କୋଭିଡ୍ ଗାଇଡଲାଇନ୍ ନେଇ ସମୀକ୍ଷା: ଅବାଧ ଓ ନିରପେକ୍ଷ ନିର୍ବାଚନ ଉପରେ ପର୍ଯ୍ୟବେକ୍ଷକଙ୍କ ଗୁରୁତ୍ବ , ରାଜନୈତିକ ଦଳର ସହଯୋଗ ଲୋଡିଲା ପ୍ରଶାସନ

ବରଗଡ଼ : ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ହିଂସାମୁକ୍ତ କରିବାକୁ ବରଗଡ ଜିଲ୍ଲା ପ୍ରଶାସନ ଏବଂ ନିର୍ବାଚନ କମିଶନ ଅଣ୍ଟା ଭିଡିଛନ୍ତି। ଏନେଇ ବରଗଡ ଜିଲ୍ଲା ଦାୟିତ୍ବରେ ଥିବା ପର୍ଯ୍ୟବେକ୍ଷକ ସୁରଥ ଚନ୍ଦ୍ର ସାହୁ ଆଜି ସମସ୍ତ ରାଜନୈତିକ ଦଳର ସହଯୋଗ ଲୋଡିଛନ୍ତି। ନିର୍ବାଚନ ବାରମ୍ବାର ଆସିବ ଏବଂ ଯିବ। ହେଲେ ଥରେ କ୍ଷମତା ଆଳରେ ଜୀବନ ଚାଲିଗଲେ ଆଉ ଆସିବନି ବୋଲି ଶ୍ରୀ ସାହୁ ପ୍ରକାଶ କରି ଚଳିତ ପଞ୍ଚାୟତ ନିର୍ବାଚନକୁ ହିଂସାମୁକ୍ତ କରିବାକୁ ଆହ୍ବାନ ଦେଇଛନ୍ତି।

ବରଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ରାଜନୈତିକ ଦଳର ପ୍ରତିନିଧି ଏବଂ ପ୍ରାର୍ଥୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜି ଏଥିରେ ଅଧ୍ୟକ୍ଷତା କରି କୋଭିଡ୍ ଗାଇଡ ଲାଇନ ଭିତରେ ହେବାକୁ ଥିବା ନିର୍ବାଚନକୁ ସଫଳତାର ସହ ପରିଚାଳନା ପାଇଁ ସବୁ ରାଜନୈତିକ ଦଳ, ପ୍ରାର୍ଥୀ ଏବଂ କର୍ମୀଙ୍କ ସହଯୋଗ କାମନା କରିଛନ୍ତି। ଜିଲ୍ଲା ପଞ୍ଚାୟତ ଅଧିକାରୀ ବୀରେନ୍ଦ୍ର କୁମାର ହୋତା ଆଦର୍ଶ ଆଚରଣବିଧି ଏବଂ ତାରି ଉପରେ ଆଧାରିତ କୋଭିଡ଼ ଗାଇଡଲାଇନ ତଥା ପ୍ରଚାର କଟକଣା ଉପରେ ଆଲୋକପାତ କରିଥିଲେ। ପ୍ରାର୍ଥୀ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ବା କୌଣସି ପ୍ରକାର ହିଂସାତ୍ମକ ପଦକ୍ଷେପ ନେବେନାହିଁ କି ନିର୍ବାଚନ କମିଶନଙ୍କ ଗାଇଡଲାଇନକୁ ଉଲ୍ଲଘଂନ କରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ।

ସ୍କୁଲ, କଲେଜ ବା କୌଣସି ସରକାରୀ ଅଫିସରେ ମିଟିଂ କରିବେ ନାହିଁ କି ସାଧାରଣ ସ୍ଥାନରେ ମଧ୍ୟ ମିଟିଂ କରିବେ ନାହିଁ। ନିର୍ବାଚନରେ ନ୍ୟସ୍ତ କର୍ମଚାରୀଙ୍କୁ ସହଯୋଗ କରିବା ସହିତ ଆଦର୍ଶ ଆଚରଣ ବିଧି ଓ କୋଭିଡ଼ ଗାଇଡ଼ଲାଇନ ଅନୁସାରେ ଭୋଟ ପ୍ରଚାର କରିବେ । ସକାଳ 8ଟାରୁ ସନ୍ଧ୍ୟା 8ଟାଯାଏଁ ପ୍ରାର୍ଥୀ ମାତ୍ର 4 ଜଣ ସହଯୋଗୀଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ। ହେଲେ ଏଥିରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ। ତେବେ, କୌଣସି ପ୍ରକାର ରୋଡ଼ ସୋ, ରାଲି ବା ବୈଠକ କରାଯାଇପାରିବ ନାହିଁ। ସେହିପରି ପ୍ରାର୍ଥୀ ଡିଜିଟାଲ ଏବଂ ସୋସିଆଲ ମିଡିଆରେ ପ୍ରଚାର କରିପାରିବେ। ହେଲେ କୋଭିଡ୍ ସଂକ୍ରମିତ ପ୍ରାର୍ଥୀ ତଥା ସମର୍ଥକ ଡିଜିଟାଲ ମାଧ୍ୟମରେ ବି ପ୍ରଚାର କରିପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା। ସେପଟେ, କୌଣସି ଧାର୍ମିକ ବା ଶିକ୍ଷାନୁଷ୍ଠାନରେ ବ୍ୟାନର୍ ପୋଷ୍ଟର ଲଗାଇବା ମନା।
ପ୍ରାର୍ଥୀଙ୍କ ଖର୍ଚ୍ଚ ବିବରଣୀ ଦାଖଲ ବାଧ୍ୟତାମୂଳକ ଥିବା ବେଳେ ଆସନ୍ତା 27 ତାରିଖରେ ବରଗଡ଼ ଖର୍ଚ୍ଚ ପର୍ଯ୍ୟବେକ୍ଷକ ମାୟାଧର ସାହୁଙ୍କ ପରାମର୍ଶାନୁସାରେ ପଦକ୍ଷେପ ଗ୍ରହଣ କରିବେ ବୋଲି ଡ଼ିପିଓ ପ୍ରକାଶ କରିଥିଲେ । ମଞ୍ଚାସୀନ ବରଗଡ଼ ଏସପି ରାହୁଲ ଜୈନ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରି ନୀତିନିୟମ ପାଳନ କରି ପ୍ରଶାସନକୁ ସହଯୋଗ କରିବା ପାଇଁ ରାଜନୈତିକ ଦଳର ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ । ଆଜିର ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଭାବେ ଉପସ୍ଥିତ ଥିବା କଂଗ୍ରେସର ପାଣ୍ଡବ କର୍ଣ୍ଣ, ବିଜେଡ଼ିର ପ୍ରଫୁଲ୍ଲ କୁମାର ନାଏକ, ବିଜେପିର ରବିନାରାୟଣ ଦାଶ, ବିଏସପିର ଜୟରାମ ବାଗ, ଆମ ଆଦମୀ ପାର୍ଟିର ଅମିତାଭ ପାତ୍ର ଓ ଭବାନୀ ପ୍ରସାଦ ସାହୁଙ୍କ ସମେତ ପ୍ରାର୍ଥୀ ମାରୀୟମ ବାର୍ଲ। ଏବଂ ଅନ୍ୟାନ୍ୟ ପାର୍ଥୀମାନେ ଉପସ୍ଥିତ ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

Comments are closed.