ପଞ୍ଚସଖା ଯୁଗର ଅନ୍ୟତମ ଭକ୍ତ ମନେଇ ସାହୁ

ଶ୍ରୀକ୍ଷେତ୍ରର ଅନତି ଦୂରରେ ପୁଣ୍ୟତୋୟା ଭାର୍ଗବୀ ନଦୀ କୂଳରେ ଶସ୍ୟଶ୍ୟାମଳାରେ ପରିପୂର୍ଣ୍ଣ ଗ୍ରାମଟି ହେଉଛି କାଣ୍ଡଗୋଦା l ପୁରୀ ବ୍ରହ୍ମଗିରି ରାସ୍ତାରେ ହେଉ ଅବା ପୁରୀ ଚନ୍ଦନପୁର ଦେଇ ଶୁକଲ ରାସ୍ତାରେ ଗଲେ ଏହି ଗ୍ରାମ ପଡିଥାଏ। ଏହି ଗ୍ରାମ ରେ ୧୪୯୨ ମସିହା ପବିତ୍ର ମକର ସଂକ୍ରାନ୍ତି ଦିନ ମାତା ପଦ୍ମାବତୀଙ୍କ ଗର୍ଭରୁ ଜାତ ହୋଇଥିଲେ ମହାପ୍ରଭୁ ଜଗନ୍ନାଥଙ୍କ ପରମଭକ୍ତ ମନେଇ ସାହୁ । ପିତା ପଞ୍ଚାନନ ଥିଲେ ଜଣେ ଚାଷୀ ।

ଭକ୍ତ ମନେଇ ସାହୁ ଥିଲେ ଆଧ୍ୟାତ୍ମିକ ଭକ୍ତିଆନ୍ଦୋଳନର ଅନ୍ୟତମ ପୁରୋଧ ତଥା ଓଡ଼ିଆ ଭାଗବତର ସ୍ରଷ୍ଟା ଅତିବଡୀ ଜଗନ୍ନାଥ ଦାସ ଙ୍କର ପରମବନ୍ଧୁ । କୁହାଯାଏ ଭକ୍ତ ମନେଇ ସାହୁଙ୍କ ପରାମର୍ଶରେ ଦାସେ ଓଡ଼ିଆ ଭାଗବତରେ ଅଧ୍ୟାୟ ଯୋଡିଥିଲେ। କାରଣ ମୂଳ ଭାଗବତର ଭାବନୁବାଦ ହେଉଛି ଓଡ଼ିଆ ଭାଗବତ। ଭାବ ସମାଧିରେ ଭାଗବତ ଲେଖୁ ଲେଖୁ ଜଗନ୍ନାଥ ଦାସ ସେଥିରେ ବିରାମ ଦେଇ ପାରୁନଥିଲେ।

ଭକ୍ତ ମନେଇ ପିଲାଦିନେ ଚାଟଶାଳୀରେ ବାଲ୍ୟ ଶିକ୍ଷା ସମାପ୍ତ କରିଥିଲେ। ଚାଷକାମ ଥିଲା ତାଙ୍କ କୌଳିକବୃତ୍ତି ।ପିଲାଦିନରୁ ହିଁ ତାଙ୍କର ଭକ୍ତି ଭାବ ଜାଗ୍ରତ ହୋଇଥିଲା । ସେ’ ସର୍ବଦା ଜଗନ୍ନାଥଙ୍କ ଭଜନ କୀର୍ତ୍ତନରେ ଲାଗି ରହୁଥିଲେ। ପ୍ରତ୍ୟେକ ଦିନ କାଣ୍ଡଗୋଦା ଗ୍ରାମରୁ ଚାଲି ଚାଲି ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ଜଳଗ୍ରହଣ କରୁଥିଲେ ।

‘କାଣ୍ଡଗୋଦା ମନେଇ ସାହୁ
ତଣ୍ଟି ରୁ କଣ୍ଟା ଖସି ଯାଉ ‘

ସମଗ୍ର ଚିଲିକା ଉପକୂଳ ଅଞ୍ଚଳରେ ଏଇ ଲୋକକଥା ଏବେ ମଧ୍ୟ ପ୍ରଚଳିତ ଅଛି ।ଖାଦ୍ୟ ଖାଇବା ସମୟରେ ଯଦି ଛୋଟ ପିଲାଙ୍କ ତଣ୍ଟିରେ ଖାଦ୍ୟ ବା ମାଛ କଣ୍ଟା ଲାଗିଗଲା ତେବେ ଏବେ ମଧ୍ୟ ଲୋକମାନେ ଉପରୋକ୍ତ ଢଗକୁ କୁହନ୍ତି ।

ଏକଦା ଭକ୍ତ ମନେଇ ସାହୁ ଶ୍ରୀକ୍ଷେତ୍ର ଅଭିମୁଖେ ଯାଉଥିବା ସମୟରେ ପିଳିପିଳାର ଗହୀର ଭିତରେ ଏକ ବଗ ବେକରେ ମାଛ ରହିଯାଇ ବଗଟି ଛଟ ପଟ ହେଉଥିଲା । ଜୀବଟିର କଷ୍ଟ ଦେଖି ବ୍ୟଥିତ ହୋଇ ଭକ୍ତ ମନେଇ ସାହୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିବାରୁ ମହାପ୍ରଭୁଙ୍କ ଶୂନ୍ୟବାଣୀ ହେଲା। ତୁମ ନାମରେ ୩ ଥର କହିଦିଅ ସେହିପରି କରିବାରୁ ବଗଟିର ତଣ୍ଟିରୁ କଣ୍ଟା ଖସିଗଲା । ସେ ଏହି କଷ୍ଟରୁ ମୁକ୍ତି ପାଇବା କଥା ଆଜିମଧ୍ୟ ଲୋକକଥା ହୋଇ ରହିଛି ।

‘କହଇ ଜଗନ୍ନାଥ ଦାସ ମୂଳଟି ଅଟଇ ବିଶ୍ୱାସ l
ବିଶ୍ୱାସ ବିନା କର୍ମଯେତେ ଫଳ ନଫଳେ କଦାଚିତେ ll ‘

ବାର୍ଦ୍ଧକ୍ୟ ହେତୁ ସେ ଆଉ ଶ୍ରୀକ୍ଷେତ୍ରକୁ ଦର୍ଶନ କରିବାପାଇଁ ଆସିପାରିବେ ନାହିଁ ବୋଲି ମହାପ୍ରଭୁଙ୍କୁ ଜଣାଇ ଥିଲେ ।ପରେ ତାଙ୍କୁ ସ୍ୱପ୍ନାଦେଶ ହେଲା ନେଚବାଙ୍କ ଠାରେ ଦାରୁ ଲାଗିଛି । ପରେ ସେହି ଦାରୁ ଆଣି ଚତୁର୍ଦ୍ଧା ବିଗ୍ରହ ନିର୍ମାଣ କଲେ l ଏକ ଚାଳ ଘରେ ପ୍ରଥମେ ରଖି ପୂଜା କରିଥିଲେ ।

ଏବେ ଏଠାରେ ଏକ ସୁନ୍ଦର ମନ୍ଦିର ଟିଏ ନିର୍ମାଣ ହୋଉଛି l ମହାପ୍ରଭୁ ତୃତୀୟା ଦେବ ନାମରେ ଏଠାରେ ପୂଜା ପାଉଛନ୍ତି ।

ଭକ୍ତ ମନେଇ ସାହୁ ୧୫୫୨ ମସିହା ପବିତ୍ର ଦୋଳ ପୂର୍ଣ୍ଣିମାରେ ଇହଲୀଳା ସମ୍ବରଣ କରିଥିଲେ ।ଏହି ମହାନ ଭକ୍ତଙ୍କ ଜନ୍ମଭୂମି କାଣ୍ଡଗୋଦା ପାଇକ ପଡା ତାଙ୍କ ସ୍ମୃତିକୁ ଆଜିବି ମନେପକେଇ ଦେଉଛି।

Comments are closed.