ମହାତ୍ମା ଗାନ୍ଧୀଙ୍କ ଉପରେ ଆପତ୍ତି ଜନକ ମନ୍ତବ୍ୟ ଦେଇଥିବା କାଲିଚରଣ ଗିରଫ

ଭୋପାଳ: ମହାତ୍ମା ଗାନ୍ଧୀଙ୍କ ବିଷୟରେ ଆପତ୍ତି ଜନକ ମନ୍ତବ୍ୟ ଦେଇଥିବା କାଲିଚରଣ ମହାରାଜଙ୍କୁ ପୋଲିସ ଗିରଫ କରିଛି। ମଧ୍ୟପ୍ରଦେଶର ଖଜୁରାହୋରୁ ରାୟପୁର ପୋଲିସ କାଲିଚରନଙ୍କୁ ଗିରଫ କରିଛି। ଛତିଶଗଡରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ଉତ୍ତେଜନା ମୂଳକ ଭାଷଣ ପାଇଁ ଚର୍ଚ୍ଚାରେ ଥିବା କାଳିଚରଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମହାରାଷ୍ଟ୍ର ପୋଲିସ ଦୀର୍ଘ ସମୟ ଧରି କାଲିଚରଣକୁ ଖୋଜୁଥିଲା। ପୋଲିସର ସୂଚନାନୁସାରେ, ମାମଲା ପଞ୍ଜୀକୃତ ହେବା ପରଠାରୁ କାଲିଚରଣ ଗେଷ୍ଟ ହାଉସରେ ଲୁଚି ରହିଥିଲେ।

ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ଜିତେନ୍ଦ୍ର ଅହୱାଡ ଥାନେ ପୋଲିସ ନିକଟରେ କାଲିଚୟଣ ମହାରାଜଙ୍କ ବିରୋଧରେ ଅଭିଯୋଗ କରିଥିଲେ। ନିଜକୁ କାଳୀ ପୁତ୍ର ବୋଲି ବର୍ଣ୍ଣନା କରିଥିବା କାଲିଚରଣ, ରାୟପୁରରେ ଅନୁଷ୍ଠିତ ଧର୍ମ ସଂସଦରେ ମହାତ୍ମା ଗାନ୍ଧୀଙ୍କ ଉପରେ ଅପମାନ ଜନକ ମନ୍ତବ୍ୟ ଦେଇଥିଲେ | ଏହା ପରେ ଡିସେମ୍ବର ୨୭ ବିଳମ୍ବିତ ରାତିରେ, କାଲିଚରଣ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ୭ ମିନିଟ୍ ୪୧ ସେକେଣ୍ଡର ଏକ ଭିଡିଓ ରିଲିଜ୍ କରିଥିଲେ | ଭିଡିଓରେ କାଲିଚରଣ କହିଥିଲେ ଯେ ଗାନ୍ଧୀଙ୍କ ପ୍ରତି ଅପମାନ ସୂଚକ ଭାଷଣ ପାଇଁ ତାଙ୍କର କୌଣସି ଦୁଃଖ ନାହିଁ। ବରଂ ସେ ପୁଣି ମହାତ୍ମା ଗାନ୍ଧୀଙ୍କ ଉପରେ ନକାରାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ସର୍ଦ୍ଦାର ପଟେଲଙ୍କ ବଦଳରେ ନେହେରୁଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ। ମହାତ୍ମା ଗାନ୍ଧୀ ରାଷ୍ଟ୍ରର ପିତା ନୁହଁନ୍ତି ବଂଶବାଦର ପିତା ବୋଲି କାଳିଚରଣ କହିଥିଲେ ।

Comments are closed.