୧୪ଟି ସାଇବର ଓ ୩ ଉନ୍ନୀତ ଥାନର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଜ୍ୟରେ ୧୪ଟି ସାଇବର ଥାନାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାର ଲୋକଙ୍କ ଜୀବନ, ସ୍ୱାଧୀନତା ଓ ସଂପତ୍ତିକୁ ସାଇବର ଅପରାଧରୁ ସୁରକ୍ଷା ଦେବା ଲାଗି ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଥାନା ଉଦଘାଟନ କରିବା ଅବସରରେ କହିଛନ୍ତି । ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଉଛି । ଏହା ପ୍ରମୁଖ ଅପରାଧରେ ପରିଣତ ହୋଇଛି । ଏହା ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ହେଉଛି, ଯାହା କି ଚିନ୍ତାଜନକ । ସାଇବର ଅପରାଧୀ ବିଦେଶରେ ବସି ଲୁଟ୍ ବେଳେ ବାରମ୍ବାର ସର୍ଭର ବଦଳାଉଛନ୍ତି, ଯାହା କି ବଡ ଆହ୍ୱାନ ସୃଷ୍ଟି କରିଛି । ଆର୍ଥିକ ଅପରାଧ ଏବେ ବ୍ଲୁ କଲାର କ୍ରାଇମରେ ପରିଣତ ହୋଇଛି । ଏହା ବ୍ୟକ୍ତି ଓ ଦେଶର ଆର୍ଥିକ କ୍ଷତି କରେ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ।

ଉଦଘାଟିତ ନୂଆ ଥାନାରେ ତାଲିମପ୍ରାପ୍ତ ପୋଲିସ କର୍ମଚାରୀଙ୍କ ସହ ଟେକ୍ନିକାଲ ଏକ୍ସପର୍ଟ ରହିବେ । ଆର୍ଥିକ ଓ ସାଇବର ଅପରାଧର ତଦନ୍ତ ପାଇଁ ସେମାନଙ୍କୁ ଉନ୍ନତମାନର ହାର୍ଡୱେୟାର ଓ ସଫ୍ଟୱେୟାର ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ତିନି ଉନ୍ନୀତ ଥାନାର ମଧ୍ୟ ଉଦଘାଟନ କରିଛନ୍ତି । ଇନଫୋ ଭ୍ୟାଲି ସ୍ପେଶାଲ ଇକୋନୋମିକ ଜୋନ୍ , କଟକ ବୟାଳିଶି ମୌଜା ଓ ପାହାଳ ଫାଣ୍ଡିକୁ ଥାନାରେ ରୂପାନ୍ତରିତ କରାଯାଇଛି । ଏହି ତିନି ଉନ୍ନୀତ ଥାନା ଦ୍ୱାରା ଟ୍ୱିନ ସିଟିରେ ପୋଲିସର ଶକ୍ତି ବୃଦ୍ଧି ପାଇବ ।

ନୂଆ ପୋଲିସ ଥାନା ସାଇବର ଓ ଆର୍ଥିକ ଅପରାଧୀଙ୍କୁ ଧରିବାରେ ସଫଳ ହେବ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି । ଉଦଘାଟନ କାର୍ଯ୍ୟକ୍ରମରେ ପୋଲିସ ଡିଜି ଅଭୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆଇଜି ଅପରେସନ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ୫-ଟି ସଚିବ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Comments are closed.