦସ୍ତ ଷ୍ଟାର୍ଟ ଦେଇଥିଲେ ରାହୁଲ୍ ଓ ରୋହିତ। ଦୁହେଁ ଆରମ୍ଭରୁ ସତର୍କତାର ସହ ଖେଳିଥିଲେ। ହେଲେ ସେଟ୍ ହେବା ରୋହିତ୍ ଓ ରାହୁଲ୍ ଆଫଗାନିସ୍ତାନ ବୋଲରଙ୍କୁ ନିର୍ଧୁମ୍ ଧୋଇଥିଲେ।
ଦୁହେଁ ପ୍ରଥମ ୧୧.୪ ଓଭରରେ ଭାରତର ସ୍କୋରକୁ ୧୦୦ ରନରେ ପହଞ୍ଚାଇଥିଲେ। ପ୍ରଥମେ ରୋହିତ୍ ୩୭ ବଲରେ ଏବଂ ପରେ ରାହୁଲ୍ ୩୫ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୧୪.୪ ଓଭରରେ ୧୪୦ ରନର ଭାଗିଦାରୀ କରି ଭାରତକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ବଡ଼ ଶଟ୍ ଖେଳିବା ପ୍ରୟାସରେ ରୋହିତ୍ ଆଫଗାନ୍ ବୋଲର କରିମ୍ ଜନ୍ନତଙ୍କ ଶିକାର ହୋଇଥିଲେ। ପରେ ରାହୁଲ୍ ମଧ୍ୟ ନିଜର ୱିକେଟ୍ ଦେଇ ବସିଥିଲେ। ରାହୁଲଙ୍କୁ ଗୁଲବଦିନ ନଇବ ପ୍ୟାଭିଲିୟନ୍ ପଠାଇଥିଲେ।
ଦୁହିଁଙ୍କ ଆଉଟ୍ ପରେ ଭାରତର ରନ୍ ଗତି କମିଯାଇଥିଲା। ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଋଷଭ ପନ୍ତ ଧୂଆଁଧାର ବ୍ୟାଟିଂ କରି ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଖରାପ ଫର୍ମରେ ଥିବା ହାର୍ଦ୍ଦିକଙ୍କର ପୁରୁଣା ଚମକ ଦେଖିବାକୁ ମିଳିଥିଲା। ଉଭୟ ହାର୍ଦ୍ଦିକ ଓ ପନ୍ତ ତୃତୀୟ ୱିକେଟ୍ ପାଇଁ ୨୧ ବଲରେ ୬୩ ରନ୍ ପାର୍ଟନରଶିପ୍ କରିଥିଲେ। ହାର୍ଦ୍ଦିକ ୧୩ ବଲରେ ୪ ଚୌକା ଓ ୨ ଛକା ସହ ୩୫ ଓ ପନ୍ତ ୧୩ ବଲରେ ୧ ଚୌକା ଓ ୩ ଛକା ସହ ୨୭ ରନ୍ କରି ଅପରାଜିତ ଥିଲେ। ଆଫଗାନିସ୍ତାନ ପକ୍ଷରୁ ନଇବ ଓ ଜନ୍ନତ ଗୋଟିଏ ଲେଖାଏ ୱିକେଟ୍ ପାଇଥିଲେ।

Comments are closed.