ଅତୀତରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ଧର୍ମ ଅନେକ ଦାରୁଣ ବିପଦର ସମ୍ମୁଖିନ ହୋଇଛି ! ଇତିହାସ ଏହାର ମୁକସାକ୍ଷୀ ! ଅନେକ ବିଧର୍ମୀ , ପରଶ୍ରୀକାତରତା , ଅସହିଷ୍ଣୁ ପ୍ରକୃତିର ଖଳ ଚରିତ୍ରମାନଙ୍କର ନୃଶଂସ ଆକ୍ରମଣର ଶିକାର ହୋଇଛି ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କୃତି ! ମାଦଳାପାଞ୍ଜି ଅନୁଯାୟୀ ପୁରୀର ରାଜା ଶୋଭନ ଦେବଙ୍କ ରାଜତ୍ୱ ସମୟରେ ରକ୍ତବାହୁ ସମୁଦ୍ର ପଥରେ ଆସି ପୁରୀ ଆକ୍ରମଣ କରିଥିଲେ ! ସେ ବିଗ୍ରହମାନଙ୍କୁ ନଦୀ ପଥରେ ନୌକା ଦ୍ୱାରା ଆଣି ସୋନପୁରସ୍ଥ କୋଟ ସମଲାଇ ଗ୍ରାମର ତ୍ରିକୁଟ ପର୍ବତର ଏକ ଗୁମ୍ଫାରେ ଲୁଚାଇ ରଖିଥିଲେ ! ଉକ୍ତ ଗୁମ୍ଫାର ଚିହ୍ନଟ ପାଇଁ ଏହା ନିକଟରେ ଏକ ବଟବୃକ୍ଷ ରୋପଣ କରାଇଥିଲେ !
ମାଦଳାପାଞ୍ଜିରୁ ଜଣାଯାଏ ଏଠାରେ ତ୍ରିମୁର୍ତ୍ତି ଦୀର୍ଘ ୧୪୪ ବର୍ଷ ଧରି ଅବସ୍ଥାନ କରିଥିଲେ ! ମାଦଳାପାଞ୍ଜି ଅନୁଯାୟୀ – ଶୋଭନ ଦେବ ଭୋଗ କଲେ ବ.୯.୬ ! ଏହି ମହାରାଜାଙ୍କ ଅ ୨ଙ୍କେ ଦିଲ୍ଲୀରୁ ରକ୍ତବାହୁ ଆସିବା ବାରତାକୁ ପରମେଶ୍ୱରକୁ ସୁନୁପର ଗୋପାଲୀ ଘେନିଗଲେ ! ସେଠାରେ ମଣ୍ତପ ଗୋଟାଏ କରି ବିଜେ କରାଇଲେ ବ୪୫ !
କୋଟ ସମଲାଇ ଗ୍ରାମ ସୁବର୍ଣ୍ଣପୁର ଜିଲ୍ଲାର ବୀର ମହାରାଜପୁର ଉପଖଣ୍ଡରେ ଅବସ୍ଥିତ । ସୁବର୍ଣ୍ଣପୁର ଜିଲ୍ଲାର ସଦର ମହକୁମା ସୋନପୁର ସହରଠାରୁ ମହାନଦୀର ପାର ହୋଇ ଉତ୍ତର ପଶ୍ଚିମ ଦିଗରେ ତିରିଶ କି.ମି. ରାସ୍ତା ଗଲା ପରେ ପଡିବ କୋଟ ସମଲାଇ ଗ୍ରାମ । କୋଟ ସମଲାଇ ଗ୍ରାମରେ ଅବସ୍ଥିତ ତ୍ରିକୂଟ ପର୍ବତ । ଏହି ପର୍ବତ ଜଗନ୍ନାଥଙ୍କ ପାତାଳି ଧାମ ନାମରେ ପରିଚିତ ଓ ପାତାଳି ଶ୍ରୀକ୍ଷେତ୍ର ନାମରେ ନାମିତ । ତ୍ରିକୂଟ ପର୍ବତର ଅନ୍ୟ ନାମ ‘ଛଳିଆ ପାହାଡ’ ପ୍ରଭୁ ସ୍ଵୟଂ ଜଗନ୍ନାଥ ଏହି ପାହାଡରେ ଛଳନା ବା ଲୀଳା କରିଥିବାରୁ ଏହି ପାହାଡକୁ ଛଳିଆ ପାହାଡ କୁହାଯାଏ । ପାହାଡ଼ର ପାଦ ଦେଶରେ କିଛି ବୃକ୍ଷଲତା ଥିବାର ଦେଖାଯାଏ । ତ୍ରିକୂଟ ପର୍ବତର ପରିବେଶ ଅତି ହୃଦୟସ୍ପର୍ଶୀ ଓ ମନମୁଗ୍ଧକର । ପାହାଡ ଶୀର୍ଷ ଦେଶକୁ ଯିବା ପାଇଁ ନୂତନ ପାହାଚ ନିର୍ମିତ ହୋଇଛି ପାହାଡ ଉପରେ ଅଳ୍ପ ରାସ୍ତା ଅତିକ୍ରମ କଲାପରେ ନବ ନିର୍ମିତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମନ୍ଦିର ଅବସ୍ଥିତ । ଏହି ମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ସହିତ ସୁଦର୍ଶନ ପୂଜା ପାଉଛନ୍ତି ପାହାଡର ଉପର ଅଂଶକୁ ଦାରୁ କୋଣ କୁହାଯାଏ !ତ୍ରିକୂଟ ପର୍ବତରେ ଅନେକ ଗୁମ୍ଫା ଅବସ୍ଥିତ ଇତିହାସରୁ ଜଣାପଡେ , ସୋନପୁରର ରାଜା ପୃଥ୍ବୀ ସିଂହଦେଓ ଓ ତାଙ୍କ ପରିବାର ୧୭୯୯ ଖ୍ରୀଷ୍ଟାବ୍ଦରେ ଏହି ପର୍ବତର ଏକ ଗୁମ୍ଫାରେ ଆଶ୍ରୟ ନେଇଥିଲେ ଯେଉଁ ସମୟରେ ମରହଟ୍ଟାମାନେ ସୋନପୁର ରାଜ୍ୟ ଆକ୍ରମଣ କରି ଅଧିକାର କଲେ । ଅନେକ ସ୍ମୃତିର ସାକ୍ଷର ଏହି ତ୍ରିକୂଟ ପର୍ବତ ସୃଶରୀରରେ ବହନ କରିଅଛି । ତ୍ରିକୂଟ ପର୍ବତ ତିନୋଟି ପର୍ବତର ସମଷ୍ଟି । ପ୍ରଥମେ ପଡେ ଛଳିଆ ପର୍ବତ । ଏଠାରେ ଧ୍ବନି ଗୁମ୍ଫା ଅବସ୍ଥିତ ଧ୍ଵନି ଗୁମ୍ଫାରେ ସର୍ବଦା ଏକ ଶବ୍ଦ ଶୁଣାଯାଏ ଏବଂ ଏହାର ପାର୍ଶ୍ବରେ ଥିବା ଏକ ରନ୍ଧ୍ରରୁ ଉଷ୍ମ ପବନ ପ୍ରବାହିତ ହୁଏ । ଲୋକ ବିଶ୍ୱାସରେ ଏ ଗୁମ୍ଫାରୁ ନିର୍ଗତ ହେଉଥିବା ଶବ୍ଦକୁ ଅନନ୍ତ ନାଗଙ୍କର ଘୁଙ୍ଗୁଡି ଏବଂ ପବନକୁ ବିଶ୍ୱାସ ବୋଲି ବିବେଚନା କରାଯାଏ । ଶ୍ରଦ୍ଧାଳୁମାନଙ୍କୁ କୀର୍ତ୍ତନର ଶବ୍ଦ ଶୁଭୁ ଥିବାର ଲୋକ କଥାରେ ଆଲୋଚିତ ହୁଏ ଏଠାରେ ଥିବା ମୁନିଋଷି କୂଅରେ ବର୍ଷସାରା ପାଣି ରହେ । ଦ୍ଵିତୀୟ ପାହାଡଟି ଚାନ୍ଦେଲି ନାମରେ କଥିତ । ଏଥିରେ ପ୍ରସିଦ୍ଧ ମାଧବ ଗୁମ୍ଫା ଅବସ୍ଥିତ । ଏହି ପର୍ବତରେ ସିଦ୍ଧ ସାଧକ ମାଧବ ବାବା ମାଧବ ଗୁମ୍ଫାରେ ସାଧନାରେ ନିମଜ୍ଜିତ ଥିଲେ । ମାଧବ ଗୁମ୍ଫାର ଦ୍ବାର ଦେଶରେ ଶ୍ରୀଜଗନ୍ନାଥଙ୍କର ଏକ ଆକୃତି ରହିଅଛି ମାଧବ ବାବାଙ୍କ ରଚିତ ଗୁରୁଗୀତାରେ ଶ୍ରୀଜଗନ୍ନାଥଙ୍କ ପାତାଳି ସଂପର୍କରେ ଉଲ୍ଲେଖ ଅଛି । ବାବା ମାଧବ ତ୍ରିକୂଟ ପର୍ବତରେ ଶ୍ରୀଜଗନ୍ନାଥଙ୍କର ଅବସ୍ଥାନ ଓ ମହିମା ବିଷୟରେ ଧାରଣା ଦେଇଛନ୍ତି ।
ତୃତୀୟ ପର୍ବତର ନାମ ଧ୍ଵଜା ବନ୍ଧା ଏହାର ଦାରୁ କୋଣରେ ୪୫ଫୁଟର ଜଗନ୍ନାଥ ଗୁମ୍ଫା ଅବସ୍ଥିତ । ଏଠାରେ ଶ୍ରୀଜୀଉମାନଙ୍କୁ ପାତାଳି କରାଯାଇ ଥିବାର ଜଣାଯାଏ । ପ୍ରତ୍ୟେକ ଗୁମ୍ଫା ଉପରେ ଏକ ବରଗଛ ରହିଛି । କୋଟ ସମଲାଇ ପାହାଡର ବିଭିନ୍ନ ଗୁମ୍ଫାରେ ଶ୍ରୀଜଗନ୍ନାଥଙ୍କର ପ୍ରାଚୀନ ପୂଜା ସମ୍ବନ୍ଧୀୟ ପ୍ରତ୍ନତାତ୍ତ୍ୱିକ ଅବଶେଷ ରହିଥିବାର ଜଣାଯାଏ ।
( ସଂଗୃହିତ )
Comments are closed.