କୋଟି ଲିଙ୍ଗେଶ୍ୱର ପ୍ରଭୁ କେଦାରେଶ୍ୱର ମନ୍ଦିର

ଏକାମ୍ର କ୍ଷେତ୍ରରେ ଥିବା କେଦାରେଶ୍ୱର ମନ୍ଦିର ହେଉଛି ଅଷ୍ଟଶମ୍ଭୁ ମନ୍ଦିର ଭିତରୁ ଅନ୍ୟତମ । ଭୁବନେଶ୍ୱରରେ ସ୍ଥିତ ମୁକ୍ତେଶ୍ୱର ମନ୍ଦିର ନିକଟରେ ଏହା ଅବସ୍ଥିତ । ଏହି ମନ୍ଦିରରେ ଭଗବାନ ଶିବଙ୍କୁ ପୁଜାର୍ଚ୍ଚନା କରାଯାଇଥାଏ।ଯାହାଙ୍କୁ କେଦାରେଶ୍ୱର ନାମରେ ସମସ୍ତେ ଜାଣନ୍ତି । ଏହା ଭୁବନେଶ୍ୱରରୁ ପୁରୀ ଯିବା ପୁରୁଣା ରାସ୍ତାର ଡାହାଣ ପଟେ କେଦାରଗୌରୀ ମନ୍ଦିର ପରିସରରେ ମୁକ୍ତେଶ୍ୱର ମନ୍ଦିରର ୪୦ ମିଟର ଦକ୍ଷିଣରେ ଅବସ୍ଥିତ । ଏହି ପରିସରରେ ଥିବା ଦଶଟି ସ୍ମାରକ ମଧ୍ୟରୁ ଏହା ଅନ୍ୟତମ । ଏହି ପରିସରର ଏହା ମୁଖ୍ୟ ମନ୍ଦିର ଅଟେ । ଏହି ମନ୍ଦିରଟି ଦକ୍ଷିଣ ଦିଗକୁ ମୁହଁ କରିଛି । ମନ୍ଦିରରେ ପ୍ରତିଷ୍ଠିତ ଦେବତା, ବାଲୁକା ଶିଳାରେ ନିର୍ମିତ ଏକ ବୃତ୍ତାକାର ଯୋନିପୀଠ । ଶିଳାଟିର କେନ୍ଦ୍ରରେ ଲିଙ୍ଗ ନାହିଁ । ଏହାଙ୍କୁ କୋଟି ଲିଙ୍ଗେଶ୍ୱର ବୋଲି ମଧ୍ୟ କୁହାଯାଏ। ପବିତ୍ର ସ୍ଥାନଟି ୨.୫ ବର୍ଗମିଟର ସ୍ଥାନରେ ପର୍ଯ୍ୟବେସିତ, ଯାହାକି ଭୂପୃଷ୍ଠରୁ ୦.୮ ମିଟର ତଳେ ଅବସ୍ଥିତ । ମୁକ୍ତେଶ୍ୱର ମନ୍ଦିରର ଅଗଣାରେ ଏହି ମନ୍ଦିର ପ୍ରତିଷ୍ଠିତ ।

କିମ୍ବଦନ୍ତୀ କୁହେ ବହୁକାଳ ପୂର୍ବେ କେଦାର (ପୁରୁଷ) ଏବଂ ଗୌରୀ (ମହିଳା) ନାମକ ଦୁଇ ମନୁଷ୍ୟ ବାସ କରୁଥିଲେ । ଦୁହେଁ ପରସ୍ପରକୁ ବହୁତ ଭଲପାଇ ବିବାହ କରିବାକୁ ନିଷ୍ପତି ନେଲେ । ସମାଜ ଏହାକୁ ବିରୋଧ କରିବାରୁ ଦୁହେଁ ତାଙ୍କର ଗ୍ରାମ ଛାଡ଼ି ଚାଲିଗଲେ । ଗ୍ରାମରୁ ବାହାରକୁ ଯିବାବେଳେ ଗୌରୀଙ୍କୁ ଭୋକ ଲାଗିଲା । କେଦାର ତାଙ୍କପାଇଁ ଖାଦ୍ୟ ଅନ୍ୱେଷଣରେ ଯାଇ- ଥିଲା ବେଳେ ଏକବାଘ ଆକ୍ରମଣର ଶିକାରହୋଇ ପ୍ରାଣ ହରାଇଲେ।ପରେ ଗୌରୀ ଏହି ଅଘଟଣ ବିଷୟରେ ଜାଣିପାରି ପୋଖରୀରେ ଡେଇଁ ଜୀବନ ତ୍ୟାଗ କଲେ । ତତ୍କାଳୀନ ଉତ୍କଳ ପ୍ରଦେଶର ରାଜା ଲଲାଟେନ୍ଦୁ କେଶରୀ ଏହି ବିଷୟରେ ଜ୍ଞାତ ହୋଇ କେଦାରେଶ୍ୱର ବା କେଦାରଗୌରୀ ମନ୍ଦିର ନିର୍ମାଣ କରିଥିଲେ । ବର୍ତ୍ତମାନ ସୁଦ୍ଧା ପ୍ରେମୀଯୁଗଳ ଭବିଷ୍ୟତର ବିପଦଆପଦରୁ ରକ୍ଷା କରିବାକୁ ଏଠାକୁ ଆସି ପ୍ରାର୍ଥନା କରିଥାନ୍ତି । ପୋଖରୀଟିରେ କିଛି ଔଷଧୀୟ ଗୁଣ ରହିଥିବାର କୁହାଯାଇଥାଏ ।

ମନ୍ଦିରଟିର ପଶ୍ଚିମ ପାର୍ଶ୍ୱରେ ୫୦୦ ମିଟର ଛାଡ଼ିକି ଦ୍ୱିତୀୟ କେଦାରେଶ୍ୱର ମନ୍ଦିର ଅବସ୍ଥିତ । ପୂର୍ବ ପାର୍ଶ୍ୱରେ ୦.୫୦ ମିଟର ଛାଡିକି କେଦାର କୁଣ୍ଡ, ଦକ୍ଷିଣ ପାର୍ଶ୍ୱରେ ୬ ମିଟର ଛାଡ଼ି ଗୌରୀ ମନ୍ଦିର ଏବଂ ପରିସରର କାନ୍ଥ ୨୦ ମିଟର ଉତ୍ତରରେ ଅବସ୍ଥିତ ।

ମନ୍ଦିରଟି ପଞ୍ଚରଥ ଶୈଳୀରେ ନିର୍ମିତ। ମନ୍ଦିରର ବିମାନ ଏବଂ ଜଗମୋହନ ୨୦.୪୦ ମିଟର ଲମ୍ବା ଏବଂ ୯.୬୦ ମିଟର ଚଉଡ଼ା ଓ ଗଣ୍ଠିଆଲ ୦.୬୦ ମିଟର । ବିମାନଟି ୯.୬୦ ବର୍ଗମିଟରର, ଜଗମୋହନଟି ୧୦.୮୦ ମିଟର ଲମ୍ବା ଏବଂ ୯.୬୦ ମିଟର ଚଉଡ଼ା । ଅଧିକ ଉଚ୍ଚତାରେ ବିମାନଟି ପଭାଗ ଏବଂ କଳସ ମଧ୍ୟରେ ଏକ ସରଳ ରେଖା ଭଳି ୧୩.୫୦ ମିଟର ଲମ୍ବର ଅବସ୍ଥାନ କରେ । ବାଡ଼ଟିର ପାଞ୍ଚ ଥର ବିଭକ୍ତିକରଣ ହୋଇ, ମନ୍ଦିରର ଏକ ପଞ୍ଚାଙ୍ଗ ବାଡ଼ ୫.୪୦ ମିଟରର ରହିଛି । ପଭାଗର ତଳେ ପାଞ୍ଚଟି ଆଧାରଯୁକ୍ତ ଢଳାଇ ରହିଛି: ଖୁର, କୁମ୍ଭ, ପଟ୍ଟା, କାନି ଏବଂ ବସନ୍ତ ଯାହା ୧.୨୪ ମିଟର ମାପର ଅଟେ । ତଳ ଜଙ୍ଘ ୧.୧୮ ମିଟର, ବନ୍ଧନ ୦.୫୦ ମିଟର, ଉପର ଜଙ୍ଘ ୧.୧୮ ମିଟର ଆଉ ବାରଣ୍ଡା ୧.୩୦ ମିଟର ଉଚ୍ଚତାର ଅଟେ ।

କେଦାରେଶ୍ୱର ମନ୍ଦିରଟି ଲିଙ୍ଗରାଜ ମନ୍ଦିରର ସମ ସାମୟିକ। ପାର୍ଶ୍ୱରେ ରହିଛି ଗୌରୀ ମନ୍ଦିର। ଏହି ମନ୍ଦିର ପରିସରରେ ରହିଛି ‘ମରିଚି କୁଣ୍ଡ’। ଏହି କୁଣ୍ଡ ଜଳରେ ରହିଛି ଔଷଧୀୟ ଗୁଣ। ଯେଉଁଥିପାଇଁ ପ୍ରତିବର୍ଷ ଅଶୋକାଷ୍ଟମୀ ପୂର୍ବଦିନ ଏହି ଜଳକୁ ନିଲାମ କରାଯିବାର ପରମ୍ପରା ରହିଛି।ଏହି ଜଳକୁ ଅପୁତ୍ରିକ ତଥା ବନ୍ଧ୍ୟାନାରୀ ପାନ କଲେ ଅପୁତ୍ରିକ ଦୋଷରୁ ମୁକ୍ତି ମିଳେ ବୋଲି ବିଶ୍ବାସ ରହିଛି। ଏହାସହ ଲିଙ୍ଗରାଜ ମହାପ୍ରଭୁଙ୍କ ଶିବ ବିବାହ ଉତ୍ସବ ଏହିଠାରେ ମହା ସମାରୋହ ରେ ପାଳିତ ହୋଇଥାଏ। ବିଶେଷ କରି ବର୍ଷ ସାରା ପର୍ଯ୍ୟଟକଙ୍କ ଭିଡ଼ ଏଠାରେ ଦେଖିବାକୁ ମିଳିଥାଏ।

Comments are closed.