ଶ୍ରୀବ୍ରଜମଣ୍ଡଳ ପରିକ୍ରମା: ଆକବରଙ୍କ ରାଜତ୍ୱ କାଳରେ ପୁନଃ ନିର୍ମିତ ହୋଇଥିଲା ଶ୍ରୀହରିଦେଵ ମନ୍ଦିର

ଶ୍ରୀହରିଦେଵ ମନ୍ଦିର:- ମଥୁରା ଜିଲ୍ଲା ଗୋବର୍ଦ୍ଧନ ଅନ୍ତର୍ଗତ ଶ୍ରୀମାନସଗଙ୍ଗାର ତଟ-ପ୍ରଦେଶର ଦକ୍ଷିଣରେ ରହିଛି ଶ୍ରୀହରିଦେଵ ମନ୍ଦିର ।ଶ୍ରୀବ୍ରଜମଣ୍ଡଳର ଏହା ଏକ ଦର୍ଶନୀୟ ସ୍ଥାନ। ଏହି ଶ୍ରୀହରିଦେଵ ମନ୍ଦିର ଆକବରଙ୍କ ରାଜତ୍ୱ କାଳରେ ମ୍ବରାଧିପତି ରାଜା ଭଗବାନ ଦାସ ନିର୍ମାଣ କରିଥିଲେ। ରାଜା ଭଗବାନ ଦାସ ହେଉଛନ୍ତି ଜୟପୁରର ରାଜା ମାନସିଂହଙ୍କର ପିତା। ରାଜା ଭଗବାନ ଦାସ ‘ ସାରନେଲ’ର ଯୁଦ୍ଧରେ ଆକବରଙ୍କ ଜୀବନ ରକ୍ଷା କରିଥିଲେ। ଯାହାଫଳରେ ସିଏ ପରବର୍ତ୍ତୀ ସମୟରେ ପଞ୍ଜାବର ଶାସନକର୍ତ୍ତା ପଦରେ ନିଯୁକ୍ତ ହୋଇଥିଲେ। ଆନୁମାନିକ ୧୫୯୦ ଖ୍ରୀଷ୍ଟାବ୍ଦରେ ଭଗବାନ ଦାସଙ୍କ ଲାହୋର ରେ ମୃତ୍ୟୁ ହୋଇ ଥିଲା। ଭଗବାନ ଦାସଙ୍କ କନ୍ୟା ତତ୍କାଳୀନ ଯୁବରାଜ ସେଲିମଙ୍କ ମହିଶୀ ହୋଇଥିଲେ। ଏହି ସେଲିମ ହିଁ ପରବର୍ତ୍ତୀ କାଳରେ ଜାହାଙ୍ଗିର ନାମରେ ବିଖ୍ୟାତ ହୋଇଥିଲେ।

ଶ୍ରୀହରିଦେଵ ମନ୍ଦିର ବହୁ ଅର୍ଥ ବ୍ୟୟରେ ନିର୍ମିତ ହୋଇଛି। ଏକ ଉଚ୍ଚ ସିଡିଦେଇ ମନ୍ଦିର ର ସୁବୃହତ ଦ୍ୱାର ଦେଖିବାକୁ ମିଳିଥାଏ। ମନ୍ଦିର ଜଗମୋହନର ଦ୍ୱାରର ଚୌବାଟ ସମ୍ପୂର୍ଣ୍ଣ ରୁପାରେ ନିର୍ମିତ। ଏହାର ପ୍ରାଚୀନ୍ନ ଶିଳ୍ପକଳାର ନିଦର୍ଶନ ସ୍ୱରୂପ ମନ୍ଦିର ଗାତ୍ରରେ ବହୁ କାରୁକାର୍ଯ୍ୟ ଖୋଦିତ ହୋଇଥିବା ଦେଖିବାକୁ ମିଳେ।

ଏହି ମନ୍ଦିରରେ ଗୋବର୍ଦ୍ଧନ ଧାରୀ ଶ୍ରୀହରିଦେଵଙ୍କ ସୁନ୍ଦର ବିଗ୍ରହ ବିରାଜିତ। ଏହି ସ୍ଥାନରେ ଶ୍ରୀ ରାଧାରାଣୀଙ୍କ ବଦଳରେ ଶ୍ରୀଶାଳଗ୍ରାମ ବିଗ୍ରହ ରାଧା ରୂପରେ ପୂଜିତ।ଶ୍ରୀହରିଦେଵ ମଥୁରାପଦ୍ମର ପଶ୍ଚିମଦଳର ଅଧିଦେଵ। ଶ୍ରୀଚୈତନ୍ୟ ମହାପ୍ରଭୁ ବନ ଗମନ ସମୟରେ ଏହି ସ୍ଥାନରେ ଏକ ରାତ୍ରି ବିଶ୍ରାମ ନେଇଥିଲେ।

ଶ୍ରୀହରିଦେଵଙ୍କ ସମ୍ବନ୍ଧରେ ଆଦିବରାହ ପୁରାଣ ଓ ଚୈତନ୍ୟ ଚାରିତାମୃତ ଗ୍ରନ୍ଥରେ ସବିଶେଷ ବିବରଣୀ ବର୍ଣ୍ଣିତ ହୋଇଛି। ଶ୍ରୀହରିଦେଵଙ୍କ ଶ୍ରୀବିଗ୍ରହ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରପୌତ୍ର ବଜ୍ରନାଭଙ୍କ ଦ୍ଵାରା ସ୍ଥାପିତ ହୋଇଥିଲା। ଶ୍ରୀହରିଦେଵ ହେଉଛନ୍ତି ଶ୍ରୀ ଗିରିରାଜ ଗୋବର୍ଦ୍ଧନଙ୍କ ଅଧିଷ୍ଠାତୃ ଦେବତା।

Comments are closed.