ପର୍ଯ୍ୟଟନ ମାନଚିତ୍ରରେ ଆଉ ଏକ ପୃଷ୍ଠା: ପୂର୍ବ ଭାରତର ପ୍ରଥମ ଶବ୍ଦ ଆଲୋକ ଥ୍ରୀଡି ମ୍ୟାପିଙ୍ଗ ମ୍ୟୁଜିକାଲ ଫାଉଣ୍ଟେନ୍‌ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ୬.୯୪ କୋଟି ଟଙ୍କା ବ୍ୟୟ ଅଟକଳ। ପୂର୍ବ ଭାରତର ପ୍ରଥମ ଶବ୍ଦ ଆଲୋକ ଥ୍ରୀଡି ମ୍ୟାପିଙ୍ଗ ମ୍ୟୁଜିକାଲ ଫାଉଣ୍ଟେନ୍। ଏହାକୁ ଲୋକାର୍ପିତ କରି ରେଶମ ସହରବାସୀଙ୍କୁ ନୂଆବର୍ଷର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରେଶମ ସହରର ସୌନ୍ଦର୍ଯ୍ୟକରଣ ଅଧ୍ୟାୟରେ ଆଉ ଏକ ପୃଷ୍ଠା ଯୋଡ଼ି ହୋଇଯାଇଛି। ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ମ୍ୟୁଜିକାଲ୍ ଫାଉଣ୍ଟେନ୍ ବ୍ରହ୍ମପୁର ରାମଲିଙ୍ଗେଶ୍ବର ପ୍ରମୋଦ ଉଦ୍ୟାନରେ ପର୍ଯ୍ୟଟକଙ୍କୁ ବହୁ ସଂଖ୍ୟାରେ ଆକୃଷ୍ଟ କରିବାକୁ ଏବେ ପ୍ରସ୍ତୁତ।

ଜାନିବିଲି ପାନୀୟ ଜଳ ପ୍ରକଳ୍ପ, ସ୍ପୋର୍ଟସ୍ ଏରେନା, ରାମଲିଙ୍ଗମ୍ ପାର୍କ ପ୍ରଥମ ପର୍ଯ୍ୟାୟ ଆଦି ଭେଟି ଦେଇଥିବା ମୁଖ୍ୟମନ୍ତ୍ରୀ ୨୦୨୨ ମସିହା ପୂର୍ବରୁ ପର୍ଯ୍ୟଟନ ମାନଚିତ୍ରରେ ରାଜ୍ୟର ଏହି ପ୍ରମୁଖ ସହରକୁ ଅନ୍ୟତମ ପ୍ରମୁଖ ସ୍ଥାନ ଦେବାକୁ ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାବାସୀଙ୍କୁ ଆଉ ଏକ ଉପହାର ଭେଟି ଦେଇଛନ୍ତି। ଭର୍ଚୁଆଲ ମାଧ୍ୟମରେ ଏହି ଫାଉଣ୍ଟେନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ଉଦଘାଟନ କରିଛନ୍ତି। ମ୍ୟୁଜିକାଲ ଫାଉଣ୍ଟେନ ପର୍ଯ୍ୟଟନ ମାନଚିତ୍ରରେ ଆଉ ଏକ ନୂତନ ପୃଷ୍ଠା ଯୋଡ଼ିବ ବୋଲି ଏହି ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ। ବ୍ରହ୍ମପୁରକୁ ଏକ ନୂତନ ପର୍ଯ୍ୟଟନ ସ୍ଥଳ ଭାବରେ ପରିଚିତ କରାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। କରୋନା ବିଭୀଷିକା କାଳରେ ଅସ୍ତବ୍ୟସ୍ତ ହୋଇଯାଇଥିଲା ଜୀବନ ଓ ଜୀବିକା। ତାହାର ସଫଳ ମୁକାବିଲା ସାଙ୍ଗକୁ ସେହି ସଙ୍କଟର କାଳକୁ ପଛରେ ପକାଇ ନୂତନ ଭାବରେ ଆଗେଇ ଯାଉଛନ୍ତି ଓଡ଼ିଶାବାସୀ। ଏଭଳି ସ୍ଥିତିରେ ଏହି ଆଧୁନିକ ଜ୍ଞାନକୌଶଳଯୁକ୍ତ ମନୋରମ ଓ ମନଲୋଭା ପ୍ରକଳ୍ପ ପର୍ଯ୍ୟଟକଙ୍କ ମନରେ ଆନନ୍ଦ ଉଲ୍ଲାସ ଭରି ଦେବ। ଏକ ନୂତନ ଦିବସକୁ ଆଗଭର ହୋଇ ଦେଖିବା ସହ ଆମେ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବାରେ ସହଯୋଗୀ ହେବା ବୋଲି ଆଶାବ୍ୟକ୍ତ କରିଛନ୍ତି ନବୀନ ପଟ୍ଟନାୟକ।

ଏହି ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ମ୍ୟୁଜିକାଲ୍ ଫାଉଣ୍ଟେନ୍ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ଏବଂ ବ୍ରହ୍ମପୁର ମହାନଗର ନିଗମ ଆନୁକୂଲ୍ୟରେ ସ୍ଥାପିତ ହୋଇଛି। ଏହାର ୩-ଡି ମ୍ୟାପିଙ୍ଗ୍ କୌଶଳ ଦର୍ଶକଙ୍କୁ ଆଣିଦେବ ଏକ ନିଆରା ଅନୁଭବ। ଫାଉଣ୍ଟେନ ମଧ୍ୟରେ ଥିବା ଭେରିଓମାଷ୍ଟର ଜେଟ୍ ସାରା ଭାରତର ପ୍ରଥମ ଓ ବିଶ୍ଵର ଦ୍ଵିତୀୟ। କେବଳ ସେତିକି ନୁହେଁ, ଏସ୍.ଇ ଜର୍ମାନୀ ସଂସ୍ଥା ଦ୍ଵାରା ନିର୍ମିତ ଏଭଳି ପ୍ରକଳ୍ପ ବିଶ୍ବର କେବଳ ହାତଗଣତି ସ୍ଥାନ ଯଥା ସିଓଲ୍, ଦୁବାଇ, ସିଙ୍ଗାପୁର, ଫ୍ରାନ୍ସ ଆଦି ସହରରେ ସ୍ଥାପିତ ହୋଇଛି। ଏହି ପ୍ରକଳ୍ପ ଶକ୍ତି ସଂରକ୍ଷଣ ଦୃଷ୍ଟିରୁ ବେଶ୍ ଉପଯୋଗୀ। ଡିଏସ୍ଏକ୍ସ / ଆର୍‌ଡିଏମ୍ ଟେକ୍ନୋଲୋଜି ଦ୍ବାରା ଏହା ନିୟନ୍ତ୍ରିତ। ଉଲ୍ଲେଖଯୋଗ୍ୟ ଯେ ଥ୍ରୀଡି ମ୍ୟାପିଙ୍ଗ ଓ ତାର ପଟ୍ଟକଥା ରଚନା କରିଛନ୍ତି ସଙ୍ଗୀତ ଜଗତର ଅନ୍ୟତମ ନାଁକରା ବ୍ୟକ୍ତିବିଶେଷ ଅମନ ଅରୋରା। ଏଥିରେ ସହଯୋଗ କରିଛନ୍ତି ସୁନାମଧନ୍ୟ ହିନ୍ଦୀ ଓ ସଂସ୍କୃତ ଗବେଷକ ତଥା ନୂଆଦିଲ୍ଲୀ ସ୍ଥିତ ହିନ୍ଦୀ ଭାଷା ସାହିତ୍ୟ ଏକାଡେମୀ ସଚିବ ଡ. ଜିତରାମ ଭଟ୍ଟ। ଏହାର ପଛଦପଟ୍ଟ ସ୍ବର ସଜାଇଛନ୍ତି ଦେଶର ସୁନାମଧନ୍ୟ ଗାୟକ ଜିତେନ୍ଦ୍ର ପ୍ରସାଦ। ସେହିପରି ସଙ୍ଗୀତରେ ସଜାଇଛନ୍ତି ଅନ୍ତର୍ଜାତୀୟ ସ୍ବନାମଧନ୍ୟ ମ୍ୟୁଜିକାର ବ୍ୟାଣ୍ଡ ଇଣ୍ଡିଆନ ଓସେନ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ଭର୍ଚୁଆଲ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପର୍ଯ୍ୟଟକଙ୍କ ସକାଶେ ବ୍ରହ୍ମପୁରବାସୀଙ୍କ ଏହା ଏକ ଅନବଦ୍ୟ ଉପହାର ହେବ ଯାହା ପର୍ଯ୍ୟଟକଙ୍କୁ ବହୁ ମାତ୍ରାରେ ଆକୃଷ୍ଟ କରିବ ବୋଲି କହିଛନ୍ତି ବିଡିଏ ଉପାଧ୍ୟକ୍ଷ ତଥା ବିଏମସି କମିଶନର ଡ. ସିଦ୍ଧେଶ୍ଵର ବଳିରାମ ବୋନ୍ଦାର। କାର୍ଯ୍ୟକ୍ରମରେ ବ୍ରହ୍ମପୁର ଓ ଆସିକା ସାଂସଦଙ୍କ ସମେତ ବହୁ ବିଧାୟକ, ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

Comments are closed.