ଜିଏସଟି ଉଚ୍ଛେଦ ଦାବିରେ କେନ୍ଦୁପତ୍ର କର୍ମଚାରୀଙ୍କ କେନ୍ଦ୍ର ବିରୋଧରେ ଯୁଦ୍ଧଂଦେହି ଡାକରା

28ରେ ସମ୍ବଲପୁର ଜିଲାପାଳ କାର୍ଯ୍ଯାଳୟ ସମ୍ମୁଖରେ ବିଶାଳ ସମାବେଶ 

ସମ୍ବଲପୁର: କେନ୍ଦ୍ର ସରକାର କେନ୍ଦୁପତ୍ର ଉପରେ ଜିଏସଟି ଲାଗୁ କରି ଓଡିଶାର ଲକ୍ଷ ଲକ୍ଷ ଗରିବଙ୍କ ପେଟରେ ଲାତ ମାରି ଆସୁଛନ୍ତି। ଏହାର ପ୍ରତିବାଦରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଦୀର୍ଘ ଦିନରୁ ଆନ୍ଦୋଳନ ଚଳାଇ ଆସୁଛି। ତଥାପି କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗୁନାହିଁ। ଫଳରେ ସଂଘ ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନକୁ ତୀବ୍ର କରିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା 28 ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଶାଳ ସମାବେଶ କରିବାକୁ ସ୍ଥିର କରିଛି।
ଆଜି ସମ୍ବଲପୁର ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ପ୍ରାଙ୍ଗଣରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଡିଭିଜନ ସ୍ତରୀୟ ପରିବର୍ଦ୍ଧିତ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l
ଏହି ବୈଠକରେ ସଂଘର ରାଜ୍ଯ ଉପସଭାପତି ଗୋକୁଳ ମେହେର ସଭାପତିତ୍ବ କରିଥିବା ବେଳେ ରାଜ୍ଯ ସମ୍ପାଦକ ତଥା ପର୍ଯ୍ୟବେକ୍ଷକ ସଞ୍ଜିତ୍ ମହାନ୍ତି ବୈଠକର ଉଦ୍ଦେଶ୍ଯ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ l

ଉକ୍ତ ବୈଠକରେ ଆଗାମୀ ଡିସେମ୍ବର 28 ତାରିଖ ଦିନ କେନ୍ଦୁପତ୍ର ଉପରେ ଅତ୍ୟଧିକ ଜିଏସଟି ଲାଗୁ କରାଯିବା ପ୍ରତିବାଦରେ ଏବଂ ଏହାର ଉଚ୍ଛେଦ ଦାବି କରି ଏକ ବିଶାଳ ଶୋଭାଯାତ୍ରା ଓ ସମାବେଶ ଜରିଆରେ କେନ୍ଦ୍ରର ଅର୍ଥ ମନ୍ତ୍ରୀଙ୍କୁ ଜିଲ୍ଲାପାଳ ଙ୍କ ମାଧ୍ୟମରେ ଦାବିପତ୍ର ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି l ଏହା ସହିତ ସାମାଜିକ ନିରାପତ୍ତା ସହାୟତା ପାଇବା ପାଇଁ ତୋଳାଳୀ ମାନଙ୍କ ଦୁଇ ହଜlର କେରୀ ମାପଦଣ୍ଡ କୁ ହଜାରେ କେରୀ କରାଯିବା, ସ୍ଥଗିତ ରହିଥିବା ସାମାଜିକ ନିରାପତ୍ତା ସହାୟତା କୁ ପୁନଃ ପ୍ରଚଳନ କରିବା, ବୋନସ ପରିମାଣ ବୃଦ୍ଧି କରିବା, ଖାଲି ଥିବା ପଦବୀ ପୂରଣ କରିବା, କେନ୍ଦୁପତ୍ର ଦର ବୃଦ୍ଧି କରିବା ପ୍ରଭୁତି ଦାବୀ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା l ଏହି ବୈଠକରେ ଭକ୍ତ ମାଝୀ, ଅନାଦି ମିର୍ଦ୍ଧା, ନାରାୟଣ ମହାପାତ୍ର, ସୁମିତ ପଟେଲ, ଶୁଭେନ୍ଦୁ ନାୟକ, ବୃନ୍ଦାବନ ମଟlରି, ପ୍ରଶାନ୍ତ ଦୀପ, ଦିଲେଶ୍ଵର ପ୍ରଧାନ,ଟଙ୍କଧର ପ୍ରଧାନ, ମାଧବ ପାଣ୍ଡେ, ଡିଙ୍ଗରା ପ୍ରଧାନ, ଅଶୋକ ଦାସ, ରାଧାକାନ୍ତ ଦଣ୍ଡସେନା ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।

Comments are closed.