ନିତି ଆୟୋଗ ଦ୍ଵାରା ପରିଚାଳିତ ଜାତୀୟ ସ୍ତରୀୟ ୱେବିନାର୍

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ନିତି ଆୟୋଗର ସି.ଇ.ଓ. ଅମିତାଭ କାନ୍ତଙ୍କ ଦ୍ଵାରା ଏକ ଜାତୀୟ ସ୍ତରୀୟ ୱେବିନାର ‘ ସାଥ୍‌ ’ ପ୍ରକଳ୍ପ ଶିକ୍ଷା ପରିଚାଳନା କରାଯାଇଛି । ଉକ୍ତ ୱେବିନାର୍‌ରେ ଉଭୟ ବିସିଜି ଏବଂ ପିରାମଲ ଫାଉଣ୍ଡେସନ ସେମାନଙ୍କର ସହଯୋଗ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ‘ ସାଥ୍ ’ ପରିଚାଳିତ ତିନୋଟି ରାଜ୍ୟ ଯଥା ଓଡ଼ିଶା , ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡ ରାଜ୍ୟର ଶିକ୍ଷାମନ୍ତ୍ରୀମାନଙ୍କ ସହ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ , ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ଦେଶର ବିଶିଷ୍ଟ ଶିକ୍ଷାବିତ୍‌ମାନେ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଲେ ଯେ , ଗୁଣାତ୍ମକ ଶିକ୍ଷା ଅଧିକାର ଉପରେ ଆମେ ଦୃଢ଼ତାର ସହିତ ବିଶ୍ଵାସ ରଖି ଆସୁଅଛୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମଗ୍ର ବିଦ୍ୟାଳୟଗୁଡ଼ିକର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଗୁରୁତ୍ଵ ଦେଇ ଆସୁଛନ୍ତି । ‘ ସାଥ୍’ର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ନିୟମିତ ରୂପାନ୍ତରୀଣ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ଶିକ୍ଷା ମୂଳଦୁଆକୁ ସୁଦୃଢ଼ କରିପାରିଛି । ଏହିଅବସରରେ , ‘ ‘ ସିଷ୍ଟମିକ୍ ଟ୍ରାନ୍ସଫରମେସନ୍ ଅଫ୍ ସ୍କୁଲ ଏଜୁକେସନ୍ ~ ଦି ସାଥ୍ –ଇ ଏକ୍ସପେରିଏନ୍ସ ’ ’ ରିପୋର୍ଟ ମନ୍ତ୍ରୀ ଦାଶ ଉନ୍ମୋଚନ କରିଥିଲେ । ଭର୍ଚୁଆଲ ମୋଡ୍‌ରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଯୋଗ ଦେଇଥିଲେ ।

ରାଜ୍ୟ ସରକାର ସମ୍ପ୍ରତି କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଅନେକ ଲକ୍ଷ୍ୟ ରଖିଛନ୍ତି , ଯାହାକି ଏହି ‘ ସାଥ୍ ’ ପ୍ରକଳ୍ପ ମାଧ୍ୟମରେ କାର୍ଯ୍ୟକାରୀ କରାଯିବ । ଯଥା ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ବନ୍ଧୀୟ ପାଠ୍ୟକ୍ରମକୁ ଉନ୍ନତିକରଣ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଫ୍ଏଲ୍‌ଏନ୍ , ଏଲ୍‌ଇପି ଏବଂ ବୋର୍ଡ ଅଫ୍ ଏକ୍ସିଲେନ୍ସି ଯାହାକି ବିଭିନ୍ନ ଅନୁଷ୍ଠାନର ମିଳିତ ସହଯୋଗରେ ଆଗକୁ ହେବାର ଅଛି । ଏହି ପରିପ୍ରେକ୍ଷୀରେ ସରକାର ନିରନ୍ତର ତଦାରଖ ଏବଂ ଉନ୍ନତ ଶାସନତନ୍ତ୍ର ପ୍ରଣୟନ କରାଯାଇଛି , ଯାହା ଦ୍ଵାରା କି ଯୋଜନାଗୁଡିକର ସଠିକ୍ ତଦାରଖ କରିବା ସହ ଉଚିତ୍ ପ୍ରୋତ୍ସାହନ ପ୍ରଦାନ କରାଯାଇ ପାରିବ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା , ଓସେପାର ଅତିରିକ୍ତ ନିର୍ଦ୍ଦେଶକ ରଜନୀ ଜାନୀ , ଯୁଗ୍ମ ନିର୍ଦ୍ଦେଶକ ବିଶ୍ଵନାଥ ତରାଇ , ସହ ନିର୍ଦ୍ଦେଶକ ଦୀପକ ରାୟଙ୍କ ସମେତ ବିସିଜି ଏବଂ ପିରାମଲ ଫାଉଣ୍ଡେସନର କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ ।

Comments are closed.