ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ଡିଆଇଜିଙ୍କ ସାମ୍ବାଦିକ ସମ୍ମିଳନୀ

ତଦନ୍ତରେ ଆଦୌ ଅବହେଳା ହୋଇନି

ପୁଲିସ ସମସ୍ତ ପ୍ରମାଣ ଯୋଗାଡ କରିବାରେ ସଫଳ ହୋଇଛି

ସମ୍ବଲପୁର : ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ପୁଲିସ ତାର କର୍ତ୍ତବ୍ୟ ସଂପାଦନ କରିବାରେ କୌଣସି ହେଳା କରିନାହିଁ । ତଦନ୍ତରେ ସଂପୂର୍ଣ ସ୍ଵଚ୍ଛତା ଅବଲମ୍ବନ କରାଯାଇଛି । ଆଉ ପୁଲିସର ତଦନ୍ତ ନେଇ ଉଠିଥିବା ସମସ୍ତ ଅଭିଯୋଗ ନିରାଧାର ବୋଲି ଆଜି ସମ୍ବଲପୁରରେ ଡିଆଇଜି ଡ . ଦୀପକ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଡ . କୁମାର କହିଛନ୍ତି ଯେ , ମମିତା ହତ୍ୟାକାଣ୍ଡ ଘଟଣାରେ ପୁଲିସ ଏତଲା ରଖିନଥିବା ଅଭିଯୋଗ ଭିତ୍ତିହୀନ । ପୁଲିସ ତୁରନ୍ତ ଏତଲା ରଖିବା ସହିତ ଏତଲାକାରୀଙ୍କୁ ଏହାର କପି ବି ନିର୍ଧାରିତ ସମୟରେ ପ୍ରଦାନ କରିଛି । ଏହା ପୁଲିସ ବିଭାଗର ସରକାରୀ ପୋର୍ଟାଲ୍ ସିସିଟିଏନଏସରେ ମଧ୍ୟ ସୁପ୍ରିମକୋର୍ଟଙ୍କ ନିୟମ ଅନୁଯାୟୀ ୨୪ ଘଣ୍ଟା ମଧ୍ୟରେ ଅପଲୋଡ ହୋଇଛି । ଆଉ ଏହାକୁ ସର୍ବସାଧାରଣ ଯେତେବେଳେ ଚାହିଁବେ ଦେଖିପାରିବେ । ଏଫଆଇଆରରେ କୌଣସି ପ୍ରକାର ହେରଫେରର ସାମାନ୍ୟତମ ବି ସୁଯୋଗ ନାହିଁ ବୋଲି ଡ . କୁମାର ସ୍ପଷ୍ଟ କରିଛନ୍ତି । ସେହିପରି ଅକ୍ଟୋବର ୧୩ ତାରିଖରେ ଏଫ୍‌ଆଇଆର ପଞ୍ଜିକୃତ ହୋଇ ସେହିଦିନ ହିଁ କୋର୍ଟକୁ ପଠାଯାଇଥିଲା । ହେଲେ ଦଶହରା ଛୁଟି ପାଇଁ ୧୬ ତାରିଖରେ ଏହା ମାଜିଷ୍ଟ୍ରେଟ୍‌ଙ୍କ ଠାରେ ଦାଖଲ ହୋଇଥିଲା । ତେଣୁ , ଏହି କ୍ଷେତ୍ରରେ ମଧ୍ୟ ଆଦୌ ଅବହେଳା ପ୍ରଦର୍ଶନ କରାଯାଇନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ସେହିପରି ତଦନ୍ତରେ କୌଣସି ଅବହେଳା ହୋଇନଥିବା ନେଇ ସେ ପ୍ରକାଶ କରିଛନ୍ତି । ଧାରା ୧୬୪ ସିଆର୍‌ପିସିରେ ଶହେରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସମସ୍ତ ତଥ୍ୟ ପ୍ରମାଣ ଯୋଗାଡରେ ପୁଲିସ ସଫଳ ହୋଇଛି । ଆଉ ଏହି ସବୁ ପ୍ରମାଣ ସାକ୍ଷ୍ୟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ପର୍ଯ୍ୟାପ୍ତ ବୋଲି ଆମର ବିଶ୍ଵାସ ରହିଛି ବୋଲି ସେ କହିଛନ୍ତି । ଏହାଛଡା ପୁଲିସ ତାର ସମସ୍ତ ସାଧ୍ୟ ଲଗାଇ ସଂପୂର୍ଣ ସ୍ଵଚ୍ଛତାର ସହ ଏହାର ତଦନ୍ତ କରିଛି ବୋଲି ଡ . କୁମାର କହିଛନ୍ତି । ଆଉ ଅଭିଯୁକ୍ତର ସିନ୍ ରିକ୍ରିଏସନ୍‌କୁ ପୁଲିସର ନାଟକବାଜି ବୋଲି ହୋଇଥିବା ଅଭିଯୋଗକୁ ସେ ଖଣ୍ଡନ କରିବା ସହିତ ତଦନ୍ତକୁ ପ୍ରଫେସନାଲ୍ ଭାବେ କରାଯାଇଛି ବୋଲି ସେ ସ୍ପଷ୍ଟୀକରଣ ଦେଇଛନ୍ତି । ଏହାବାଦ୍ ଅଭିଯୁକ୍ତକୁ ତ୍ଵରିତ ଦଣ୍ଡ ଦେବା ଦିଗରେ ପୁଲିସ କୌଣସି ଅବହେଳା କରିନାହିଁ କି କରିବ ନାହିଁ ବୋଲି ସେ ରୋକଠୋକ୍‌ ଶୁଣାଇଛନ୍ତି ।

Comments are closed.