ଦରଦାମ ବୃଦ୍ଧି ନେଇ କେନ୍ଦ୍ର ବିରୁଦ୍ଧରେ ଛାତ୍ର ଓ ଯୁବ ବିଜେଡିର ବିଶାଳ ପ୍ରଦର୍ଶନ

ଭୁବନେଶ୍ୱର: ଇନ୍ଧନ ମୂଲ୍ୟ ବୃଦ୍ଧି , ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ବେକାରୀ ସଂଖ୍ୟା ବୃଦ୍ଧିକୁ ବିରୋଧ କରି ବିଜେଡିର ଛାମୁଆ ସଂଗଠନଗୁଡିକ ଆଜି ରାଜଧାନୀରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବଡ ଧରଣର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ସରକାରଙ୍କ ଦରଦାମ ବୃଦ୍ଧି ଯୋଗୁଁ ଗରିବ ଓଡିଶାର ଲୋକେ କିଭଳି କଲବଲ ହେଉଛନ୍ତି ଛାତ୍ର ଓ ଯୁବ ବିଜେଡି ସମେତ ଦଳର ଅନ୍ୟ ଶାଖାର କର୍ମକର୍ତ୍ତାମାନେ ତାହା ଗୋଟି ଗୋଟି କରି ବଖାଣିଛନ୍ତି ।

ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ , ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ , ଯୁବ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ ଏବଂ ଛାତ୍ର ବିଜେଡି ସଭାପତି ଦେବୀ ରଂଜନ ତ୍ରିପାଠୀଙ୍କ ନେତୃତ୍ବରେ ବିଜେଡିର ଏକ ବିଶାଳ ବାଇକ ରାଲି ଦଳୀୟ କାର୍ଯ୍ୟାଳୟରୁ ବାହାରିଥିଲା । ଏହା ସହିତ ହଜାର ହଜାର କର୍ମକର୍ତ୍ତା ପଦଯାତ୍ରାରେ ବାହାରିଥିଲେ । ଏହି ବିଶାଳ ପ୍ରତିବାଦ ରାଲି ଦଳୀୟ କାର୍ଯ୍ୟାଳୟରୁ ବାହାରି ରାଜଭବନ ଓ ପାଓ୍ବାରହାଉସ ଦେଇ ପ୍ରଦର୍ଶନ ସ୍ଥଳରେ ପହଞ୍ଚିଥିଲେ । ଏହି ପଦଯାତ୍ରାରେ ଦଳର କାର୍ଯ୍ୟକର୍ତ୍ତାମାନେ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ମାନ ଦେଇଥିଲେ ।

କେନ୍ଦ୍ର ସରକାର ଅନେକ ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କ ପ୍ରତି ବିଶ୍ଵାସଘାତକତା କରିଛନ୍ତି ଇନ୍ଧନ ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି ଯୁବକମାନଙ୍କ ମଧ୍ୟରେ ବେକାରୀ ବୃଦ୍ଧି ସାଧାରଣ ଲୋକଙ୍କ ଦୁଃଖକୁ ଆହୁରି ବଢ଼ାଇ ଦେଇଛି ବୋଲି ବିଜେଡି ବିଧାୟିକା ସ୍ନେହାଙ୍ଗିନି ଛୁରିଆ କହିଛନ୍ତି । କେନ୍ଦ୍ର ସରକାର ଇନ୍ଧନ ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ହ୍ରାସ କରିବା ଉଚିତ । ନଚେତ ଆଗାମୀ ଦିନରେ ବିଜେଡି ବିରୋଧ ପ୍ରଦର୍ଶନକୁ ଆହୁରି ଜୋରଦାର କରିବ ବୋଲି ସେ ଚେତାବନୀ ଦେଇଛନ୍ତି ।

Comments are closed.