ବାଣପୁରର ଦକ୍ଷପ୍ରଜାପତି ମନ୍ଦିର 

କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ସମସାମୟିକ ଆଉ ଏକ ଚମତ୍କାର କାରୁକାର୍ଯ୍ୟପୂର୍ଣ୍ଣ ସୁନ୍ଦର ମନ୍ଦିର ହେଉଛି ବାଣପୁରର ଦକ୍ଷେଶ୍ୱର ମନ୍ଦିର ବା ଶ୍ରୀଦକ୍ଷପ୍ରଜାପତି ମନ୍ଦିର । କଳିଙ୍ଗ ସ୍ଥାପତ୍ୟ ଶୈଳୀର ଏହା ଯେ ଏକ ଶ୍ରେଷ୍ଠ କଳାନୈପୁଣ୍ୟ ଏଥିରେ ଦ୍ବିମତ ନାହିଁ ।

ବାଣପୁର ଭଗବତୀ ମନ୍ଦିରକୁ ଯିବା ବାଟରେ ରାସ୍ତାର ଦକ୍ଷିଣ ପାର୍ଶ୍ୱରେ ଏହି ମନ୍ଦିରଟି ଦଣ୍ଡାୟମାନ । ସୁଉଚ୍ଚ, ସୁଦୃଶ୍ୟ, ସୁପ୍ରସିଦ୍ଧ ଏହି ମନ୍ଦିରଟି ପ୍ରାୟ ସମସ୍ତଙ୍କ ଦୃଷ୍ଟିରେ ପଡ଼ିଥାଏ । କଳିଙ୍ଗୋତ୍କଳର ହାତ ଗଣତି କେତୋଟି ପ୍ରାଚୀନ ମନ୍ଦିର ମାନଙ୍କ ମଧ୍ୟରେ ଏହି ମନ୍ଦିରଟି ଅନ୍ୟତମ ।

ଇତିହାସରୁ ଯାହା ଜଣାଯାଏ ପ୍ରାୟ ଦଶମ ବା ଏକାଦଶ ଶତାବ୍ଦୀରେ ଏହି ମନ୍ଦିରଟି ନିର୍ମାଣ ହୋଇଥିଲା । ଉତ୍କଳର ଏହି ଦକ୍ଷିଣାଞ୍ଚଳଟି ଶୈଳୋଦ୍ଭବ ଶାସକଙ୍କ ଦ୍ୱାରା ବହୁ ପୂର୍ବରୁ ଶାସିତ ହେଉଥିଲା । ଏଣୁ ଏହି ମନ୍ଦିରଟି କୋଣାର୍କର ସୂର୍ଯ୍ୟ ମନ୍ଦିର ନିର୍ମାଣର ବହୁ ପୂର୍ବରୁ ନିର୍ମାଣ ହୋଇଥିବା କେହିକେହି ମତ ବ୍ୟକ୍ତ କରନ୍ତି ।

ଏହି ମନ୍ଦିରର ନାମ କରଣ ପଛରେ, ବ୍ରହ୍ମାଙ୍କ ପୁତ୍ର ରାଜା ଦକ୍ଷ, ଦକ୍ଷଙ୍କ କନ୍ୟା ସତୀ ଓ ସତୀଙ୍କ ପତି ମହାଦେବ ଶିବଙ୍କୁ ନେଇ ଥିବା ପୌରାଣିକ ଆଖ୍ୟାୟିକା ‘ଦକ୍ଷଯଜ୍ଞ’ ବିଷୟର ନିହାତି ସମ୍ପର୍କ ଥିବା ଅନୁମେୟ । ଏଠାରେ ‘ଦକ୍ଷ ପ୍ରଜାପତି’ ଶିବଙ୍କ ରୂପରେ ‘ଦକ୍ଷେଶ୍ୱର’ ନାମରେ ପୂଜା ପାଆନ୍ତି ।

ମନ୍ଦିରର ବିମାନଟି ରେଖ ଶୈଳୀରେ ନିର୍ମିତ ହୋଇଥିବାବେଳେ, ଜଗମୋହନଟି ପିଢ଼ ଶୈଳୀରେ ନିର୍ମିତ । ପରବର୍ତ୍ତୀ ସମୟରେ ଭୋଗ ମଣ୍ଡପଟି ନିର୍ମାଣ ହୋଇଛି, ଯାହାକି କେତେଗୁଡ଼ିଏ ସ୍ତମ୍ଭ ଉପରେ ସମତଳ ଛାତ ବିଶିଷ୍ଟ ଅଥଚ ଚତୁର୍ପାଶ୍ୱ ଖୋଲା ଏବଂ ଖୁବ୍ ସୁନ୍ଦର ।

ମନ୍ଦିର ଗର୍ଭ ଗୃହରେ ବୃତ୍ତାକାର ଯୋନିପୀଠ ମଧ୍ୟରେ ଶିବଲିଙ୍ଗ ରହିଛନ୍ତି । ମନ୍ଦିରର ବିମାନ ଓ ଜଗମୋହନ ପୁରାତନ ନିର୍ମାଣ ହୋଇଥିବା ବେଳେ ଭୋଗମଣ୍ଡପ ଆଦି ପରବର୍ତ୍ତୀ ସମୟରେ ନିର୍ମାଣ କରାଯାଇଛି । ଅନ୍ୟ ଶିବମନ୍ଦିର ପରିଏହି ମନ୍ଦିରର ପାର୍ଶ୍ଵ ଦେବଦେବୀ ଭାବରେ ଶ୍ରୀଗଣେଶ, କାର୍ତ୍ତିକେୟ ଓ ପାର୍ବତୀଙ୍କ ସମେତ ଅଷ୍ଟଦିଗପାଳ ଙ୍କ ପ୍ରତିମା ମନ୍ଦିର ଗାତ୍ରରେ ସ୍ଥାନ ପାଇଛି ।

ପୂର୍ବ ମୁଖା ମହାବୀର ହନୁମାନଙ୍କ ମୂର୍ତ୍ତି ମଧ୍ୟ ଏଠାରେ ଦେଖିବାକୁ ମିଳିଥାନ୍ତି । ମୁଖ୍ୟ ମନ୍ଦିରର ବାମପାର୍ଶ୍ୱରେ ଏକ ଜଳପୂର୍ଣ୍ଣ ବାମ୍ଫି ରହିଛି । ଲୋକ ବିଶ୍ୱାସ  ରହିଛି ସର୍ପlଘାତ ରୋଗୀର ଚିକିତ୍ସା ଏହି ବାମ୍ଫିର ଶହେ ଆଠଗରା ଜଳରେ ସ୍ନାନ କରାଯାଇ କରାଯାଇ ଥାଏ । ଫଳରେ ରୋଗୀ ସୁସ୍ଥ ହୋଇ ଥିବାର ଶୁଣିବାକୁ ମିଳିଥାଏ।

ନିକଟରେ ଥିବା ବାଣପୁର ଭଗବତୀ ମନ୍ଦିର ସହିତ ଏହିମନ୍ଦିରର କେତେକ ନୀତିକାନ୍ତି, ପୂଜା ଵିଧି ଓ ପରମ୍ପରା ର ସାମଞ୍ଜସ୍ୟତା ରହିଛି । ଦକ୍ଷପ୍ରଜାପତି ମନ୍ଦିରରେ ମାଆ ଭଗବତୀଙ୍କୁ କାଠି ଠାକୁରାଣୀ ଭାବରେ, କଦମ୍ବ ଗଛର ଏକ ଗଣ୍ଡିକୁ ବସ୍ତ୍ରାବୃତ୍ତ କରାଯାଇ ପୂଜା କରାଯାଏ । ଭଗବତୀ ମନ୍ଦିରରେ ମଧ୍ୟ ସେହିପରି ଏକ ବୃକ୍ଷଗଣ୍ଡି ବାସ୍ତ୍ରାବୃତ୍ତ ହୋଇ ପୂଜା ପାଉଛନ୍ତି । ଅନେକଙ୍କ ମତରେ ପୁରାଣ ଯୁଗରେ ଏହିରାଜ୍ୟରେ ବାଣାସୁର  ଦୈତ୍ୟ ରାଜୁତି କରୁଥିଲେ। ସେଇ ବାଣାସୁର ଦୈତ୍ୟର ଇଷ୍ଟଦେଵ ଏହି ଦକ୍ଷେଶ୍ୱର ମହାଦେବ ଥିଲେ।

(  ସଂଗୃହିତ )

Comments are closed.