ବାବନପୁର ହିଂସା: ୧୦ ମୋଷ୍ଟ ୱାଣ୍ଟେଡ୍‌, ଧରାଇଦେଲେ ୧୦ ହଜାର ଟଙ୍କା ପୁରସ୍କାର

ପାତ୍ରପୁର: ପ୍ରାକ୍ – ନିର୍ବାଚନୀ ହିଂସାକୁ ନେଇ ଚର୍ଚ୍ଚାରେ ଥିବା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ବାବନପୁର ଗାଁର ଗଣ୍ଡଗୋଳ ଘଟଣାରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ପୋଲିସ ଜାରି କରିଛି ୧୦ ଜଣ ଗଣ୍ଡଗୋଳକାରୀଙ୍କ ନାମ ଓ ପରିଚୟ। ସେମାନଙ୍କୁ ଏହି ହିଂସା ଘଟଣାରେ ମୋଷ୍ଟ ୱାଣ୍ଟେଡ୍ ଘୋଷଣା କରାଯାଇଛି। ଏମାନଙ୍କ ବାବଦରେ କେହି ସୂଚନା ପ୍ରଦାନ କରି ଅଭିଯୁକ୍ତମାନଙ୍କୁ ଗିରଫ କରାଇବାରେ ପୋଲିସକୁ ସହାୟତା କଲେ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ହିଂସା, ରକ୍ତପାତ ଘଟାଇବାକୁ ଷଡ଼ଯନ୍ତ୍ର କରୁଥିବା ସମସ୍ତ ଅସାମାଜିକ ତତ୍ତ୍ୱଙ୍କ ନିମନ୍ତେ ଏହା ପୋଲିସର ଏକ ବଡ଼ ଚେତାବନୀ ହୋଇଛି।

ଜାନୁଆରୀ ୨୦ ତାରିଖରେ ବାବନପୁର ଗ୍ରାମର କିଛି ବ୍ୟକ୍ତି ଖମ୍ବାରିଗାଁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ ଲାଗି ଯାଇଥିଲେ। ସେଠାରୁ ନିଜ ଗାଁକୁ ଫେରିବା ବାଟରେ ପୂର୍ବରୁ ଛକି ରହିଥିବା ପ୍ରତିପକ୍ଷ ରାଜନୈତିକ ଗୋଷ୍ଠୀର ଷଡ଼ଯନ୍ତ୍ରକାରୀମାନେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ପି.ନାକେୟା ଗୁରୁତର ହୋଇଥିବା ବେଳେ ଅନ୍ୟ ୩ ଜଣଙ୍କ ଶରୀରର ବିଭିନ୍ନ ସ୍ଥାନରେ ମଧ୍ୟ ଗଭୀର କ୍ଷତ ଲାଗିଥିଲା। ଗଞ୍ଜାମ ଜିଲ୍ଲାରେ ଏଭଳି ରାଜନୈତିକ ହିଂସା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ତେବେ ଜରଡ଼ା ଥାନା ପୋଲିସ ତ୍ଵରିତ ପଦକ୍ଷେପ ନେଇ ଆକ୍ରମଣରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଥିଲା। ତଥାପି ଆହୁରି ଅନେକ ଅଭିଯୁକ୍ତ ପୋଲିସ ଠାରୁ ଛପି ରହିଛନ୍ତି। ପଞ୍ଚାୟତ ନିର୍ବାଚନକୁ ହିଂସା ଓ ରକ୍ତପାତଶୂନ୍ୟ କରିବାକୁ ତତ୍ପର ପୋଲିସ ବାହିନୀ ଏବେ ଏହି ଲୁଚି ରହିଥିବା ଦୁର୍ବୃତ୍ତଙ୍କୁ ଧରିବାକୁ ଆପଣାଇଛି ଏଭଳି କୌଶଳ। ଅଭିଯୁକ୍ତମାନଙ୍କୁ ଧରାଇଦେଲେ ସୂଚନାଦାତାଙ୍କ ନାମ ଗୋପନ ରଖାଯିବା ସହ ୧୦ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ସୂଚନା ଦେଇଛନ୍ତି ଜରଡ଼ା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ।

Comments are closed.