ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ବିୟୋଗ

ରାୟଗଡ଼ା: ଗତ ବର୍ଷ ସମ୍ମାନଜନକ ପଦ୍ମଶ୍ରୀ ଉପାଧି ଗ୍ରହଣ କରିଥିବା ରାୟଗଡ଼ା ଜିଲ୍ଲା ଗୁଣପୁରର ବିଶିଷ୍ଟ ମହିଳା ଶାନ୍ତି ଦେବୀ (୮୮ ବର୍ଷ)ଙ୍କ ରବିବାର ମଧ୍ୟରାତ୍ରରେ ବିୟୋଗ ଘଟିଛି। ଗୁଣପୁର ସେବା ସମାଜ ଠାରେ ରହି ଆସୁଥିବା ଶାନ୍ତି ଦେବୀ ସେଠାରେ ହିଁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ହାଲକା ଜ୍ଵର ସାଙ୍ଗକୁ ଛାତିରେ ଯନ୍ତ୍ରଣା ଥିଲା। ରବିବାର ମଧ୍ୟରାତ୍ରରେ ଗୁରୁତର ଛାତି ଯନ୍ତ୍ରଣା ଅନୁଭବ କରି ସେ ଚେତା ହରାଇ ବସିଥିଲେ। ଗୁଣପୁର ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ରମେଶ ଚନ୍ଦ୍ର ସାହୁ ଖବର ପାଇ ସେବା ସମାଜରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ହେଲେ ସେତେବେଳକୁ ପ୍ରାଣତ୍ୟାଗ କରି ସାରିଥିଲେ ପଦ୍ମଶ୍ରୀ ଶାନ୍ତି ଦେବୀ।

ଅଞ୍ଚଳର ସୁନାମଧନ୍ୟ ଗାନ୍ଧିବାଦୀ ନେତା ସ୍ବର୍ଗତ ଡ. ରତନ ଦାସଙ୍କ ସହଧର୍ମିଣୀ ଥିଲେ ଶାନ୍ତି ଦେବୀ। ନିଃସ୍ବାର୍ଥପର ସମାଜ ସେବା, ଅନାଥ ଏବଂ ଆଦିବାସୀଙ୍କ ବିକାଶ କାର୍ଯ୍ୟରେ ପ୍ରାୟ ୫୦ ବର୍ଷରୁ ଉର୍ଦ୍ଧ କାଳ ଲାଗି ନିଜକୁ ନିୟୋଜିତ କରିଥିଲେ ସେ। ସେଥିପାଇଁ ଗତ ନଭେମ୍ବର ୯ରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ପଦ୍ମଶ୍ରୀ ଉପାଧି ଗ୍ରହଣ କରିଥିଲେ। ୧୯୩୮ ମସିହାରେ ବାଲେଶ୍ଵର ଜିଲ୍ଲାରେ ଜନ୍ମିତ ଶାନ୍ତି ଦେବୀ କିଶୋରୀ ଅବସ୍ଥାରୁ ଆଚାର୍ଯ୍ୟ ବିନୋବା ଭାବେଙ୍କ ପ୍ରେରଣାରେ ସମାଜସେବାରେ ନିଜକୁ ସମର୍ପିତ କରିଥିଲେ। ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ସେବା ସମାଜ ପ୍ରତିଷ୍ଠା କରି ଅନାଥ ଆଦିବାସୀ ଶିଶୁଙ୍କ ସକାଶେ ଶିକ୍ଷା ବ୍ୟବସ୍ଥା କରି ଆସୁଥିଲେ।

Comments are closed.