ଷଟତିଳା (ମାଘ କୃଷ୍ଣପକ୍ଷ) ଏକାଦଶୀ ମାହାତ୍ମ୍ୟ

ଯୁଧିଷ୍ଠିର ପଚାରିଲେ : ହେ ଭଗବନ୍ ! ମାଘ ମାସର କୃଷ୍ଣପକ୍ଷରେ କେଉଁ ଏକାଦଶୀ ହୁଏ ? ଏହା ପାଳନ କରିବାର ବିଧି କ’ଣ ତଥା ଏହା ଦ୍ଵାରା କେଉଁ ଫଳ ଲାଭ ହୁଏ ? କୃପାକରି ଏସବୁ କଥା ମୋତେ କହନ୍ତୁ ।

ଶ୍ରୀଭଗବାନ କହିଲେ : ନୃପଶ୍ରେଷ୍ଠ ! ମାଘ ମାସ କୃଷ୍ଣପକ୍ଷର ଏକାଦଶୀ ‘ଷଟତିଳା’ ନାମରେ ବିଖ୍ୟାତ, ଯାହା ସର୍ବପାପନାଶକ । ମୁନିଶ୍ରେଷ୍ଠ ପୁଲସ୍ତ୍ୟ ଏହାର ଯେଉଁ ପାପହାରିଣୀ କଥା ଋଷି ଦାଲଭ୍ୟଙ୍କୁ କହିଥିଲେ, ତାହା ଶୁଣ ।

ଦାଲଭ୍ୟ ଋଷି ପଚାରିଲେ : ହେ ବ୍ରହ୍ମନ୍ ! ମୃତ୍ୟୁ ଲୋକକୁ ଆସିଥିବା ପ୍ରାଣୀ ପ୍ରାୟ ପାପ କର୍ମରେ ଲିପ୍ତ ରହନ୍ତି । ସେମାନଙ୍କୁ ନର୍କକୁ ଯେପରି ଯିବାକୁ ନ ପଡ଼େ ସେଥିପାଇଁ କ’ଣ ଉପାୟ ଅଛି ? କୃପାକରି ତାହା କହନ୍ତୁ ।

ମହର୍ଷି ପୁଲସ୍ତ୍ରୀ କହିଲେ : ମହାଭାଗ ! ମାଘ ମାସ ଆସିଲେ ମନୁଷ୍ୟ ସକାଳୁ ସ୍ନାନ କରି ପବିତ୍ର ଭାବରେ ଇନ୍ଦ୍ରିୟ ସଂଯମ ରଖି କାମ, କ୍ରୋଧ, ଅହଂକାର, ଲୋଭ ଓ ଚୁଗୁଲି ଆଦି ଖରାପ ଅଭ୍ୟାସକୁ ତ୍ୟାଗ କରିଦେବା ଉଚିତ । ଦେବାଧିଦେବ ଭଗବାନଙ୍କୁ ସ୍ମରଣ କରି ଜଳରେ ପାଦ ଧୋଇ ଭୂମି ଉପରେ ପଡ଼ିଥିବା ଗୋବର ସଂଗ୍ରହ କରିବେ । ସେଥିରେ ରାଶି ଓ କପା ମିଶାଇ ୧୦୮ ଗୁଳା ତିଆରି କରିବେ । ତା’ପରେ ମାଘ ମାସରେ ଯେତେବେଳେ ଆର୍ଦ୍ରା ବା ମୂଳା ନକ୍ଷତ୍ର ଆସିବ, ସେତେବେଳେ କୃଷ୍ଣପକ୍ଷର ଏକାଦଶୀ ବ୍ରତ କରିବାର ନିୟମ ଗ୍ରହଣ କରିବେ । ଭଲଭାବେ ସ୍ନାନ କରି ପବିତ୍ର ହୋଇ ଶୁଦ୍ଧ ଭାବରେ ଦେବାଧିଦେବ ଶ୍ରୀବିଷ୍ଣୁଙ୍କ ପୂଜା କରିବେ । କୌଣସି ଭୁଲ ହୋଇଗଲେ ଶ୍ରୀକୃଷ୍ଣଙ୍କ ନାମ ଉଚ୍ଚାରଣ କରିବେ । ରାତିରେ ଜାଗରଣ ଏବଂ ହୋମ କରିବେ । ଚନ୍ଦନ, ଅଗୁରୁ, କର୍ପୂର, ନୈବେଦ୍ୟ ଆଦି ସାମଗ୍ରୀରେ ଶଙ୍ଖ, ଚକ୍ର ଏବଂ ଗଦାଧାରୀ ଦେବଦେବେଶ୍ଵର ଶ୍ରୀହରିଙ୍କ ପୂଜା କରିବେ । ତା’ପରେ ଭଗବାନଙ୍କୁ ସ୍ମରଣ କରି ବାରମ୍ବାର ଶ୍ରୀକୃଷ୍ଣଙ୍କ ନାମ ଉଚ୍ଚାରଣପୂର୍ବକ ପାଣିକଖାରୁ, ନଡ଼ିଆ ଅଥବା କାଗେଜିଲେମ୍ବୁ ଫଳରେ ଭଗବାନଙ୍କୁ ବିଧିପୂର୍ବକ ପୂଜା କରି ଅର୍ଘ୍ୟ ଦେବେ । ଅନ୍ୟ ସବୁ ସାମଗ୍ରୀର ଅଭାବରେ ୧୦୦ ସୁପାରୀ ( ଗୁଆ) ଦ୍ଵାରା ମଧ୍ୟ ପୂଜା ଏବଂ ଅର୍ଘ୍ୟଦାନ କରାଯାଇପାରେ ।

ଅର୍ଘ୍ୟଦେବାର ମନ୍ତ୍ର ଏହି ପ୍ରକାର :
କୃଷ୍ଣ କୃଷ୍ଣ କୃପାଳୁସ୍ତ୍ବମଗତୀନା ଗତିର୍ଭବ ।
ସଂସାରାର୍ଣ୍ଣବମଗ୍ନାନା ପ୍ରସୀଦ ପୁରୁଷୋତ୍ତମ ॥
ନମସ୍ତେ ପୁଣ୍ଡରୀକାକ୍ଷ ନମସ୍ତେ ବିଶ୍ଵଭାବନ ।
ସୁବ୍ରହ୍ମଣ୍ୟ ନମସ୍ତେଽସ୍ତୁ ମହାପୁରୁଷ ପୂର୍ବଜ ॥
ଗୃହାଣାର୍ଘ୍ୟ ମୟା ଦତ୍ତ ଲକ୍ଷ୍ମ୍ୟା ସହ ଜଗତପତେ ।
ଅର୍ଥ: ‘ହେ ସଚ୍ଚିଦାନନ୍ଦ ସ୍ଵରୂପ ଶ୍ରୀକୃଷ୍ଣ ! ଆପଣ ବଡ଼ ଦୟାଳୁ । ଆମ୍ଭ ପରି ଆଶ୍ରୟହୀନ ଜୀବମାନଙ୍କର ଆପଣ ଆଶ୍ରୟଦାତା ହୁଅନ୍ତୁ । ଆମ୍ଭେ ସଂସାରସମୁଦ୍ରରେ ବୁଡ଼ୁଅଛୁ, ଆପଣ ଆମ୍ଭ ଉପରେ ପ୍ରସନ୍ନ ହୁଅନ୍ତୁ । ହେ କମଳନୟନ ! ହେ ବିଶ୍ଵଭାବନ ! ହେ ସୁବ୍ରହ୍ମଣ୍ୟ ! ହେ ମହାପୁରୁଷ ! ହେ ସମସ୍ତଙ୍କର ପୂର୍ବଜ ! ଆପଣଙ୍କୁ ନମସ୍କାର । ହେ ଜଗତପତେ ! ମୋ ଦ୍ଵାରା ଅର୍ପିତ ଅର୍ଘ୍ୟ ଆପଣ ମାତା ଲକ୍ଷ୍ମୀଙ୍କ ସହିତ ସ୍ୱୀକାର କରନ୍ତୁ । (ପଦ୍ମପୁରାଣ.ଉ.ଖଣ୍ଡ :୪୪.୧୮-୨୦)

ତା’ପରେ ବ୍ରାହ୍ମଣଙ୍କ ପୂଜା କରିବେ । ତାଙ୍କୁ ପାଣି ମାଠିଆ, ଛତା, ଜୋତା ଓ ବସ୍ତ୍ର ଦାନ କରିବେ । ଦାନ କରିବା ସମୟରେ ଏପରି କହିବେ : “ଏହି ଦାନ ଦ୍ଵାରା ଭଗବାନ ଶ୍ରୀକୃଷ୍ଣ ମୋ ଉପରେ ପ୍ରସନ୍ନ ହୁଅନ୍ତୁ ।” ନିଜର ଶକ୍ତି ଅନୁସାରେ ଶ୍ରେଷ୍ଠ ବ୍ରାହ୍ମଣଙ୍କୁ କଳାଗାଈ ଦାନ କରିବେ । ଦ୍ଵିଜଶ୍ରେଷ୍ଠ ! ବିଦ୍ୱାନ ପୁରୁଷ ରାଶିପୂର୍ଣ୍ଣ ପାତ୍ର ମଧ୍ୟ ଦାନ କରିବା ଉଚିତ । ସେହି ରାଶିକୁ ବୁଣିଲେ ସେଥିରୁ ଯେତେ ଶାଖା ବାହାରେ, ସେତିକି ହଜାର ବର୍ଷ ପର୍ଯ୍ୟନ୍ତ ସେ ସ୍ଵର୍ଗଲୋକରେ ପ୍ରତିଷ୍ଠିତ ହୁଏ । ରାଶି ରେ ସ୍ନାନ-ହୋମ କରିବେ, ଦେହରେ ରାଶିର ପ୍ରଲେପ ଲଗାଇବେ, ରାଶିମିଶ୍ରିତ ଜଳ ପାନ କରିବେ, ରାଶି ଦାନ କରିବେ ଏବଂ ରାଶିକୁ ଭୋଜନରେ ଉପଯୋଗ କରିବେ ।

ହେ ନୃପଶ୍ରେଷ୍ଠ ! ଏହିପରି ଛଅଟି କାମରେ ରାଶିର ଉପଯୋଗ ହେଉଥିବାରୁ । ଏହି ସର୍ବ ପାପନାଶିନୀ ଏକାଦଶୀକୁ ‘ଷଟତିଳା ଏକାଦଶୀ’ କୁହାଯାଏ ।

Comments are closed.