ସାଧାରଣତନ୍ତ୍ର ଦିବସ, ଆଜି ଦିନରେ ଭାରତ ତାର ନିଜସ୍ୱ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ କରିଥିଲା

୧୯୫୦ ଜାନୁଆରୀ ୨୬ ତାରିଖରେ ଆଜିର ଦିନରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ସେହିଦିନ ଠାରୁ ଏହି ଦିବସଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ ।

ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ରାଜଧାନୀ ଦିଲ୍ଲୀଠାରେ ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା କ୍ୟାଡେଟ ମାନଙ୍କଠାରୁ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରନ୍ତି ।

ଭାରତୀୟ ସେନା (ନୋସେନା, ସ୍ଥଳସେନା, ବାୟୁସେନା) ଓ ଅଶ୍ୱାରୋହୀ, ପଦାତିକ ଆଦି ବାହିନୀ ସେମାନଙ୍କର ଶୋଭାଯାତ୍ରାରେ ବାହାରିଥାଆନ୍ତି । ଏଥି ସହିତ ଭାରତର ବିଭିନ୍ନ ସାଂସ୍କୃତିକ ଝଲକ ବିଭିନ୍ନ ରାଜ୍ୟରୁ ଆସିଥିବା ଦଳମାନେ ପ୍ରସ୍ତୁତ କରିଥାନ୍ତି ।

ଏହି ପର୍ବ ପ୍ରତ୍ୟେକ ରାଜ୍ୟରେ ମଧ୍ୟ ଆୟୋଜିତ ହୋଇଥାଏ ଓ ସେଠାକାର ରାଜ୍ୟପାଳ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥାନ୍ତି ।

୧୯୫୦ ମସିହାରେ ଭାରତର ପ୍ରଥମ ସଭାପତି ରାଜେନ୍ଦ୍ର ପ୍ରସାଦ ଘୋଡ଼ାଗାଡ଼ିରେ ନୂଆଦିଲ୍ଲୀ ରାଜପଥରେ ପ୍ରଥମ ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରି ଦେଶକୁ ସମ୍ବୋଧିତ କରିଥିଲେ।

ଇଂରେଜ ଶାସନରୁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଅସ‌ହ‌ଯୋଗ ଓ ଅହିଂସାପୂର୍ଣ୍ଣ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଫଳରେ ଭାରତ ୧୫ ଅଗଷ୍ଟ ୧୯୪୭ରେ ସ୍ୱାଧୀନ ହେଲା । ଇଂଲଣ୍ଡର ପାର୍ଲିଆମେଣ୍ଟରେ ଭାରତୀୟ ସ୍ୱାଧୀନତା ଆକ୍ଟ ୧୯୪୭ (୧୦ ଓ ୧୧ ଜିଇଓ ୬ ସି ୩୦) ବଳରେ ବ୍ରିଟିସ ଭାରତ ଦ୍ୱିଖଣ୍ଡିତ ହୋଇ ଦୁଇଟି ନୂଆ ଦେଶ ଭାରତ ଓ ପାକିସ୍ଥାନରେ ବିଭକ୍ତ ହୋଇ କମନ‌ୱେଲ୍ଥ ନେସନରେ ସଂଯୁକ୍ତ ହେଲା ।

୧୫ ଅଗସ୍ଟ ୧୯୪୭ ଦିନଠାରୁ ଜର୍ଜ ୬ ଭାରତର ମୂଖ୍ୟ ହେଲେ, ମାଉଣ୍ଟ ବ୍ୟଟେନ ପ୍ରଥମ ଗଭର୍ନର ଜେନେରାଲ ହେଲେ ଯାହାକୁ କନସ୍ଟିଚ୍ୟୁସନାଲ ମୋନାର୍କି କୁହା‌ଯାଉଥିଲା । ସେତେବେଳେ ପରିବର୍ତ୍ତିତ କଲୋନିଆଲ ଗଭର୍ନମେଣ୍ଟ ଇଣ୍ଡିଆ ଆକ୍ଟ, ୧୯୩୫ଦ୍ୱାରା ଭାରତର ଶାସନ ପରିଚାଳିତ ହେଉଥିଲା । ତାପରେ ଭାରତର ସଂବିଧାନ ତିଆରି କରିବା ନିମନ୍ତେ ୨୮ ଅଗଷ୍ଟ ୧୯୪୭ରେ ଗୋଟିଏ ଚିଠା କମିଟି ତିଆରି କରାଗଲା ଯାହାର ଚେୟାରମ୍ୟାନ ବା ମୂଖ୍ୟ ବି ଆର ଆମ୍ବେଦକର ଥିଲେ । ଏହି କମିଟି ୪ ନଭେମ୍ବର ୧୯୪୭ ଦିନ ସମ୍ବିଧାନ ଚିଠା ଆସେମ୍ବ୍ଲିକୁ ହସ୍ତାନ୍ତର କଲେ ।

ଦୀର୍ଘ ୧୬୬ ଦିନ ଧରି ଏହା ନାଗରିକଙ୍କ ନିମନ୍ତେ ଖୋଲା ଥିଲା ଓ ଆସେମ୍ବ୍ଲି ଥରକୁ ଥର ବସି ଏହା ଉପରେ ଆଲୋଚନା କଲେ । ଶେଷରେ ୨୪ ଜାନୁଆରି ୧୯୫୦ ତାରିଖ ଦିନ ଏହି ଚିଠା ପ୍ରସ୍ତାବର ଇଂରାଜୀ ଓ ହିନ୍ଦିରେ ଲିଖିତ ଦୁଇ କପି ଉପରେ ୩୦୮ ସଦସ୍ୟ ଦସ୍ତଖତ କଲେ । ଏହି ସମ୍ବିଧାନ ଜା‌ନୁଆରୀ ୨୬, ୧୯୫୦ ତାରିଖ ଦିନ ବଳବତ୍ତର ହେଲା ଯାହାକୁ ଆମେ ସାଧାରଣତନ୍ତ୍ର ଦିବସ ଭାବରେ ଆଜି ପାଳନ କରୁଛୁ ।

ଭାରତ ଉକ୍ତଦିନ ସାର୍ବଭୌମ ଗଣତନ୍ତ୍ର ରାଷ୍ଟ୍ର ରେ ଘୋଷିତ ହୋଇଥିଲା। ଭାରତ ର ସ୍ୱାଧୀନତା ପାଇଁ ନିଜର ଜୀବନକୁ ବଳି ଦେଇଥିବା ଜାତିର ପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ବୋଷ, ପ୍ରାନ୍ତୀୟ ଜନନେତା ଉତ୍କଳମଣି ଗୋପବନ୍ଧୁ, ଉତ୍କଳ ଗୌରବ ମଧୁସୂଦନ, ବୀର ସୁରେନ୍ଦ୍ର ସାଏଙ୍କ ଚରଣରେ କୃତଜ୍ଞ ରାଷ୍ଟ୍ର ଆଜି ଶ୍ରଦ୍ଧା ସୁମନ ଅର୍ପଣ କରୁଛି।ବନ୍ଦେ ଭାରତ ବର୍ଷମ।

Comments are closed.