ଆଉ ନାହାନ୍ତି ଲୋକପ୍ରିୟ ଅଭିନେତା ମିହିର ଦାସ, ୬୩ ବର୍ଷ ବୟସରେ ପରଲୋକ

କଟକ-ଓଡିଆ ସିନେମାର ଲୋକପ୍ରିୟ ଅଭିନେତା ମିହିର ଦାସ ଆଉ ନାହାନ୍ତି । କଟକର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ୬୩ ବର୍ଷ ବୟସରେ ଆଖି ବୁଜିଛନ୍ତି ମିହିର ଦାସ । ଦୀର୍ଘ ୪୦ ବର୍ଷ ଧରି ସିନେମା ସହ ଜଡିତ ଥିଲେ ମିହିର ଦାସ ।୧୯୮୦ରେ ରାମାୟଣ ଚଳଚ୍ଚିତ୍ରରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ମିହିର । ୨୦୦ରୁ ଅଧିକ ଫିଲ୍ମରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି ମିହିର ଦାସ ।

୧୯୫୯ ମସିହା ଫେବ୍ରୁଆରୀ ୧୧ ତାରିଖରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ ମିହିର । ନିଜର ସଫଳ ଚଳଚ୍ଚିତ୍ର କ୍ୟାରିଅର ମଧ୍ୟରେ ସେ ନାୟକ, ପାଶ୍ୱର୍ନାୟକ, ଖଳନାୟକ ଓ ଚରିତ୍ର ଅଭିନେତା ଭାବେ ଅଭିନୟ କରି ଓଡିଆ ସିନେପ୍ରେମୀଙ୍କ ବେଶ୍ ଲୋକପ୍ରିୟ ଅଭିନେତା ହୋଇପାରିଥିଲେ । ୧୯୯୮ରେ ଲକ୍ଷ୍‌ମୀ ପ୍ରତିମା ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ପ୍ରଥମ ଥର ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ଫେରି ଆ ମୋ ସୁନା ଭଉଣୀ ଚଳଚ୍ଚିତ୍ରରେ ମଧ୍ୟ ତାଙ୍କ ଅଭିନୟକୁ ଆଜି ବି ମନେ ରଖିଛନ୍ତି ସିନେପ୍ରେମୀ । ୨୦ରୁ ଅଧିକ ଟିଭି ସିରିଏଲରେ ମଧ୍ୟ ନିଜ ଅଭିନୟର ଛାପ ଛାଡିଛନ୍ତି ମିହିର । ଏହି ମହାନ ଅଭିନେତାଙ୍କ ମୃତ୍ୟୁରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି ।

Comments are closed.