ସ୍ମାର୍ଟ ହେଲା ଗୋପାଳପୁର ନିର୍ବାଚନମଣ୍ଡଳୀର ୧୨ ସରକାରୀ ହାଇସ୍କୁଲ: ଛାତ୍ରଛାତ୍ରୀଙ୍କୁ ମିଳିଲା ଉନ୍ନତ ଭିତ୍ତିଭୂମି

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଯେ- ଆଗାମୀ ପିଢ଼ିଙ୍କୁ ଏବେଠାରୁ ସ୍ମାର୍ଟ, ଦକ୍ଷ ଓ ଯୋଗ୍ୟ କରି ଗଢ଼ି ତୋଳିବାକୁ ହେବ। ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ କୌଣସି ବ୍ୟୟବହୁଳ ଘରୋଇ କିମ୍ବା ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପିଲାଙ୍କ ଠାରୁ କୌଣସି ଗୁଣରେ କମ୍ ରହିବେ ନାହିଁ। ସେଥିପାଇଁ ସେ ସାରା ରାଜ୍ୟରେ ସରକାରୀ ଉଚ୍ଚବିଦ୍ୟାଳୟର ରୂପାନ୍ତରଣ କରିବାରେ ଲାଗିଛନ୍ତି। ସେହିକ୍ରମରେ ଶିଶୁ ଦିବସ ପରେ ପରେ ସେ ଗୋପାଳପୁର ନିର୍ବାଚନମଣ୍ଡଳୀର ୧୨ଟି ସରକାରୀ ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ପ୍ରକଳ୍ପକୁ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପିତ କରିଛନ୍ତି। ପିଲାଙ୍କୁ ଭେଟି ଦେଇଛନ୍ତି ସମସ୍ତ ଆଧୁନିକ ତଥା ଉନ୍ନତ ସୁବିଧା ସୁଯୋଗ ଥିବା ସ୍ମାର୍ଟ ସ୍କୁଲ କ୍ୟାମ୍ପସ୍। ସ୍ମାର୍ଟ କ୍ଲାସ୍ ରୁମ୍ ଯେଉଁଠି ରହିଛି ଅଡିଓ- ଭିଜୁଆଲ ମାଧ୍ୟମରେ ଶିକ୍ଷାଦାନ ସୁବିଧା ସାଙ୍ଗକୁ ଉନ୍ନତ ଓ ଆରାମଦାୟକ ଚେୟାର୍ ଟେବୁଲ, ଆଲୋକ ଓ ପବନର ଉତ୍ତମ ବ୍ୟବସ୍ଥା, କଳା ପଟା ବଦଳରେ ମଡର୍ଣ୍ଣ ଟିଟିଂ ବୋର୍ଡ ଆଦି ସୁବିଧା। ପୁଣି ଇଣ୍ଟର୍‌ନେଟ୍ ସଂଯୋଗ ଥିବା ଇ-ଲାଇବ୍ରେରୀ ଯେଉଁଠି ସାମାନ୍ୟ ପୁସ୍ତକ ସହ ଛାତ୍ରଛାତ୍ରୀ କମ୍ପ୍ୟୁଟର ଅପରେଟ୍ କରି ଅନ୍‌ଲାଇନ୍‌ରୁ ବହୁତ କିଛି ଜ୍ଞାନ ଆହରଣ କରିପାରିବେ। ମଡର୍ଣ୍ଣ ସାଇନ୍ସ ଲ୍ୟାବ୍ ଯେଉଁଠି ଆଗାମୀ ଦିନର ବୈଜ୍ଞାନିକମାନେ ପରୀକ୍ଷା ନିରୀକ୍ଷା କରିପାରିବେ, କେବଳ ଶୁଣି ନୁହେଁ ବରଂ ନିଜେ ବିଜ୍ଞାନ ପରୀକ୍ଷଣ କରି ବାସ୍ତବ ଜ୍ଞାନ ଆହରଣ କରିବେ। ଉନ୍ନତ ଶୌଚାଳୟ, ସ୍ବଚ୍ଛ ପାନୀୟ ଜଳ ଯୋଗାଣ, ଖେଳ ପଡ଼ିଆ ଯେଉଁଠି ସେମାନଙ୍କ ଶାରୀରିକ ବିକାଶ ଘଟିପାରିବ, ପୁଣି ସ୍ୱଚ୍ଛ ଓ ସବୁଜିମା ଭରା ବିଦ୍ୟାଳୟ ପରିସର ଆଦି ପିଲାଙ୍କୁ ଏବେ ସରକାରୀ ବିଦ୍ୟାଳୟକୁ ଟାଣି ଆଣିବ ଓ ସ୍କୁଲରେ ମଧ୍ୟ ପାଠ ପଢ଼ିବାରେ ସେମାନଙ୍କ ମନରେ ଅଧିକ ଆଗ୍ରହ ସୃଷ୍ଟି କରିବ ତାହା ନିଃସନ୍ଦେହ।

ସମଗ୍ର ଜିଲ୍ଲାରେ ୮୩ଟି ହାଇସ୍କୁଲ ରୂପାନ୍ତରଣ ହୋଇଥିଲା ବେଳେ ସେଥିରୁ ୧୨ଟି ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳରେ ରହିଛି। ଏହି ୧୨ଟି ସ୍କୁଲ ମଧ୍ୟରୁ ୯ଟି ରଙ୍ଗେଇଲୁଣ୍ଡା ବ୍ଲକ୍‌ରେ ଥିବା ବେଳେ ୩ଟି ରହିଛି କୁକୁଡାଖଣ୍ଡି ବ୍ଲକ୍‌ରେ। ପୁଣି ସେଥିରେ ରହିଛି ୨ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)। ଅର୍ଥାତ ଇଂରାଜୀ ମାଧ୍ୟମ ହେଉ କିମ୍ବା ଓଡ଼ିଆ ମାଧ୍ୟମ, ଦେଖିବାକୁ ମିଳିଛି ଚକାଚକ ପରିବେଶ। ରଙ୍ଗେଇଲୁଣ୍ଡା ବ୍ଲକ୍ କରାପଲ୍ଲୀସ୍ଥିତ ଓଏଭି ଏବଂ କୁକୁଡ଼ାଖଣ୍ଡି ବ୍ଲକ୍ କୁସୁମୀସ୍ଥିତ ଓଏଭି। ରଙ୍ଗେଇଲୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ଗୋପାଳପୁର ପି.ଏମ୍.ହାଇସ୍କୁଲ, ବଡ଼କୁଶସ୍ଥଳୀ ହାଇସ୍କୁଲ, ଡୁରାସ୍ଥିତ ନ୍ୟାସନାଲ ହାଇସ୍କୁଲ, କନିଷି ଠାରେ ଥିବା ବାଲାଜୀ ବିଦ୍ୟାପୀଠ, ଗୋଳନ୍ଥରାସ୍ଥିତ ବିଶ୍ଵନାଥ ହାଇ ଆଣ୍ଡ୍ ଟେକ୍ନିକାଲ ହାଇସ୍କୁଲ, ଶାସନପଦରର ନୋଡାଲ ହାଇସ୍କୁଲ, ପଞ୍ଚମାସ୍ଥିତ ଅପ୍‌ଗ୍ରେଡେଡ୍‌ ହାଇସ୍କୁଲ।ସେହିପରି କୁକୁଡ଼ାଖଣ୍ଡି ବ୍ଲକ୍‌ର ହୁଗୁଳାପଟାରେ ଥିବା କୃଷକ ନୋଡାଲ୍ ହାଇସ୍କୁଲ, ନିମଖଣ୍ଡିର ଶ୍ରୀକ୍ରିଷ୍ଣା ହାଇସ୍କୁଲ ମଧ୍ୟ ରୂପାନ୍ତରଣ ଅଭିଯାନରେ ସାମିଲ ହୋଇଛି। ଦୁଇଟି ଓଏଭିକୁ ୩୦ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ମିଳିଛି। ଅନ୍ୟ ସବୁ ସ୍କୁଲକୁ ଓଏମ୍‌ସି ଫଣ୍ଡ୍‌ରୁ ୧୫ ଲକ୍ଷ, ମୋ ସ୍କୁଲ ମ୍ୟାଚିଂ ଗ୍ରାଣ୍ଟ୍ ୩୦ ଲକ୍ଷ ତଥା ମୋଟରେ ପ୍ରତି ସ୍କୁଲ ପିଛା ୪୫ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟବରାଦ କରାଯାଇ ଥିଲା। ଏଥିରୁ ଅନେକ ବହୁ ବର୍ଷ ପୁରାତନ ଶିକ୍ଷାନୁଷ୍ଠାନ ଥିବା ବେଳେ ଏବେ ସେମାନଙ୍କ ନବକଳେବର ହୋଇଛି। ବିଦ୍ୟାଳୟ ପରିସରର ରୂପ ବଦଳି ଯାଇଛି। ପିଲାଙ୍କ ମନରେ ପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ସବୁ ସାଧନ ଏବେ ଏହି ବିଦ୍ୟାଳୟମାନଙ୍କରେ ଭରି ରହିଛି।

ଯେଉଁ ଛାତ୍ରଛାତ୍ରୀମାନେ ପୂର୍ବରୁ ସରକାରୀ ବିଦ୍ୟାଳୟକୁ ଆସିବାକୁ ଅମଙ୍ଗ ହେଉଥିଲେ ସେମାନେ ଏବେ ହସ ଖୁସି ମନରେ ସ୍କୁଲକୁ ଆସିବା ନିମନ୍ତେ ଆଗଭର ହେବା ପରିଲକ୍ଷିତ ହେଉଛି। ହେବେନି ବା କାହିଁକି। ଏଭଳି କାୟାକଳ୍ପ ପରିବର୍ତ୍ତନ ଯେ ବିଦ୍ୟାଳୟ ଆନନ୍ଦ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣର ପୀଠ ପାଲଟିଛି। କରୋନା ସମୟରେ ସାରା ବିଶ୍ଵରେ ଆର୍ଥିକ ସ୍ଥିତାବସ୍ଥା ଦେଖାଦେଇଥିଲା। ନୂଆ ପ୍ରକଳ୍ପକୁ ତ ଆରମ୍ଭ କରିବା ସ୍ଥଗିତ ରଖାଯାଇଥିଲା, ଅନେକ ପୁରୁଣା ପ୍ରକଳ୍ପକୁ ମଧ୍ୟ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ କର୍ତ୍ତୃପକ୍ଷ। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାହାସିକ ପଦକ୍ଷେପ ଗ୍ରହଣ କରି କରୋନା କାଳରେ ମଧ୍ୟ ବିଦ୍ୟାଳୟର ରୂପରେଖ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ କରିଥିଲେ। ଏ ନେଇ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ମହଲରେ ମଧ୍ୟ ଆନନ୍ଦର ଲହରୀ ଦେଖିବାକୁ ମିଳିଛି। ଘରୋଇ ସ୍କୁଲରେ ବିପୁଳ ଅର୍ଥ ବିନିମୟରେ ଯେଉଁ ସବୁ ସୁବିଧା ଛାତ୍ରଛାତ୍ରୀମାନଙ୍କୁ ମିଳୁଥିଲା, ଠିକ୍ ସେହିପରି ସୁବିଧା ସୁଯୋଗ ନିଃଶୁଳ୍କ ଭାବେ ବ୍ୟବସ୍ଥା କରିଛନ୍ତି ନବୀନ ସରକାର। ଘରୋଇ ବିଦ୍ୟାଳୟ ତୁଳନାରେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଭଲ ପଢ଼ି ପରୀକ୍ଷାରେ ଭଲ ନମ୍ବର ରଖୁପାରିବେ। ଭବିଷ୍ୟତର ବୈଜ୍ଞାନିକ, ଡାକ୍ତର, ଇଞ୍ଜିନିୟର, ବୈଷୟିକ ବିଶେଷଜ୍ଞଙ୍କ ମୂଳଦୁଆ ଏଠି ପଡ଼ିବା ଆରମ୍ଭ ହୋଇଥିବା ଅଞ୍ଚଳର ଶିକ୍ଷାବିତ୍‌ମାନେ ମତବ୍ୟକ୍ତ କରୁଛନ୍ତି।

କେଲୁଆପଲ୍ଲୀ ଠାରେ ଉଦ୍‌ଘାଟନ ସମାରୋହରେ ରଙ୍ଗେଇଲୁଣ୍ଡା ବିଡିଓ ପ୍ରସନ୍ନ କୁମାର ପାତ୍ର, ବ୍ଲକ୍ ଅଧ୍ୟକ୍ଷା ଚିନି.ଉଷାରାଣୀ, ବିଇଓ ପ୍ରଭାତୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.