ନିଜ ନିଜର ସନ୍ତାନମାନଙ୍କ ଦୀର୍ଘଜୀବନ ତଥା ମଙ୍ଗଳ କାମନା ପାଇଁ ଜଣେ ମାଆ ଯେ କେତେ କଷ୍ଟ ସହିଥାଏ କେତେ ଉପବାସ କରିଥାଏ ତାର ଏକ ନିଛକ ଉଦାହରଣ ହେଉଛି ଆମ ଓଡ଼ିଆ ପରମ୍ପରାରେ ଥିବା କିଛି ବ୍ରତ ଓ ଉପବାସ। ବାଟ ଓଷା ବା ଦାଣ୍ଡପହଁରା ଓଷା ସେଥି ମଧ୍ୟରୁ ଅନ୍ୟତମ। ପୌଷମାସ କୃଷ୍ଣ ପ୍ରତିପଦ ତିଥିରେ ପାଳନ କରାଯାଏ ବାଟ ଓଷା ବା ଦାଣ୍ଡପହଁରା ଓଷା । ଏହି ଓଷା ମାଆମାନେ ଯମରାଜାଙ୍କ ଉଦ୍ଦେଶ୍ୟରେ ନିଜର ସନ୍ତାନପାଳନ କରିଥାନ୍ତି । ପ୍ରତ୍ୟେକ ମାଆମାନେ ନିଜ ପୁତ୍ରମାନେ ଦୀର୍ଘାୟୁ ହେବା ନିମନ୍ତେ ରାତିରେ ଉପବାସ ରହି ବଜ୍ରମୂଳି ଗଛରେ ଦାଣ୍ଡ ପହଁରି ନିଜ ନିଜର ପୁତ୍ରମାନଙ୍କୁ ଝାଡ଼ିଥାନ୍ତି। ଇନ୍ଦ୍ରଙ୍କର ଅମୋଘଅସ୍ତ୍ର ହେଉଛି ବଜ୍ର । ସେଥିପାଇଁ ପ୍ରବାଦ ଅଛି-ମାତାମାନେ ନିଜ ସନ୍ତାନର ଦୀର୍ଘଜୀବନ କାମନା କରି ଓଷା ମଣ୍ଡପର ଚତୁ ର୍ପାଶ୍ୱକୁ ବଜ୍ରମୂଳିରେ ପହଁରିବା ପରେ ସେଥିରେ ସନ୍ତାନମାନଙ୍କୁ ଝାଡ଼ିଥାନ୍ତି । ଅନ୍ୟପଟେ ଏହା ଏକ ମଧ୍ୟ କୃଷିଭିତ୍ତିକ ପର୍ବ।
ପୌରାଣିକ କଥାବସ୍ତୁ ଆଧାରରେ କୋଶଳ ଦେଶର ରାଜା ସୁଦର୍ଶନ ଓ ରାଣୀ ଲୀଳାବତୀ, ଦୁହେଁ ପରୋପକାରୀ ଓ ପ୍ରଜାବତ୍ସଳ ହୋଇଥିଲେ ମଧ୍ୟ ପୁତ୍ରସନ୍ତାନ ନଥିବାରୁ ମନସ୍ତାପରେ ଥିଲେ । ରାଜାଙ୍କ ଏପରି ଅବସ୍ଥା ଦେଖି ବିଜ୍ଞ ବ୍ରାହ୍ମଣ ଓ ଜ୍ୟୋତିଷମାନେ ଦାଣ୍ଡପହଁରା ବା ବାଟଓଷା କରିବାଦ୍ୱାରା ଯମଙ୍କୁ ସନ୍ତୁଷ୍ଟ କଲେ ପୁତ୍ରପ୍ରାପ୍ତି ହେବବୋଲି ସେମାନଙ୍କୁ ପରାମର୍ଶ ଦେଇଥିଲେ । ବାଟଓଷା କରିଥିବା ରାଜ୍ୟର ଗୃହିଣୀ ମାନଙ୍କଠାରୁ ପ୍ରସାଦ ଗ୍ରହଣକରି ରାଣୀ ଗର୍ଭବତୀ ହେବା ସହ ଉତ୍ତମ ପୁତ୍ରପ୍ରାପ୍ତ କରିଥିଲେ।ସେଇ ପୁତ୍ର ସନ୍ତାନର ନାମ ବୀରସେନ ରଖାଯାଇଥିଲା । କିନ୍ତୁ ପୁତ୍ରପ୍ରାପ୍ତି ପରେ, ରାଣୀ ଆଉ ଯମଦେବତାଙ୍କ ବାଟଓଷା ନ କରିବା ଯୋଗୁଁ ଯମ ବୀରସେନଙ୍କୁ ଅପହରଣ କରି ନେଇଗଲେ ଏବଂ ନିଜର ମାତାଙ୍କୁ ଏହି ପୁତ୍ରକୁ ମାରି ରୋଷେଇ କରି ଖାଇବାକୁ ଦେବା ପାଇଁ କହିଥିଲେ । ତତ୍ପରେ ଯମ ସ୍ନାନକରିବାକୁ ଚାଲିଗଲେ । ଇତ୍ୟବସରରେ ବୀରସେନଙ୍କ ନାକରେ ଦୁଇଖଣ୍ଡ କାଠିପୂରାଇ ପୂଜାସମୟରେ ଛିଙ୍କିବା ପାଇଁ ଯମଙ୍କ ମାତା ଶିଖାଇ ଦେଲେ । ବୀରସେନ, ଯମମାତାଙ୍କ କହିବା ଅନୁସାରେ ନାକରେ କାଠି ପୂରାଇ ଛିଙ୍କିଥିଲେ । ଏହିସମୟରେ ଯମମାତା ଅଚ୍ଛମର ହୁଅ ବୋଲି କହିଥିଲେ। ଯାହା ଫଳରେ ଯମଦେବ ବୀରସେନଙ୍କୁ ନମାରି, ବାଟଓଷା ନକଲେ ପୁନର୍ବାର ନେଇଯିବେ ବୋଲି ବୀରସେନଙ୍କ ମାତାଙ୍କୁ କହି ଘରେ ଛାଡ଼ିଦେଇ ଗଲେ ।ପରିବାରବର୍ଗ ବୀରସେନଙ୍କୁ ପାଇ ଅତ୍ୟନ୍ତ ଖୁସି ହୋଇଥିଲେ ମଧ୍ୟ କାହିଁକି ରୁଷିଥିଲେ ବୋଲି ପଚାରିବାରୁ ଉତ୍ତରରେ କହିଲେ, ତୁମେ ଯମଦେବଙ୍କ ବାଟଓଷାକୁ ଭୁଲି ଯାଇଥିବାରୁ ମୋତେ ଧରି ନେଇଥିଲେ ବୋଲି କହିଥିଲେ । ଶେଷରେ ରାଜଗୃହରେ ମାତା କୌଶଲ୍ୟା ଯମଦେବଙ୍କ ବାଟଓଷା କରି, ଦାଣ୍ଡପହଁରି, ପୁତ୍ରର ଦୀର୍ଘ ଜୀବନ କାମନା କରିଥିଲେ ।
ଓଡ଼ିଆ ଘରର ପ୍ରତି ପରିବାରରେ ମାଆମାନେ ନିଜ ପୁତ୍ରର ସର୍ବବିଧ ମଙ୍ଗଳ ମନାସି ଏହିଦିନ ଯମରାଜଙ୍କୁ ପୂଜା କରାଯାଇଥାଏ। କାରଣ ଯମ ହେଉଛନ୍ତି ଧର୍ମର ଦେବତା ତଥା ମୃତ୍ୟୁର ମଧ୍ୟ ଦେବତା। ନ୍ୟାୟିକ ବିଚାରରେ ସିଏ ପ୍ରାଣୀର ମୃତ୍ୟୁପରେ ତାର କର୍ମ ଅନୁସାରେ ଦଣ୍ଡବିଧାନ କରିଥାନ୍ତି। ଗରୁଡ଼ ପୁରାଣ ଅନୁସାରେ ଯମରାଜ୍ ପାପୀ ଓ ଦୁଷ୍ଟବୁଦ୍ଧି ସମ୍ପର୍ଣ୍ଣ ମାନଙ୍କୁ ଗରମ ତେଲ କଢ଼େଇରେ ପକାଇବା, ଅସତୀ ଦୋଚାରୁଣୀ ମାନଙ୍କୁ ଶିମିଳି ଗଛରେ ଟାଙ୍ଗିବା ସହ ବିଛା, କଙ୍କଡା, ନାଗମାନଙ୍କଦ୍ୱାରା ଅନେକ ଯନ୍ତ୍ରଣା ଦେଇଥାନ୍ତି । ଏସବୁ ଯନ୍ତ୍ରଣାରୁ ରକ୍ଷା କରିବା ଏବଂ ଯମଙ୍କୁ ପ୍ରସନ୍ନ କରିବା ଉଦ୍ଦେଶ୍ୟରେ ବାଟଓଷା ବା ଦାଣ୍ଡପହଁରା ଓଷାର ସୃଷ୍ଟି ।
ବ୍ରତବିଧାନ ଅନୁସାରେ ନୂଆ ଧାନ କୁଟି ମଣ୍ଡାପିଠା, ମୁଢି, ଖଇ, ମୁଆଁ, ଚୁଡା, କଦଳୀ, ମୂଳା, ଆଖୁ, କରମଙ୍ଗା, କନ୍ଦମୂଳ, ତୁଷ ଓ କୁଣ୍ଡା ଆଦି ଯମଙ୍କ ନିକଟରେ ନୈବେଦ୍ୟ କରାଯାଏ । ଗାଁ ଦାଣ୍ଡରେ ଗାତ ଖୋଳାଯାଇ, ଗୋଟିଏ ପାତ୍ରରେ ସିନ୍ଦୂରରେ ଯମଙ୍କ ପ୍ରତିମା ସ୍ଥାପନ ପୂର୍ବକ ମାଆମାନେ ଚାରିପଟେ ଚାଙ୍ଗୁଡା ଧରି, ବଜ୍ରମୂଳି ଉପରେ ରଖି କପଡ଼ା ଢାଙ୍କି ବସନ୍ତି ଏବଂ ଯମ ଦେବତାଙ୍କୁ ଷୋଡ଼ଶୋପଚାରରେ ବ୍ରାହ୍ମଣଙ୍କଦ୍ୱାରା ପୂଜାର୍ଚ୍ଚନା କରାଯାଏ । ତାହାପରେ ମାଆମାନେ ନିଜସନ୍ତାନ ମାନଙ୍କର ଦୀର୍ଘଜୀବନ କାମନାକରି ଯମଙ୍କୁ ସ୍ମରଣ କରିଥାନ୍ତି ।
ଏହିପୂଜାର ନିୟମ ଅନୁସାରେ ସବୁ ପ୍ରସାଦ ପୂଜାମଣ୍ଡପକୁ ନେବାକୁ ହୋଇଥାଏ। ଘରେ ଯଦି ଲୋଭବଶତଃ ପୂଜାପାଇଁ ଆସିଥିବା ପୂଜାଦ୍ରବ୍ୟ ରଖିଲେ ତେବେ ଯମ ଅସନ୍ତୁଷ୍ଟ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । ପୂଜାଅନ୍ତେ ସମସ୍ତ ପ୍ରସାଦକୁ ବାଳକ, ବୃଦ୍ଧ ଓ ପରିବାରବର୍ଗଙ୍କ ମଧ୍ୟରେ ବାଣ୍ଟିଦେବାର ବିଧାନ ରହିଛି ।
ବର୍ଷର ବାର ମାସରେ ଏହିପରି କେତେକ ବ୍ରତକୁ ମାଆମାନେ ନିଷ୍ଠାର ସହିତ ଉପବାସ ରହି ନିଜର ସନ୍ତାନ ଉଦେଶ୍ୟରେ ପାଳନ କରିଥାନ୍ତି।ଏପରି କରିବାର ମୁଖ୍ୟ ଉଦେଶ୍ୟ ହେଉଛି ନିଜ ନିଜର ପରିବାରରେ ଶୁଦ୍ଧ ସଂସ୍କାର ଆଣିବା। ନିଜର ପିଲାଙ୍କ ଭିତରେ ସଂସ୍କାର ଜାଗ୍ରତ କରିବା। କିନ୍ତୁ ଆଜିର ସମାଜ ସେଇ ଦିବ୍ୟ ଜନନୀ ର ତ୍ୟାଗ, ତିତୀକ୍ଷାକୁ ଭୁଲି ଏହା ଏକ ବେକାର କାମ ବୋଲି କହୁଛି। କିନ୍ତୁ ଏଇ ଧର୍ମୀୟ ପରମ୍ପରା ଭିତରେ ଆମର ଶରୀର, ମନ ଓ ସ୍ୱାସ୍ଥ୍ୟ ସମ୍ପର୍କିତ ଅନେକ ସଚେତନତା ନିହିତ ରହିଛି ଏଥିରେ ସନ୍ଦେହ ନାହିଁ।
Comments are closed.