ଆଜି ଶ୍ରୀମନ୍ଦିରରେ “ଓଢଣ ବା ପ୍ରାବରଣୋ” ଉତ୍ସବ

ମାର୍ଗଶିର ଶୁକ୍ଳ ଷଷ୍ଠୀ ତିଥିରେ ଶ୍ରୀମନ୍ଦିରରେ “ଓଢଣ- ବା ପ୍ରାବରଣୋ ଷଷ୍ଠୀ” ଅବସରରେ ଦେବ-ଦେବୀଙ୍କ ଘୋଡ଼ଲାଗି ଉତ୍ସବ(ଶୀତ ବସ୍ତ୍ର- ଲାଗି) ସକାଳ ଧୂପପରେ ଅନୁଷ୍ଟିତ ହେବ। ଶ୍ରୀଜଗନ୍ନାଥ ମହାପ୍ରଭୁ ଦାରୁବ୍ରହ୍ମ ରୂପରେ ଶ୍ରୀମନ୍ଦିରରେ ବିରାଜମାନ କରି ସାଧାରଣ ମନୁଷ୍ୟ ପରି ମାନବୀୟ ଲୀଳା ଆଚରଣ କରୁଛନ୍ତି । ଗ୍ରୀଷ୍ମ କାଳରେ ଶୀତଳ ଉପଚାର ନିମନ୍ତେ ତାଙ୍କର ଅନୁଷ୍ଠିତ ହୋଇଥାଏ ଚନ୍ଦନଯାତ୍ରା। ସେହିପରି ଜ୍ୟେଷ୍ଠ ପୂର୍ଣ୍ଣିମାରେ ଅତିଶୟ ସ୍ନାନକରିବା ଫଳରେ ତାଙ୍କୁ ଜ୍ୱର ସ୍ପର୍ଶ କରିଥାଏ।ସେଥିପାଇଁ ଦଶମୂଳ ଔଷଧି ଖାଇ ଆରୋଗ୍ୟତା ଲାଭ କରିଥାନ୍ତି। ରସମୟ ବସନ୍ତ କାଳରେ ମଦନ ଉତ୍ସଵ କରିବା,ପତ୍ନୀଙ୍କ ସହ କଉଡ଼ି ଖେଳରେ ହାରି ବନ୍ଧା ପଡିବା,ପିତୃପୁରୁଷଙ୍କ ଉଦେଶ୍ୟରେ ଶ୍ରାଦ୍ଧ ଦେବା, ଋତୁ ଅନୁକୂଳ ବେଶ ଧାରଣ କରିବା ପ୍ରଭୃତି ,ମହାପ୍ରଭୁଙ୍କର ମାନବୀୟ ଲୀଳାର ଗୋଟିଏ ଗୋଟିଏ ନିଦର୍ଶନ ଲୀଳା ମାତ୍ର। ସେହିପରି ମହାପ୍ରଭୁଙ୍କର ଅନ୍ୟ ଏକ ମାନବୀୟ ଲୀଳା ହେଉଛି ଶୀତ ଋତୁରେ ଶୀତ ଦାଉରୁ ରକ୍ଷା ପାଇବା ନିମନ୍ତେ ଶୀତବସ୍ତ୍ର ପରିଧାନ କରିବା। ମହାପ୍ରଭୁଙ୍କର ଏହି ଲୀଳା “ପ୍ରାବରଣୋ ଯାତ୍ରା” ନାମରେ ବିଦିତ ।

ଏହି ପ୍ରାବରଣୋ ଉତ୍ସବ ବା ଓଢଣ ଷଷ୍ଠୀ ମାର୍ଗଶିର ଶୁକ୍ଳଷଷ୍ଠୀ ତିଥିରେ ପାଳିତ ହୋଇଥାଏ।ଓଢଣ ଷଷ୍ଠୀ ପୂର୍ବଦିନ ଏହାର ଅଧିବାସ ବିଧି ଅର୍ଥାତ କୁରାଳ ପଞ୍ଚମୀ ତିଥିରେ ଅନୁଷ୍ଠିତ ହୋଇଥାଏ। ଓଢଣଷଷ୍ଠୀ ଦିନ ଶ୍ରୀଜୀଉଙ୍କ ସକାଳଧୂପ ଶେଷ ହୋଇ,ପ୍ରସାଦ ବାହାରି ପାଣି ପଡ଼ିଲାପରେ,ମହାପ୍ରଭୁଙ୍କ ମଇଲମ ହୋଇଥାଏ | ଏହାପରେ ଗତ ଦିନରୁ ଭୋଗମଣ୍ଡପ ଘରେ ଅଧିବାସ ହୋଇ ରହିଥିବା ଘୋଡ଼ ବା ଚାଦର ମାନଙ୍କୁ ଘଣ୍ଟ, ଛତା, କାହାଳି ସହ ପଟୁଆରରେ ବଡଦେଉଳକୁ ତିନିବେଢ଼ା ପ୍ରଦକ୍ଷିଣ କରା ଯାଇଥାଏ। ଏହାକୁ ଘୋଡ଼ବେଢ଼ା କୁହାଯାଏ। ଏହି ଘୋଡ଼ବେଢ଼ା ଶେଷହେବା ପରେ ଏହାକୁ ରତ୍ନସିଂହାସନକୁ ବିଜେ କରାଯାଏ | ଏହି ଘୋଡ ଦ୍ୱାରା ଶ୍ରୀଜୀଉ ମାନଙ୍କ ପାଗ ଓ ଘୋଡଲାଗି ବେଶ ଶେଷ ହୋଇ ୬ମୂର୍ତି ଅଳଙ୍କାର ଲାଗି ହବାର ବିଧାନ ରହିଛି | ବେଶ ବଢିବା ପରେ ମହାପ୍ରଭୁଙ୍କ ପ୍ରସାଦ ଲାଗିହୋଇ ତିନି ବାଡ଼ରେ ବନ୍ଦାପନା ନୀତି ସମ୍ପର୍ଣ୍ଣ ହେବ। ଏହି ବିଶେଷ ନୀତି ପରେ ମଧ୍ୟାନ ଧୂପ ବଢିବ। ଏହାପରେ ମହାପ୍ରଭୁଙ୍କ ପରବର୍ତ୍ତୀ ନୀତିମାନ ଅନୁଷ୍ଠିତ ହୋଇ ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ, ପରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ଅନୁଷ୍ଠିତ ହେବ ।

Comments are closed.