କୁନି ଭାଇଭଉଣୀଙ୍କ ଦାବି ରଖିଲେ ମୁଖ୍ୟମନ୍ତ୍ରୀ,  ନହୁରାଣୀ ନାଳରେ ନିର୍ମାଣ ହେଲା ପୋଲ

ନାକଟିଦେଉଲ - ଛେଣ୍ଡିପଦାକୁ ଫିଟିଲା ବାଟ

ସମ୍ବଲପୁର : ଅଞ୍ଚଳବାସୀଙ୍କ ଦୁଃଖକୁ ଦେଖି କୁନି ଭାଇ ଭଉଣୀ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ । ଆଉ ଉପାନ୍ତ ଇଲାକାରେ ଏକ ପୋଲ ନିର୍ମାଣ କରିବାକୁ କୁନି ଭାଇ ଭଉଣୀ ପତ୍ର ଲେଖିବା ଘଟଣା ଚର୍ଚ୍ଚାର ପରିସରକୁ ଆସିଥିଲା । ତେବେ , ମୁଖ୍ୟମନ୍ତ୍ରୀ ଇତିମଧ୍ୟରେ ଏହି ଦୁଇ ଶିଶୁଙ୍କ କଥାକୁ ରଖିଛନ୍ତି । ଆଉ ସମ୍ବଲପୁର ଜିଲ୍ଲାର ଉପାନ୍ତ ଇଲାକା ନାକଟିଦେଉଳରେ ଥିବା ନହୁରାଣୀ ନାଳାରେ ଏକ ପୋଲ ନିର୍ମାଣ କାମ ଇତିମଧ୍ୟରେ ଶେଷ ହୋଇଛି । ଫଳରେ ନାକଟିଦେଉଳରୁ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦାକୁ ଯାତାୟତ ସୁଗମ ହୋଇପାରିଛି । ଏହାକୁ ନେଇ ଅଞ୍ଚଳବାସୀ ଉଭୟ କୁନି ଭାଇ ଭଉଣୀଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କୁ ବି ସାଧୁବାଦ ଜଣାଇଛନ୍ତି ।

ସମ୍ବଲପୁର ଜିଲ୍ଲାର ଏକଦା ମାଓ ଉପଦ୍ରୁତ ଇଲାକା ଭାବେ ପରିଚିତ ନାକଟିଦେଉଳ ବ୍ଳକ୍ ଏବେ ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହେବାରେ ଲାଗିଛି । ଏହି ବ୍ଲକର କୁଡାନାଳୀ ଅଞ୍ଚଳବାସୀ ଜୀବନଜୀବିକା , ଶିକ୍ଷା , ସ୍ବାସ୍ଥ୍ୟ ଭଳି ମୌଳିକ ଆବଶ୍ୟକତା ପାଇଁ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଉପରେ ନିର୍ଭର କରିଥାନ୍ତି । ହେଲେ ଏହି ଅଞ୍ଚଳକୁ ଯିବାକୁ ହେଲେ ନହୁରାଣୀ ନାଳ ଅତିକ୍ରମ କରିବାକୁ ପଡିଥାଏ । ଫଳରେ ବର୍ଷାଦିନରେ ଉଭୟ ଅଞ୍ଚଳବାସୀଙ୍କ ଗମନାଗମନ ପାଇଁ ଏହି ନାଳ ସାଜିଥିଲା ମୁଖ୍ୟ ପ୍ରତିବନ୍ଧକ । ବର୍ଷାଦିନରେ ଏହି ନାଳରେ ଅତ୍ୟଧିକ ପାଣି ବୋହିଲେ ଲୋକଙ୍କ ପାଇଁ ଯାତାୟତ ବିଛିନ୍ନ ହୋଇପଡୁଥିଲା । ଏହି ଅବସ୍ଥାକୁ ଦେଖି ଛେଣ୍ଡିପଦା ବ୍ଲକ୍‌ର ଏକ ଶିଶୁମନ୍ଦିରେ ପାଠ ପଢ଼ୁଥିବା ଆୟୁଷ ଓ ଆଦ୍ୟାଶା ବର୍ଷା ଦିନରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ସମସ୍ୟା ସଂପର୍କରେ ଭାଇଭଉଣୀ ପ୍ରଥମେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ପରେ ଏହି ନାଳରେ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପତ୍ର ଆସିଥିଲା ଏବଂ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଥିଲା । ହେଲେ ସୀମା ବିବାଦ ଉପୁଜିବାରୁ ପ୍ରସ୍ତାବିତ ପୋଲ ନିର୍ମାଣରେ ବିଳମ୍ବ ହୋଇଥିଲା । ପରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଫଳରେ ଏହି ବିବାଦ ତୁଟିବା ସହିତ ଇତିମଧ୍ୟରେ ପୋଲ ନିର୍ମାଣ ଶେଷ ହୋଇଛି । ଆଉ ଉଭୟ ଜିଲ୍ଲା ମଧ୍ୟରେ ଯାତାୟତ ସୁଗମ ହୋଇଛି । ସେପଟେ ଏହି ପୋଲ ନିର୍ମାଣକୁ ନେଇ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ବର୍ତ୍ତମାନ ଏହାର ଆନୁଷ୍ଠାନିକ ଉଦଘାଟନକୁ ଅପେକ୍ଷା ରହିଛି । ସେପଟେ , ଦୀର୍ଘ ବର୍ଷର ସଂଘର୍ଷ ପରେ ସଫଳତା ମିଳିଥିବାରୁ ଉଭୟ ଭାଇ ଭଉଣୀ ବର୍ତ୍ତମାନ ବହୁତ୍ ଖୁସି ଥିବା କହିଛନ୍ତି ।

Comments are closed.