ସ୍ବଚ୍ଛ ସର୍ଭେ ୨୦୨୧: ୨୫ ହଜାର ଜନସଂଖ୍ୟା ନଗରରେ ହିଞ୍ଜିଳି ରାଜ୍ୟର ନଂ-୧

ହିଞ୍ଜିଳିକାଟୁ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀର ପ୍ରମୁଖ ସହର ହିଞ୍ଜିଳିକାଟୁ। ବର୍ତ୍ତମାନ ସମୟରେ ଗଞ୍ଜାମ ଜିଲ୍ଲାର ଏକମାତ୍ର ପୌରପାଳିକା। ଯେଉଁ ଅଞ୍ଚଳର ଜନପ୍ରତିନିଧି ରାଜ୍ୟର ସର୍ବମାନ୍ୟ ଓ ଅଦ୍ୱିତୀୟ ନେତା, ସେହି ନଗର ବା କେମିତି ପଛରେ ରହନ୍ତା। ନିକଟରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରକାଶିତ ଜାତୀୟ ସ୍ଵଚ୍ଛତା ସର୍ବେକ୍ଷଣ ୨୦୨୧ ସର୍ଭେ ରିପୋର୍ଟରେ ହିଞ୍ଜିଳି ରାଜ୍ୟରେ ଶୀର୍ଷ ସ୍ଥାନରେ ରହିଛି। ୨୫ ହଜାର ଜନସଂଖ୍ୟା ବିଶିଷ୍ଟ ସହରାଞ୍ଚଳ (ପୌରପାଳିକା) ବର୍ଗରେ ହିଞ୍ଜିଳି ଏହି ସ୍ବୀକୃତି ଲାଭ କରିଛି।

ଗୋଟିଏ ପଟେ ନଦୀ, ଗୋଟିଏ ପଟେ ପାହାଡ଼, ଅନ୍ୟ ପଟେ ଗ୍ରାମାଞ୍ଚଳ ତଥା ସବୁଜ କ୍ଷେତ, ବନାନୀ ପରିବେଷ୍ଟିତ ଏହି ମଧ୍ୟମ ବର୍ଗର ସହର ଏବେ ସ୍ୱଚ୍ଛତା ତଥା ପରିମଳ କ୍ଷେତ୍ରରେ ସମସାମୟିକ ଅନ୍ୟ ନଗର ପାଇଁ ଉଦାହରଣ ସୃଷ୍ଟି କରିଛି। କେବଳ ପ୍ରଶାସନର ଉଦ୍ୟମ ନୁହେଁ, ସେଥିରେ ସହରବାସୀଙ୍କ ସହଭାଗିତା ଓ ଅଞ୍ଚଳର ବ୍ୟବସାୟୀଙ୍କ ସହଯୋଗକୁ ମିଳିଛି କେନ୍ଦ୍ର ସରକାରଙ୍କ ସ୍ବୀକୃତି। ସହରକୁ ସ୍ଵଚ୍ଛ ଓ ସୁନ୍ଦର, ପରିମଳ ଦୃଷ୍ଟିରୁ ଅଗ୍ରଣୀ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ତଥା ହିଞ୍ଜିଳିକାଟୁ ପୌରପାଳିକା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇ ଥିଲା। ସହରର ମୁଖ୍ୟ ସ୍ଥାନରେ ସର୍ବସାଧାରଣ ଶୌଚାଳୟ ଓ ସାହି ବସ୍ତିରେ ଗୋଷ୍ଠୀ ଶୌଚାଳୟ ସ୍ଥାପନ କରାଯାଇଛି। ଫଳରେ ବାହ୍ୟ ମଳତ୍ୟାଗ ସମ୍ପୂର୍ଣ୍ଣ ବନ୍ଦ ହୋଇ ଏହି ମ୍ୟୁନିସିପାଲିଟି ହାସଲ କରିଛି ଓଡିଏଫ୍ ପ୍ଲସ୍ ପ୍ଲସ୍ ମାନ୍ୟତା। ଆର୍ବଜନା ସଂଗ୍ରହ ପାଇଁ ପୌର କର୍ତ୍ତୃପକ୍ଷ ପ୍ରତି ଘରକୁ ଡଷ୍ଟବିନ୍ ଯୋଗାଇ ଦେଇଛନ୍ତି। ଆଦର୍ଶ ପଦ୍ଧତି ଭାବେ ପ୍ରତ୍ୟହ ଘରକୁ ଘର ବୁଲି ମ୍ୟୁନିସିପାଲିଟି ଗାଡ଼ିରେ ଆବର୍ଜନାକୁ ପୃଥିକୀକରଣ ଉପାୟରେ ସଂଗ୍ରହ କରାଯାଉଛି। ଏହି ବର୍ଜ୍ୟବସ୍ତୁକୁ ଏମ୍‌ସିସି ଓ ଏମ୍ଆରଏଫ୍ କେନ୍ଦ୍ର ଦ୍ୱାରା ପ୍ରକ୍ରିୟାକରଣ କରାଯାଉଛି। ସେଥିରୁ ଜୈବିକ ଖତ ପ୍ରସ୍ତୁତି କରି ତାହାକୁ ବିକ୍ରି ଓ ବ୍ୟବହାର କରାଯାଉଛି। ରାତିରେ ସହରର ରାସ୍ତା ସଫେଇ ଭଳି ନିଆରା ପଦକ୍ଷେପ ମଧ୍ୟ ସଫଳ ହୋଇଛି।

ସହରର ଜନସାଧାରଣ ମଧ୍ୟ ସ୍ଵଚ୍ଛତା ଦୃଷ୍ଟିରୁ ସଚେତନ ହୋଇ ସ୍ଵଚ୍ଛତା ଅଭିଯାନରେ ନିଜକୁ ସ୍ବତଃପ୍ରବୃତ୍ତ ଭାବେ ସାମିଲ କରିଥିଲେ। ବ୍ୟବସାୟୀମାନେ ସେମାନଙ୍କ ପ୍ରତିଷ୍ଠାନର ୫ ମିଟର ଦୂର ପର୍ଯ୍ୟନ୍ତ ଅଞ୍ଚଳ ସଫା ରଖିବା ଉପରେ ଗୁରୁତ୍ଵ ଦେଇ ଆସୁଛନ୍ତି। ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ କଥା କୁହନ୍ତୁ କିମ୍ବା ସହରର ସାଧାରଣ ଜନତା ନିଜ ପୌରାଞ୍ଚଳକୁ କିଭଳି ସଫା ରଖିବେ ସେଥିପାଇଁ ସଜାଗ ହୋଇ କାର୍ଯ୍ୟ କରୁଥିବା ପରିଲକ୍ଷିତ ହେଉଛି। ପଲିଥନ୍ ବ୍ୟବହାରକୁ କଡ଼ାକଡ଼ି ବେଆଇନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ- ଓଡ଼ିଶାରେ ପ୍ରଥମ ସ୍ଥାନ ହାସଲ କରିଥିବା ହିଞ୍ଜିଳି ପୂର୍ବାଞ୍ଚଳ ରାଜ୍ୟମାନଙ୍କର ସମାନ ବର୍ଗର ନଗରଗୁଡିକ ମଧ୍ୟରେ ୯ମ ସ୍ଥାନ ପାଇଛି। ହିଞ୍ଜିଳି ହାସଲ କରିଛି ୩୪୧୪.୩୫ ପଏଣ୍ଟ୍। ସର୍ବଭାରତୀୟ ସ୍ତରରେ ଏହି ବର୍ଗର ସହରାଞ୍ଚଳ ମଧ୍ୟରେ ହିଞ୍ଜିଳି ହାସଲ କରିଛି ୧୧୦ତମ ସ୍ଥାନ। ଅନ୍ୟପକ୍ଷରେ ସର୍ଭେ ରିପୋର୍ଟରେ ସମସ୍ତ ସହର, ନଗର ଓ ମହାନଗର ପରି ସମୁଦାୟ ବର୍ଗରେ ସର୍ବଭାରତୀୟସ୍ତରରେ ହିଞ୍ଜିଳିକାଟୁ ସହରର ସ୍ଥାନ ୪୦୪ ରହିଛି। ସର୍ବଭାରତୀୟ ଓ ରାଜ୍ୟସ୍ତରରେ ହିଞ୍ଜିଳିକାଟୁ ମ୍ୟୁନିସପାଲିଟିର ଏହି କୃତିତ୍ଵ ପାଇଁ ହିଞ୍ଜିଳିକାଟୁ ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡା, ପୂର୍ବତନ ଅଧ୍ୟକ୍ଷ ଶିବରାମ ଗଉଡ଼, ଓକିଲ ସଂଘ ପୂର୍ବତନ ସଭାପତି ରାମଚନ୍ଦ୍ର ମହାପାତ୍ର, ବିଜେଡି ସଭାପତି ଭୀମସେନ ବେହେରା ପ୍ରମୁଖ ପୌର ପ୍ରଶାସନ, ସଫେଇ କର୍ମଚାରୀ ଓ ପୌରପାଳିକାର ସମସ୍ତଙ୍କୁ ପ୍ରଶଂସା କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ- ପରିମଳ ସାଙ୍ଗକୁ ସୌନ୍ଦର୍ଯ୍ୟକରଣ, ନାରୀ ସଶକ୍ତୀକରଣ, ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରିତାରେ ଏହି ପୌରପାଳିକା ଆଗଧାଡ଼ିରେ ରହି ଆସିଛି। ମହିଳାଙ୍କ ଦ୍ବାରା ପରିଚାଳିତ ବସ୍ତ୍ର କେନ୍ଦ୍ର ହେଉ ବା ଜାତୀୟସ୍ତରର ଇନ୍‌ଡୋର୍‌ ଷ୍ଟାଡିୟମ୍ ଓ ବସ୍ ଟର୍ମିନାଲ୍ ଆଦି ଏହି ପୌରାଞ୍ଚଳରେ ବିକାଶର ଧାରା କିଭଳି ତ୍ବରାନ୍ବିତ ହୋଇଛି ତାହା ଦର୍ଶାଇଥାଏ।

Comments are closed.