ବିଷ୍ଣୁଙ୍କ ଅତିପ୍ରିୟ ପୁତ୍ରଦା ଏକାଦଶୀ। କାମନାର୍ଥୀଙ୍କୁ ପ୍ରାପ୍ତ ହୋଇଥାଏ ସୁପୁତ୍ର

ପୌଷମାସ ଶୁକ୍ଳପକ୍ଷରେ ଯେଉଁ ଏକାଦଶୀ ପଡେ ତାହାକୁ ପୁତ୍ରଦା ଏକାଦଶୀ କୁହାଯାଏ । ପୁତ୍ରଦା ଏକାଦଶୀରେ ନାମମନ୍ତ୍ର ଜପ କରିବା ସହ ଶ୍ରୀହରିଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଏକାଦଶୀ ତିଥିରେ ଦୀପଦାନ ସହ ସମସ୍ତ ଫଳ ପୂଜାକରିବା ବିଧାନ ରହିଛି । ଭଗବାନ୍ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ଏହି ବ୍ରତର ମହତ୍ତ୍ୱକୁ ବ୍ୟାଖ୍ୟା କରି କହିଥିଲେ – ଏହି ତିଥିର ଅଧିଦେବତା ହେଉଛନ୍ତି ଭଗବାନ ନାରାୟଣ । ଏହି ତିଥିରେ ସମସ୍ତ ପାପନାଶ ହୋଇଥାଏ I ପୂର୍ବକାଳରେ ଭଦ୍ରାବତୀ- ପୁରୀ ରାଜା ସୁକେତୁମାନ୍ ଶାସନ କରୁଥିଲେ । ତାଙ୍କର କୌଣସି ସନ୍ତାନ ନଥିଲା ଏହି କାରଣରୁ ରାଜା ଓ ରାଣୀ ଚମ୍ପା ଚିନ୍ତାରେ ରହୁଥିଲେ । ଦିନେ ରାଜା ରାଜପରିବାରର କୌଣସି ସଦସ୍ୟଙ୍କୁ ନ ଜଣାଇ ବନ୍ୟ ଭ୍ରମଣ କରିବା ପାଇଁ ବାହାରିଲେ । ରାଜା ବନର ଶୋଭାକୁ ଦେଖୁ ଦେଖୁ ଦ୍ୱିପ୍ରହର ହୋଇଗଲା । ରାଜା ଭୋକ ଶୋଷରେ ଆଉଟୁ ପାଉଟୁ ହୋଇ ଖାଦ୍ୟସଂଗ୍ରହ ପାଇଁ ଖୋଜି ବୁଲି ଲେ । ଶେଷରେ ଏକ ସରୋବର ତଟରେ ଅନେକ ମୁନିଋଷିମାନଙ୍କର ଆଶ୍ରମ ସ୍ଥଳୀ ରହିଥିବାର ଦେଖିଲେ । ଏହା ରାଜାଙ୍କ ପାଇଁ ସୌଭାଗ୍ୟ ଥିଲା । ସେ ତତ୍‌କ୍ଷଣାତ ଘୋଡା ଉପରେ ବସି ସରୋବର ନିକଟରେ ପହଞ୍ଚି ସମସ୍ତ ମୁନିଋଷିମାନଙ୍କୁ ବନ୍ଦନା କରିବାକୁ ଲାଗିଲେ । ତାଙ୍କର ବନ୍ଦନାରେ ମୁନିଋଷିମାନେ ପ୍ରସନ୍ନ ହେଲେ । ରାଜା ମୁନିମାନଙ୍କୁ ଦେଖି ପଚାରିଲେ ଆପଣମାନେ କିଏ ? ଆପଣଙ୍କ ନାମ କ’ଣ ତଥା ଆପଣମାନେ ଏଠାରେ ଏକତ୍ର ହୋଇଛନ୍ତି କାହିଁକି ?

ମୁନିବୃନ୍ଦ କହିଲେ – ଆମେ ସମସ୍ତେ ବିଶ୍ୱେଦେବ । ସ୍ନାନ କରିବାକୁ ଆସିଛୁ । ମାଘମାସ ନିକଟରେ ଆସୁଛି । ଆଜିଠାରୁ ପାଞ୍ଚଦିନ ଧରି ମାଘ ସ୍ନାନ ଆରମ୍ଭ ହେବାକୁ ଯାଉଛି । ଆଜି ହିଁ ପୁତ୍ରଦା ଏକାଦଶୀ ତିଥି। ଯିଏ ଏହି ବ୍ରତ ପାଳନ କରିବ ତା’ର ପୁତ୍ରସନ୍ତାନ ପ୍ରାପ୍ତହେବ ।

ରାଜା କହିଲେ ହେ ବିଶ୍ୱେଦେବଗଣ ଯଦି ଆପଣମାନେ ମୋ ଉପରେ ପ୍ରସନ୍ନ ଅଛନ୍ତି ତ ମୋର ପୁତ୍ରସନ୍ତାନ ଲାଭପାଇଁ ଆଶୀର୍ବାଦ କରନ୍ତୁ । ମୁନି କହିଲେ ରାଜନ୍ ଏହିବ୍ରତ ବହୁତ ବିଖ୍ୟାତ I ଆଜିଠାରୁ ଏହିବ୍ରତ ପାଳନ କରନ୍ତୁ । ମହାରାଜ ଭଗବାନ୍ କେଶବଙ୍କ ଆଶୀର୍ବାଦରୁ ଆପଣଙ୍କୁ ପୁତ୍ର ସନ୍ତାନ ଅବଶ୍ୟ ପ୍ରାପ୍ତ ହେବ । ଏହି ପ୍ରକାର ମୁନିଙ୍କ କହିବାନୁଯାୟୀ ରାଜା ଏହି ବ୍ରତକୁ ପାଳନ କରିବା ସହ ପୁତ୍ରଦା ଏକାଦଶୀ ଉତ୍ସବ ଅନୁଷ୍ଠିତ କରାଇଲେ I ଦ୍ୱାଦଶରେ ସେ ନିଜ ବ୍ରତକୁ ଉଦ୍ ଯାପିତ କରି ମୁନିଙ୍କ ଚରଣ ସ୍ପର୍ଶ କରି ଘରକୁ ଫେରିଲେ ।

ସେହିଦିନ ରାଣୀ ଗର୍ଭଧାରଣ କଲେ । ରାଜାଙ୍କର ଏକ ତେଜସ୍ୱୀ ପୁତ୍ର ହେଲା ଯାହା ସମସ୍ତ ଗୁଣର ଅଧିକାରୀ ହେବା ସହ ପ୍ରଜାମାନଙ୍କର ପାଳକ ମଧ୍ୟ ହୋଇପାରିଲା । ଏହି ଦୃଷ୍ଟିରୁ ପୁତ୍ରଦା ଏକାଦଶୀ ବ୍ରତ ସମସ୍ତ ଏକାଦଶୀଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ । ଏହି ବ୍ରତ ରଖିବାଦ୍ୱାରା ପୁତ୍ର ପ୍ରାପ୍ତ ହୁଏ ବୋଲି ଅନେକଙ୍କ ଧାର୍ମିକ ବିଶ୍ୱାସ ରହିଛି I

Comments are closed.