ଶ୍ରୀକ୍ଷେତ୍ରକୁ ଚାରି ଦିଗରୁ ରକ୍ଷା କରୁଛନ୍ତି ଅଷ୍ଟଶମ୍ଭୁ

ନିତ୍ୟ ଗୋଲକ ଧାମ ହେଉଛି ଶ୍ରୀକ୍ଷେତ୍ର। ଏହି କ୍ଷେତ୍ର ଚାରିଯୁଗରେ ତଥା ପ୍ରଳୟ କାଳରେ ମଧ୍ୟ ନିଜର ସ୍ଥିତିକୁ ହରାଇ ନଥାଏ। ସର୍ବୋପରି କଳି ଯୁଗରେ ଯୁଗଧର୍ମ ନ୍ୟାୟରେ ଶ୍ରୀକ୍ଷେତ୍ର ହେଉଛି ଏହାର ଲୀଳାଭୂମି। ସ୍ୱୟଂ ଭଗବାନ ଦାରୁବ୍ରହ୍ମ ରୂପରେ ଏହି ପାବନ କ୍ଷେତ୍ରରେ ବିରାଜମାନ କରି ମାନବୀୟ ଲୀଳା ପ୍ରଦର୍ଶନ କରିଛନ୍ତି। ଏହା ଏକ ବୈଷ୍ଣବୀୟ କ୍ଷେତ୍ର ହେଲେ ମଧ୍ୟ ଶୈବ, ଶାକ୍ତ ଓ ଗାଣପତ୍ୟ ତଥା ସମସ୍ତ ମତକୁ ଏଠାରେ ପ୍ରାଧାନ୍ୟ ଦିଆଯାଇଛି।ଏହି ବୈଷ୍ଣବୀୟ କ୍ଷେତ୍ରର କ୍ଷେତ୍ରପାଳ ସ୍ୱୟଂ ଶମ୍ଭୁ।

ଶ୍ରୀକ୍ଷେତ୍ରର ଚତୁର୍ଦିଗରେ ଅଷ୍ଟଶମ୍ଭୁ ବିରାଜମାନ କରି କ୍ଷେତ୍ରକୁ ସୁରକ୍ଷା ପ୍ରଦାନ କରୁଛନ୍ତି। ସେଇ ଅଷ୍ଟଶମ୍ଭୁ ମାନଙ୍କ ମଧ୍ୟରେ ରହିଛନ୍ତି : –

୧) ଶ୍ରୀ ଶ୍ରୀ ଜମ୍ବେଶ୍ଵର :- ଏହି କ୍ଷେତ୍ର ହେଉଛି ପ୍ରସିଦ୍ଧ ଯମନିକ କ୍ଷେତ୍ର। ପଞ୍ଚ ମହାଦେବଙ୍କ ଭିତରେ ଜ୍ୟେଷ୍ଠ। ପଞ୍ଚ ପାଣ୍ଡବ ହିସାବରେ ସିଏ ହେଉଛନ୍ତି ଯୁଧିଷ୍ଠିର। ନିକଟରେ ରହିଛି ପଣ୍ଡୁ ମୁନୀଙ୍କ ଆଶ୍ରମ। ଶ୍ରୀମନ୍ଦିର ଅନେକ ନୀତିକାନ୍ତି ସହିତ ଜଡିତ। ବର୍ଷରେ ଚାରିଥର ଏହି କ୍ଷେତ୍ରକୁ ଚକ୍ରରାଜ ସୁଦର୍ଶନ ବିଜେ କରିଥାନ୍ତି। ସର୍ବୋପରି ଶ୍ରୀ ଜମ୍ବେଶ୍ଵର ହେଉଛନ୍ତି ଶ୍ରୀମନ୍ଦିରର ହିସାବ ରକ୍ଷକ।

୨) ଶ୍ରୀ ଶ୍ରୀ ବେଲେଶ୍ୱର : – ଶ୍ରୀ ବେଲେଶ୍ୱର ମହାଦେବ ଶ୍ରୀକ୍ଷେତ୍ର ପଞ୍ଚକୋଶି ପରିଧିର ପୂର୍ବ ଦିଗରେ ଅବସ୍ଥାନ କରିଛନ୍ତି। ପୌରାଣିକ ମତରେ ତ୍ରେତୟାରେ ଭଗବାନ ଶ୍ରୀରାମ ଓ ଦ୍ଵାପରରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା ସେ ପୂଜିତ। ଏହି ସ୍ଥାନରେ ରହିଛି ପାତାଳ ଲୋକକୁ ରାସ୍ତା। ଦ୍ଵାପର ଯୁଗର ଏକ ରାକ୍ଷସକୁ ଦମନ କରିବା ପାଇଁ ପ୍ରଭୁ ଏଠାରେ ବିରାଜିତ। ବିରଳ ବା ବିଲ୍ଵନାଥରୁ ଲୋକ ମୁଖରେ ସିଏ ବେଲେଶ୍ୱର ନାମରେ ପରିଚିତ।

୩) ଶ୍ରୀ ଶ୍ରୀ କପାଳ ମୋଚନ: ଭଗବାନ ଶଙ୍କର ବ୍ରହ୍ମହତ୍ୟା ଦୋଷରୁ ଏଠାରେ ମୁକ୍ତିଲାଭ କରିଥିଲେ। ବ୍ରହ୍ମାଙ୍କ ଉପରେ ରୋଷ କରିଥିବାରୁ ତାଙ୍କର ଏକ ମସ୍ତକ ଛିଣ୍ଡି ଶଙ୍କରଙ୍କ ହସ୍ତରେ ଲାଗି ଯାଇଥିଲା। ଏହି ସ୍ଥାନରେ ତାହା ଶଙ୍କରଙ୍କ ହସ୍ତରୁ ବିଚ୍ୟୁତ ଘଟିଥିଲା। ତେଣୁ ତାଙ୍କ ନାମ ହେଲା କପାଳ ମୋଚନ।ଶ୍ରୀମନ୍ଦିର ଅନେକ ନୀତିକାନ୍ତି ସହିତ ଶ୍ରୀ କପାଳ ମୋଚନ ଜଡିତ।

୪) ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର :-ଶ୍ରୀ ନୀଳକଣ୍ଠେଶ୍ଵର ହେଉଛନ୍ତି ( ଶ୍ରୀକ୍ଷେତ୍ର ରକ୍ଷକ)। ମହାରାଜ ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ର ଆସି ପ୍ରଥମେ ଶ୍ରୀ ନୀଳକଣ୍ଠଙ୍କୁ ଦର୍ଶନ କରିଥିଲେ। ନିକଟରେ ରହିଛି ପ୍ରସିଦ୍ଧ ଇନ୍ଦ୍ରଦ୍ୟୁମ୍ନ ସରୋବର।ଶ୍ରୀମନ୍ଦିର ଅନେକ ନୀତିକାନ୍ତି ସହିତ ଶ୍ରୀ କପାଳ ମୋଚନ ଜଡିତ।

୫) ଶ୍ରୀ ଶ୍ରୀ ମାର୍କଣ୍ଡେଶ୍ଵର : ମାର୍କଣ୍ଡେୟ ଋଷି ଭଗବାନ ଶଙ୍କରଙ୍କୁ ତପସ୍ୟା କରି ଏହିଠାରେ ଦର୍ଶନ ପାଇଥିଲେ। ତେଣୁ ଏହାଙ୍କ ନାମ ହେଲା ଶ୍ରୀମାର୍କଣ୍ଡେଶ୍ଵର। ଏହି ସ୍ଥାନରେ ରହିଛି ପବିତ୍ର ମାର୍କଣ୍ଡ ପୁଷ୍କରିଣୀ। ଏହା ବାସ୍ତବରେ ମାର୍କଣ୍ଡେୟ ଋଷିଙ୍କ ଆଶ୍ରମ। ଶ୍ରୀମନ୍ଦିର ଅନେକ ନୀତିକାନ୍ତି ସହିତ ଏହା ଜଡିତ। ବିଶେଷ ଭାବରେ ଏଠାରେ ବଳଭଦ୍ର ଜନ୍ମନୀତି ତଥା କାଳୀୟ ଦଳନ ନୀତି ସମ୍ପର୍ଣ୍ଣ ହୋଇଥାଏ।

୬) ଶ୍ରୀ ଶ୍ରୀ ଲୋକନାଥ : – ଶ୍ରୀକ୍ଷେତ୍ରର କ୍ଷେତ୍ରପାଳ ହେଉଛନ୍ତି ଶ୍ରୀ ଲୋକନାଥ ମହାପ୍ରଭୁ।ସିଏ ହେଉଛନ୍ତି ଶ୍ରୀମନ୍ଦିରର ଭଣ୍ଡାର ରକ୍ଷକ। ଭଗବାନ ଶ୍ରୀରାମଙ୍କ ଦ୍ଵାରା ପ୍ରତିଷ୍ଠିତ। ଲାଉ ନାଥରୁ ବର୍ତ୍ତମାନ ନାମ ହେଉଛି ଶ୍ରୀଲୋକନାଥ।

୭) ଶ୍ରୀ ଶ୍ରୀ ବଟେଶ୍ଵର :- ଶ୍ରୀ ବଟେଶ୍ଵର ମହାଦେବ ଶ୍ରୀମନ୍ଦିର ଭିତରେ ଅବସ୍ଥିତ ।ଶ୍ରୀମନ୍ଦିରସ୍ଥ ବଟମୂଳେ ଥିବା ଇନ୍ଦ୍ରାଣୀ ମନ୍ଦିରରେ କ୍ଷୁଦ୍ର ଲିଙ୍ଗ ରୂପରେ ବିରାଜିତ।

୮) ଶ୍ରୀ ଶ୍ରୀ ଇଶାନେଶ୍ଵର : – ଶ୍ରୀଇଶାନେଶ୍ଵର ମହାଦେବ ଶ୍ରୀମନ୍ଦିର ଭିତରେ ଅବସ୍ଥିତ। ଶ୍ରୀମନ୍ଦିର ଉତ୍ତର ଦ୍ୱାର ନିକଟରେ ରହିଛି ଏହାଙ୍କ ମନ୍ଦିର। ବିଶେଷ କରି ଅଶୋକାଷ୍ଟମୀ ତିଥିରେ ଏଠାରେ ବିଶେଷ ନୀତି ସମ୍ପାଦିତ ହୋଇଥାଏ।

Comments are closed.