ଅତି ପ୍ରାଚୀନ ପରମ୍ପରା – ଜାନୁଘଣ୍ଟ । ଜଣେ ବ୍ୟକ୍ତି ବିଶେଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ପଦାଙ୍କ ଅନୁସରଣର ଏକ ପ୍ରଚେଷ୍ଟା । କିମ୍ବଦନ୍ତୀ କହେ, ସତ୍ୟଯୁଗରେ ରାଜତ୍ଵ କରିଥିବା ନୃପତି ମାନଙ୍କ ମଧ୍ୟରୁ ଛଅଜଣ ନୃପତି ଥିଲେ ରାଜଚକ୍ରବର୍ତ୍ତୀ – ବଳି, ବେଣ, ମାନ୍ଧାତା, ପୁରୁରବା, ଜାନୁଘଣ୍ଟ ଓ ପର୍ଶୁରାମ । ଏମାନଙ୍କ ମଧ୍ୟରୁ ବଳି ଓ ପର୍ଶୁରାମ ବିଶେଷ ଭାବରେ ଖ୍ୟାତ । ମାନ୍ଧାତା ଓ ପୁରୁରବା ମଧ୍ୟ ଅପରିଚିତ ନୁହଁନ୍ତି । ଅତି ପ୍ରାଚୀନ କାଳକୁ ସୂଚାଇବାକୁ ଯାଇ ‘ମାନ୍ଧାତା ବେଳର କଥା’ ବୋଲି ଆମେ କହିଥାଉ । ଏହି ଷଡଚକ୍ରବର୍ତ୍ତୀ ଥିଲେ ଦାନ, ଧର୍ମ, ଦୟା ଓ ନ୍ୟାୟର ଦୁର୍ଲଭ ଦୃଷ୍ଟାନ୍ତ ଏବଂ ଭାରତର କୌଣସି ନା କୌଣସି ପ୍ରାନ୍ତରେ ସେମାନଙ୍କୁ ସ୍ମରଣ ପୂର୍ବକ କିଛି ଉତ୍ସବ ପାଳନ କରାଯାଏ, ମାତ୍ର ଏମାନେ ଇତିହାସର ସୀମା ସରହଦ ସେପାରିରେ ରହିଯାଇଛନ୍ତି । ମାଦଳାପାଞ୍ଜିରେ ଉଲ୍ଲେଖ ରହିଛି ‘ଜାନୁଘଣ୍ଟ’ଙ୍କ ନାମ । କିଛି ସଂସ୍କୃତଗ୍ରନ୍ଥରେ ‘ଜାନୁଘଣ୍ଟ’ ପରିବର୍ତ୍ତେ ‘ଧୁନ୍ଦୁମାର’ ଏବଂ ‘ପର୍ଶୁରାମ’ଙ୍କ ବଦଳରେ ‘କୀର୍ତ୍ତବୀର୍ଯ୍ୟ’ଙ୍କ ନାମ ଉଲ୍ଲେଖ ରହିଛି ।
ତେବେ ଆମ ଓଡ଼ିଶାରେ ଏକ ବିଶେଷ ସମ୍ପ୍ରଦାୟ ନିଜକୁ ଜାନୁଘଣ୍ଟଙ୍କ ଅନୁଗାମୀ ରୂପେ ପରିଚୟ ଦିଅନ୍ତି ଏବଂ ପର୍ଶୁରାମଙ୍କ ଭକ୍ତ ବୋଲି କୁହନ୍ତି । ରାଜା ଜାନୁଘଣ୍ଟଙ୍କ ପରି ଏମାନେ ନିଜ ଜଙ୍ଘରେ ଏକ ଡୋରରେ ଘଣ୍ଟି ବାନ୍ଧି ଝୁଲାଇଥାନ୍ତି । ବେକରେ ଥାଏ ତୁଳସୀ ମାଳା, ଦେହ ଚନ୍ଦନ ଚର୍ଚ୍ଚିତ ଓ ମୁକ୍ତ, ଆଣ୍ଠୁ ଉପରକୁ ଖଣ୍ଡେ ଗେରୁଆ ବସ୍ତ୍ର, କାନ୍ଧରେ ଫାର୍ସା, କର୍ଣ୍ଣରେ କୁଣ୍ଡଳ, ହାତରେ ମାଟିକୁମ୍ଭ ଧରି ପଞ୍ଚମୁଖୀ ଶଙ୍ଖଧ୍ୱନି କରି ଏମାନେ ଭିକ୍ଷା କରନ୍ତି; ମାତ୍ର ଭିକ୍ଷା ପାଇଁ କାହାର ଦ୍ଵାରସ୍ଥ ହୁଅନ୍ତି ନାହିଁ । ଶଙ୍ଖଧ୍ୱନି ଶୁଣି ଯେଉଁ ଗୃହିଣୀ ସ୍ବେଛାକୃତ ଭାବେ ଯାହା କିଛି ଅର୍ପଣ କରନ୍ତି ତାକୁହିଁ ସେମାନେ ଗ୍ରହଣ କରନ୍ତି । ସୂର୍ଯ୍ୟାସ୍ତ ପରେ ସେମାନେ ଭିକ୍ଷା ଗ୍ରହଣ କରନ୍ତି ନାହିଁ ଏବଂ ଜାନୁଦେଶରୁ ଘଣ୍ଟିଟିକୁ ଖୋଲି ଦିଅନ୍ତି । ଘଣ୍ଟି ଖୋଲିଲା ପରେ ସେମାନେ ମୌନ ଅବଲମ୍ବନ କରିଥାନ୍ତି । ପଥପ୍ରାନ୍ତ ରେ ବୁଲିବା ସମୟରେ ସେମାନେ ବିଭିନ୍ନ ଭକ୍ତିଭାବପୂର୍ଣ୍ଣ ଗୀତ ଗାଇ ଧର୍ମ ଓ ନୀତି ଆଦର୍ଶର ବାର୍ତ୍ତା ଦିଅନ୍ତି ।
ଦିନ ଥିଲା, ଜାନୁଘଣ୍ଟ ଏକ ଚାରଣ ସମ୍ପ୍ରଦାୟ ଥିଲେ । ସମ୍ପ୍ରତି କେତେକ ସ୍ଥାନରେ ସେମାନେ ସ୍ଥାୟୀ ଭାବେ ବସବାସ କରିଲେଣି । ବିଭିନ୍ନ ବ୍ୟାଧିରୁ ମୁକ୍ତିଲାଭ ପାଇଁ ସେମାନେ ଚେରମୂଳି ଦେବା ଏବଂ ବିଶେଷ ଭାବରେ ନିଃସନ୍ତାନ ନାରୀ ମାନଙ୍କୁ ଏକ ପ୍ରକାର ଚରୁଅନ୍ନ ପ୍ରଦାନକରି ସନ୍ତାନ ସମ୍ଭବା କରାଇବା ସେମାନଙ୍କର ଅନ୍ୟତମ ବୃତ୍ତି । ସେମାନଙ୍କର ଗୁରୁଶିଷ୍ୟ ପରମ୍ପରା ମଧ୍ୟ ରହିଛି । ଏମାନେ ନିଜକୁ ପର୍ଷୁରାମ ସମ୍ପ୍ରଦାୟ ବୋଲି କହିଥାନ୍ତି।
(ସଂଗୃହିତ )
Comments are closed.