ଯମଦ୍ୱିତୀୟା ବା ଭାତୃ ଦ୍ୱିତୀୟା ଆମ ସଂସ୍କୃତିର ଏକ ଅନନ୍ୟ ପରମ୍ପରା

କାର୍ତ୍ତିକ ଶୁକ୍ଳ ଦ୍ୱିତୀୟାକୁ ଯମ ଦ୍ୱିତୀୟା ବା ଭାତୃ ଦ୍ୱିତୀୟା ଅନ୍ୟ ଅର୍ଥରେ ଭାଇଦୂଜ ବୋଲି କୁହାଯାଏ । ଏହିପର୍ବ ଦୀପାବଳି ପର ଦ୍ୱିତୀୟାରେ ପଡିଥାଏ। ଆମର ଧର୍ମୀୟ ମାନ୍ୟତା ରହିଛି ଏହି ଦ୍ୱିତୀୟାଦିନ ଧର୍ମଦେବତା ଯମ ନିଜଭଉଣୀ ଯମୁନାକୁ ଭେଟିବାପାଇଁ ମର୍ତ୍ତ୍ୟଲୋକକୁ ଆସିଥାନ୍ତି। ଏବଂ ଭଉଣୀର ସମସ୍ତ ମନୋ କାମନା ପୂରଣ କରିଥାନ୍ତି। ଏହି ଅଵସରରେ ମର୍ତ୍ତ୍ୟଲୋକର ଭଉଣୀମାନେ ଯମଙ୍କ ପାଖରେ ନିଜନିଜ ଭାଇ ମାନଙ୍କର ମଙ୍ଗଳ କାମନା କରି ତାଙ୍କର ଆଶୀର୍ବାଦ କାମନା କରିଥାନ୍ତି।

ଉତ୍ତର ପ୍ରଦେଶରେ ଭାଇମାନଙ୍କ ସହ ଭଉଣୀମାନେ ମିଳିତ ଭାବେଏହି ଦିନରେ ଯମୁନା ସ୍ନାନ କରନ୍ତି । ଭଉଣୀମାନେ ବ୍ରତ ସଂକଳ୍ପ ପୂର୍ବକ ଭାଇମାନଙ୍କର ଦୀର୍ଘଜୀବନ, ଐଶ୍ୱର୍ଯ୍ୟ ତଥା ସର୍ବମଙ୍ଗଳ କାମନା କରି ମୃତ୍ୟୁ ଦେବତା ଯମରାଜାଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରିଥାନ୍ତି । ଦୂରରେ ରହୁଥିବା ଭଉଣୀମାନେ ଏହିଦିନ ସକାଳୁ ସ୍ନାନାଦି କର୍ମ ସମାପନ କରି ଗଣେଶଙ୍କୁ ସ୍ଥାପନ କରି ଯମ, ଯମୁନା, ଚିତ୍ରଗୁପ୍ତ ଏବଂ ଯମଦୂତଙ୍କ ବିଧିବିଧାନର ସହିତ ପୂଜା ଶେଷରେ ଯମରାଜାଙ୍କୁ ପୂଜା କରିଥାନ୍ତି । ଯମଦ୍ୱିତୀୟା ବା ଭୟାଦୂଜ ପୂଜା ପରେ ଭାଇମାନଙ୍କ ମୁଣ୍ଡରେ ତିଳକ ଲଗାଇ ଭଉଣୀମାନେ ସେମାନଙ୍କୁ ସୁଆଦିଆ ଖାଦ୍ୟ ଓ ମିଷ୍ଟାନ୍ନ ଆଦି ଖୁଆଇ ଦୀର୍ଘ ନିରାମୟ ଜୀବନ କାମନା କରିଥାନ୍ତି । ଆଜି ବେଙ୍ଗଲି ପରିବାର ରେ ଏହାକୁ ‘ଭାଇ ଫୋଟା’ ଭାବରେ ପାଳନ କରାଯାଇଥାଏ ଭଉଣୀମାନେ ଭାଇ ମୁଣ୍ଡରେ ଟୀକା ଲଗାଇ ମିଷ୍ଟାନ୍ନ ଖୁଆଇ ଦେଇଥାନ୍ତି।

ଏହା ଯେ କେବଳ ମନୁଷ୍ୟ ସମାଜରେ ପାଳନ କରାଯାଏ ତାହା ନୁହେଁ ବରଂ ଆମ ଆରାଧ୍ୟ ଦେବତାଙ୍କ କ୍ଷେତ୍ରରେ ଏହି ପର୍ବ ଦେଖିବାକୁ ମିଳିଥାଏ। ଏକାମ୍ର କ୍ଷେତ୍ରର କ୍ଷେତ୍ରାଧିପତି ମହାପ୍ରଭୁ ଲିଙ୍ଗରାଜଙ୍କ ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଯମଦ୍ଵିତୀୟା ଯାତ୍ରା ଅନ୍ୟତମ ଅଟେ। କାର୍ତ୍ତିକ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ମହାପ୍ରଭୁ ଏହି ଦିନ ପ୍ରଭୁ ଯମେଶ୍ବର ଓ ଭଉଣୀ କାମାକ୍ଷୀଙ୍କୁ ଭେଟ ବିଜେ ହୋଇଥାନ୍ତି।

ଜମ୍ବେଶ୍ୱର ପାଟଣା ସାହିରେ ଶ୍ରୀଯମେଶ୍ବରଙ୍କ ଦେଉଳ ଅବସ୍ଥିତ। ମୃତ୍ୟୁ ଦେବତା ଯମଙ୍କ ଇଷ୍ଟ ହେତୁ ଏହି ମହାଦେବଙ୍କ ନାମ ଯମେଶ୍ବର। ଲିଙ୍ଗରାଜଙ୍କ ମୂଳଲିଙ୍ଗ ବିଗ୍ରହଠାରୁ ଯମେଶ୍ବରଙ୍କ ଲିଙ୍ଗବିଗ୍ରହ ଛୋଟ ହେଲେ ମଧ୍ୟ ସମାକୃତି ଦୃଶ୍ୟମାନ ହୋଇଥାନ୍ତି। ଲୋକାଚାରରେ ଶ୍ରୀ ଯମେଶ୍ବର ଲିଙ୍ଗରାଜଙ୍କ ଭିଣୋଈ ଭାବେ ପରିଚିତ। ଯମେଶ୍ବରଙ୍କ ଶକ୍ତି ସ୍ୱରୁପା ହେଉଛନ୍ତି ଦେବୀ କାମାକ୍ଷୀ। ଭାରତୀମଠ ଠାରେ ଦେବୀଙ୍କ ଆସ୍ଥାନ। ଦେବୀ ଚତୁର୍ଭୂଜା ଲଲିତାସନା। ହସ୍ତରେ ପାଶ ଅଙ୍କୁଶ ସହିତ ଅଭୟବର ମୁଦ୍ରାଧାରଣ କରିଅଛନ୍ତି। ଲୋକାଚାରରେ ଦେବୀ କାମାକ୍ଷୀ ଲିଙ୍ଗରାଜଙ୍କ ଭଉଣୀରୂପେ ପରିଚିତା। ଲିଙ୍ଗରାଜଙ୍କ ବିବାହ ପରେ ଚତୁର୍ଥୀ ଦିନ ହସ୍ତଗଣ୍ଠି ଖୋଲା ନୀତି ପାଈଁ ମଧ୍ୟ ଏହି ସ୍ଥାନକୁ ଆସିଥାନ୍ତି।

ଯମଦ୍ଵିତୀୟା ଦିନ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀଚନ୍ଦ୍ରଶେଖର, ଦେବୀ ପାର୍ବତୀ ଓ ଦେବୀ ଭୁବନେଶ୍ଵରୀ ଓ ବାସୁଦେବଙ୍କ ବିଜେ ପ୍ରତିମା ଯମେଶ୍ବର ମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି। ଦେବବିଗ୍ରହ ମାନେ ଯମେଶ୍ବର ଦେଉଳ ସମ୍ମୁଖ ମଣ୍ଡପ ଉପରେ ଥିବା ସିଂହାସନ ଉପରକୁ ବିଜେ ବିଜେ କଲାପରେ ଯମଦ୍ଵିତୀୟା ପୂଜାନୀତି ଅନୁଷ୍ଠିତ ହୋଇଥାଏ। ଏହାପରେ ଯମେଶ୍ବରଙ୍କ ଜଗମୋହନରେ ଭେଟ ଆଳତି ଅନୁଷ୍ଠିତ ହୋଇଥାଏ। ସେହିପରି ଭାରତୀମଠ ସ୍ଥିତ କାମାକ୍ଷୀ ମନ୍ଦିରରେ ଉଭୟଙ୍କ ସହ ଦେବୀ କାମାକ୍ଷୀଙ୍କ ଭେଟ ଆଳତି ଅନୁଷ୍ଠିତ ହୋଇଥାଏ। ଏହାପରେ ମହାପ୍ରଭୁ ଦେଉଳକୁ ଫେରି ଆସିଥାନ୍ତି ।

ସେହିପରି ଶ୍ରୀକ୍ଷେତ୍ରର ଜମେଶ୍ୱର ମନ୍ଦିରରେ ଯମଦ୍ୱିତୀୟା ପାଇଁ ସ୍ୱତନ୍ତ୍ର ପୂଜାନୀତି ଅନୁଷ୍ଠିତ ହୋଇଥାଏ। ଏଠାରେ ଏକ ମେଳା ଲାଗିଥାଏ। ସ୍ଥାନୀୟ ଜନସାଧାରଣଙ୍କ ସହିତ ବହୁ ବହିରାଗତ ଭକ୍ତ ମାନେ ଭଗବାନ ଜମେଶ୍ୱରଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥାନ୍ତି। ଆମ ସଂସ୍କୃତି ଓ ପରମ୍ପରାର ଏ ଅନନ୍ୟ ଉତ୍ସବ ଏକ ଏକତାର ପର୍ବ କହିଲେ କିଛି ଅତ୍ୟୁକ୍ତି ହେବନାହିଁ।

Comments are closed.