ଥିଲା ଏକ ମହତ୍ ଉଦ୍ଦେଶ୍ୟ। କନ୍ୟା ଭୃଣ ହତ୍ୟା ରୋକିବା, କୁନି ଝିଅ ଓ ବାଳିକାଙ୍କ ଉଚିତ ଯତ୍ନ ସହ ସେମାନଙ୍କ ଉପଯୁକ୍ତ ଲାଳନପାଳନ ଏବଂ ସେମାନଙ୍କ ଶିକ୍ଷାର ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ବେଟି ବଚାଓ ବେଟି ପଢ଼ାଓ ଅଭିଯାନ। କେନ୍ଦ୍ରର ଏହି ଅଗ୍ରଣୀ ଯୋଜନା (ଫ୍ଲାଗ୍ସିପ୍ ସ୍କିମ୍) ପାଇଁ ୨୦୧୬– ୧୯ ମଧ୍ୟରେ ମଞ୍ଜୁର ହୋଇଥିଲା ୪୪୬.୭୨ କୋଟି ଟଙ୍କା। ତେବେ ଏହାର ୭୮.୯୧ ପ୍ରତିଶତ ଅର୍ଥ କେବଳ ବିଜ୍ଞାପନ ବାବଦରେ ଖର୍ଚ୍ଚ ହୋଇଛି। ତୃଣମୂଳସ୍ତରରେ ଆଖିଦୃଶିଆ କାର୍ଯ୍ୟ ବଦଳରେ ପ୍ରଚାର ପ୍ରସାରରେ ବ୍ୟୟବରାଦ କରାଯାଇଛି। ନିକଟରେ ଏକ ସଂସଦୀୟ କମିଟି ଏଭଳି ରିପୋର୍ଟ ପ୍ରଦାନ କରିଛି। ଏଥିରୁ କେନ୍ଦ୍ର ସରକାରଙ୍କ କାର୍ଯ୍ୟ ଯେ କେତେ ବାସ୍ତବ ଓ କେତେ ପ୍ରଚାରମୁଖୀ ତାହା ସ୍ପଷ୍ଟ।
କମିଟି ରିପୋର୍ଟରେ ଉଲ୍ଲେଖ ରହିଛି ଯେ- ଯଦିଓ କମିଟି ଗଣମାଧ୍ୟମ ଜରିଆରେ ବେଟି ବଚାଓ ବେଟି ପଢାଓ ସ୍କିମ୍ ସକାଶେ ପ୍ରଚାର ଅଭିଯାନ (ମିଡିଆ କ୍ୟାମ୍ପେନ୍)ର ଆବଶ୍ୟକତା ବୁଝେ, ତଥାପି କମିଟି ସଦସ୍ୟମାନେ ଅନୁଭବ କରିଛନ୍ତି ଯେ ସ୍କିମ୍ର ଆଭିମୁଖ୍ୟକୁ ବଜାୟ ରଖିବା ମଧ୍ୟ ସମାନ ମହତ୍ତ୍ୱପୂର୍ଣ୍ଣ। ମହିଳା ସଶକ୍ତୀକରଣ ପ୍ରତି ଉପଯୁକ୍ତ ମହତ୍ତ୍ବ ଦେବାକୁ ବିଜେପି ସାଂସଦ ହୀନା ବିଜୟକୁମାର ଗାଭିତ୍ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟରତ ଏହି କମିଟି ଗୁରୁତ୍ବାରୋପ କରିଛି। ଗତ ଗୁରୁବାର ସଂସଦରେ ଏହି ରିପୋର୍ଟ ଉପସ୍ଥାପନ କରାଯାଇ ଥିଲା। ପଛୁଆ ଅଞ୍ଚଳରେ ଶିଶୁଙ୍କ ଲିଙ୍ଗ ଅନୁପାତରେ ସୁଧାର ଆଣିବା, ବାଳିକାଙ୍କ ଶିକ୍ଷାକୁ ସୁନିଶ୍ଚିତ କରାଇବା ନିମନ୍ତେ କେନ୍ଦ୍ର ସରକାରଙ୍କ ଏହି ମହତ୍ତ୍ୱାକାଂକ୍ଷୀ ପଦକ୍ଷେପ ଅଟେ। ସେ ଦୃଷ୍ଟିରୁ ଉପରୋକ୍ତ କମିଟି ପ୍ରସ୍ତାବ ଦେଇଛି ଯେ ସରକାର ଏଣିକି ବିଜ୍ଞାପନ ବାବଦରେ ଖର୍ଚ୍ଚ ନେଇ ପୁନଃବିଚାର କରିବା ସାଙ୍ଗକୁ ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଯୋଜନା ଆଧାରିତ ବ୍ୟୟ ମଞ୍ଜୁରୀ ଉପରେ ଫୋକସ୍ କରିବା ଉଚିତ।
କମିଟି ଉଲ୍ଲେଖ କରିଛି ଯେ, ୨୦୧୪- ୧୫ରେ ଏହି ସ୍କିମ୍ କାର୍ଯ୍ୟକାରୀ ହେବା ଠାରୁ ୨୦୧୯– ୨୦ ପର୍ଯ୍ୟନ୍ତ ମୋଟ ବଜେଟ୍ ବ୍ୟବସ୍ଥା ଥିଲା ୮୪୮ କୋଟି। ଏହି ଅବଧି ମଧ୍ୟରେ ୬୨୨.୪୮ କୋଟି ଟଙ୍କା ରାଜ୍ୟ ସରକାରମାନଙ୍କୁ ଅନୁଦାନ ଆକାରରେ ଦିଆଯାଇ ଥିଲା। ତେବେ କମିଟିର କ୍ଷୋଭ ଏୟା ଯେ- ରାଜ୍ୟ ସରକାରମାନେ ମାତ୍ର ୨୫.୧୩ ପ୍ରତିଶତ ଅର୍ଥାତ୍ ୧୫୬.୪୬ କୋଟି ଟଙ୍କା ହିଁ ଖର୍ଚ୍ଚ କରିଛନ୍ତି ଯାହା ଆଦୌ ଏହି ଯୋଜନା ମୁତାବକ ଆଶାନୁରୂପକ ପ୍ରଦର୍ଶନ ନୁହେଁ। ଏପରିକି କମ୍ପଟ୍ରୋଲର୍ ଆଣ୍ଡ ଅଡିଟର ଜେନେରାଲ (କ୍ୟାଗ୍) ମଧ୍ୟ ଏହି ସ୍କମ୍ କାର୍ଯ୍ୟକାରିତା ଓ ରାଜ୍ୟ ସରକାରମାନଙ୍କ ଦ୍ୱାରା ୨୦୧୬- ୧୭ରେ ସ୍ଵଳ୍ପ ବ୍ୟୟ ନେଇ ସମାଲୋଚନା କରିଛନ୍ତି। କମିଟି ପ୍ରସ୍ତାବ ଦେଇଛି ଯେ- ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଏହି ପ୍ରସଙ୍ଗ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ଆଗରେ ଉପସ୍ଥାପନ କରୁ ତଥା ବେଟି ବଚାଓ ବେଟି ପଢାଓ ସ୍କିମ୍ ବାବଦ ଅର୍ଥର ଉପଯୁକ୍ତ ବିନିଯୋଗ ପ୍ରତି ଗୁରୁତ୍ବ ଦେଉ।
ଏହା ଗମ୍ଭୀର ବିଷୟ ଯେ- ଲିଙ୍ଗ ଅନୁପାତରେ ଗୁରୁତର ହ୍ରାସ ଘଟି ଚାଲିଛି। ୧୯୬୧ରେ ୯୭୬ ଥିବା ବେଳେ ୨୦୦୧ରେ ୯୨୭ ଓ ୨୦୧୧ରେ ୯୧୮କୁ ହ୍ରାସ ପାଇଛି ପୁଅ- ଝିଅ ଅନୁପାତ। ଅପରପକ୍ଷରେ ଲଗାତାର ପ୍ରୟାସ ଫଳରେ ରାଜ୍ୟମାନଙ୍କରେ ଏ ସ୍ଥିତିରେ କିଛିଟା ସୁଧାର ଦେଖାଦେଇଛି, ସକରାତ୍ମକ ଫଳ ଦେଖିବାକୁ ମିଳିଛି। ସାମ୍ପଲ ରେଜିଷ୍ଟ୍ରେସନ୍ ସର୍ଭେ ରିପୋର୍ଟ (୨୦୧୮) ରୁ ଏହା ସ୍ପଷ୍ଟ ଯେ- ମୋଟାମୋଟି ଲିଙ୍ଗ ଅନୁପାତରେ ୩ ପଏଣ୍ଟ ବୃଦ୍ଧି ପାଇଛି। ୨୦୧୫- ୧୭ରେ ଏହା ୮୯୬ ଥିବା ବେଳେ ୨୦୧୬- ୧୮ରେ ୮୯୯କୁ ବୃଦ୍ଧି ପାଇଛି। ଯଦିଓ ଏଥିରୁ ଆଶାର ଆଲୋକ ନଜରକୁ ଆସୁଛି, ତଥାପି କମିଟି ଉଲ୍ଲେଖ କରିଛି ଯେ ଆହୁରି ଅନେକ ବାଟ ଆଗକୁ ଯିବାର ଅଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସୂଚକାଙ୍କ ମୁତାବକ ପ୍ରତି ୧୦୦୦ ପୁରୁଷରେ ୯୫୨ କନ୍ୟା ସନ୍ତାନ ରହିବା ବିଧେୟ। ସେହି ପାଖାପାଖି ମଧ୍ୟ ପହଞ୍ଚିବା ପାଇଁ ଆମକୁ ଆହୁରି ବହୁତ କିଛି କରିବାର ଅଛି।
Comments are closed.