ନାଁ, ମୁଁ ଏବେ ବାହା ହେବି ନାହିଁ

ପାତ୍ରପୁର: ମୋତେ ଏବେ ୧୮ ବର୍ଷ ବୟସ ହୋଇନାହିଁ। ମୋତେ ଘରୁ ଯଦି ବାହାର କରିଦେବାର ଅଛି କରିଦିଅ। ମୁଁ ଆଇନର ଆଶ୍ରୟ ନେବି, କିନ୍ତୁ ଜୋରଜବରଦସ୍ତ ବିବାହ କରିବି ନାହିଁ… ଏମିତି କିଛି ଦମ୍ଭ ପ୍ରଦର୍ଶନ କରି ଏବେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ଵାରା ପୁରସ୍କୃତ ତଥା ପ୍ରଶଂସିତ ହୋଇଛନ୍ତି ପାତ୍ରପୁର ବ୍ଲକ୍ ତଣ୍ଡିପୁର ପଞ୍ଚାୟତ ଅଧୀନ ସାହସପୁର ଗ୍ରାମର ଝିଅ ପ୍ରୀତି ମହାନ୍ତି। ରାଜ୍ୟ ସରକାରଙ୍କ ନିର୍ଭୟ କଢ଼ି, ବାଲ୍ୟବିବାହ ନିରୋଧ କାର୍ଯ୍ୟକ୍ରମରୁ ପ୍ରେରଣା ପାଇ ଏହି ୧୭ ବର୍ଷୀୟା ନାବାଳିକାଜଣକ ନିଜର ବଳପୂର୍ବକ ବିବାହକୁ ବନ୍ଦ କରିବାରେ ତ ସକ୍ଷମ ହୋଇଛନ୍ତି, ଏଥିସହ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେଥିପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରୀତିଙ୍କୁ ପ୍ରଶଂସାପତ୍ର ଦେଇ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ ମଧ୍ୟ କରିଛନ୍ତି।

ପ୍ରୀତିଙ୍କ ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନୁହେଁ। ବାପା ଅନେକ ଦିନ ହେଲା କେଉଁଆଡ଼େ ଚାଲିଯାଇଥିବା ବେଳେ ଘରେ ମାଆ, ଅଜା ଓ ଆଈ ରୁହନ୍ତି। ଉଚ୍ଚଶିକ୍ଷା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରୋତ୍ସାହନମୂଳକ ଯୋଜନା ବଳରେ ସେ ଯୁକ୍ତ ଦୁଇ ବିଜ୍ଞାନ ଶିକ୍ଷା ସାରିବାରେ ସକ୍ଷମ ହୋଇଥିଲେ ହେଁ ଅଧିକ ପଢ଼ିବା ତାଙ୍କ ପକ୍ଷେ ସମ୍ଭବପର ହୋଇନାହିଁ। ହେଲେ ଶିକ୍ଷା କାରଣରୁ ବେଶ୍ ସଚେତନ ହୋଇପାରିଛନ୍ତି ପ୍ରୀତି। ତେଣେ ଘରର ବୟୋବୃଦ୍ଧଙ୍କ ଚିନ୍ତା ବିବାହ ସାରିଦେଲେ ଝିଅର ବୋଝ ମୁଣ୍ଡ ଉପରୁ ତୁଟିବ। ତେଣୁ ସେମାନେ ପ୍ରୀତିଙ୍କ ଇଚ୍ଛା ବିରୋଧରେ ବଳପୂର୍ବକ ତାଙ୍କ ବିବାହ ସ୍ଥିର କରି ଦେଇଥିଲେ। ଏଥିରେ ରାଜି ନଥିବା ପ୍ରୀତି ଏହି ବେଆଇନ କାର୍ଯ୍ୟକୁ ଟାଳିବା ପାଇଁ ଗାଁ ଅଙ୍ଗନବାଡ଼ି କର୍ମୀଙ୍କ ଦ୍ଵାରସ୍ଥ ହୋଇଥିଲେ। ବାଲ୍ୟବିବାହମୁକ୍ତ ଘୋଷିତ ସାହସପୁର ଗାଁର ଅଙ୍ଗନବାଡ଼ି କର୍ମୀ ସୁଜାତା ଶୁଭଦର୍ଶିନୀ, ଗାଁର କିଛି ବିଶିଷ୍ଟ ଲୋକ, ପାତ୍ରପୁର ସିଡିପିଓ ପ୍ରମୁଖ ପ୍ରୀତିଙ୍କ ମାଆ, ଅଜା ଓ ଆଈଙ୍କୁ ବୁଝାସୁଝା କରିଥିଲେ ହେଁ ସୁଫଳ ମିଳି ନଥିଲା। ଅଙ୍ଗନବାଡ଼ି କେନ୍ଦ୍ରରେ ନିର୍ଭୟ କଢ଼ି ଓ ବାଲ୍ୟବିବାହ ନିରୋଧ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଆସୁଥିବା ପ୍ରୀତି ମନା କରିବା ସତ୍ତ୍ବେ ଘର ଲୋକ ଶୁଣି ନଥିଲେ। ଏପରିକି ସେମାନେ ପ୍ରୀତିକୁ ଘରୁ ବିଦା କରିଦେବେ ବୋଲି ଚେତାଇ ଦେଇଥିଲେ।

ତେବେ ପ୍ରୀତି ଏଥିରେ ଦବି ନଯାଇ ସାହାସ ଦେଖାଇ ରୋକଠୋକ୍ କହିଥିଲେ ଯେ- ମୋତେ ଘରୁ ବାହାର କରିଦିଅ, ମୋର ଦୁଃଖ ନାହିଁ। କିନ୍ତୁ ବିବାହ ପାଇଁ ଜିଦ୍ କଲେ ଆଇନର ଆଶ୍ରୟ ନେବି। ୧୮ ବର୍ଷ ପୂର୍ବରୁ ବଳପୂର୍ବକ ବାହାଘର କରିବି ନାହିଁ। ଶେଷରେ ପରିବାର ଲୋକ ପ୍ରୀତିଙ୍କ ଦମ୍ଭ ଆଗରେ ମୁଣ୍ଡ ନୁଆଁଇଛନ୍ତି। ବର୍ତ୍ତମାନ ପ୍ରୀତିଙ୍କ ବିବାହ ସ୍ଥଗିତ ରହିଛି। ପ୍ରୀତିଙ୍କୁ ତାଙ୍କ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ଅଭିନନ୍ଦନ ଜଣାଯାଉଛି। ରାଜ୍ୟ ସରକାରଙ୍କ ନାରୀ ସଶକ୍ତୀକରଣ ସମ୍ବନ୍ଧୀୟ ବିଭିନ୍ନ ଯୋଜନାର ସଫଳତାର ଆଉ ଏକ ଉଦାହରଣ ସାଜିଛି ପ୍ରୀତି ମହାନ୍ତିଙ୍କ କାହାଣୀ।

Comments are closed.