କନ୍ଧମାଳରେ ବିଜେଡି ନିର୍ବାଚନୀ ପ୍ରଚାର ଆରମ୍ଭ: ୨୦୧୭ର ସଫଳତା ଦୋହରାଇବାକୁ ଆହ୍ବାନ, ଗାଁ ଗାଁରେ ପ୍ରଗତିର ବାର୍ତ୍ତା ପହଞ୍ଚାଇ ସମର୍ଥନ ଜିଣ

ଫୁଲବାଣୀ: ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ କନ୍ଧମାଳ ଜିଲ୍ଲାରେ ବିଜେଡି ଅଭୂତପୂର୍ବ ସଫଳତା ହାସଲ କରିଥିଲା। ନବୀନ ପଟ୍ଟନାୟକଙ୍କ ଦ୍ବାରା ଜିଲ୍ଲାରେ ହୋଇଥିବା ବିକାଶ କାମ ବାବଦରେ ଲୋକଙ୍କୁ ଜଣାଇ ଏହି ପଞ୍ଚାୟତ ନିର୍ବାଚନରେ ମଧ୍ଯ ପୂର୍ବ ସଫଳତା ଦୋହରାଇବାକୁ ପଡିବ। କନ୍ଧମାଳରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ପ୍ରଚାରର ଶୁଭାରମ୍ଭ ଅବସରରେ ତୁଙ୍ଗ ନେତାମାନେ ଏହି ଆହ୍ବାନ ଦେଇଛନ୍ତି।

କନ୍ଧମାଳ ଜିଲ୍ଲାରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସଦର ମହକୁମା ଫୁଲବାଣୀରୁ ଆରମ୍ଭ ହୋଇଛି ବିଜେଡିର ଜୋରଦାର ଶଙ୍ଖନାଦ। ବିକାଶର ବାର୍ତ୍ତା ଦେଉଥିବା ଏ ଶଙ୍ଖନାଦ ଜିଲ୍ଲାର ଗାଁ ଗାଁରେ ଘରେ ଘରେ ଲୋକଙ୍କ ନିକଟରେ ପହଞ୍ଚିବ। ଆଉ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ତଥା ବିଜେଡି ସରକାର ଅମଳରେ କିଭଳି ଗ୍ରାମାଞ୍ଚଳର ବିକାଶ ହୋଇଛି ତାହା ଜାଣିପାରିବେ। ସେତେବେଳେ ସେମାନଙ୍କ ସମର୍ଥନ ଜିଣିବା ସହଜକର ହେବ। ପଞ୍ଚାୟତ ନିର୍ବାଚନ ପାଇଁ କନ୍ଧମାଳ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀରେ ବିଜେଡି ନେତୃବୃନ୍ଦ ପାର୍ଟିର ତୃଣମୂଳସ୍ତରର ନେତା ଓ କର୍ମକର୍ତ୍ତାଙ୍କୁ ଏହି ବାର୍ତ୍ତା ଦେଇଛନ୍ତି। ପ୍ରାର୍ଥୀ, ନେତା ଓ କର୍ମୀଙ୍କୁ ବିଜୟର ମନ୍ତ୍ର ଶୁଣାଇଛନ୍ତି ଦଳୀୟ ନେତୃବୃନ୍ଦ।

କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ ହୋଇଥିବା ସମସ୍ତ ବିକାଶମୂଳକ କାର୍ଯ୍ୟ ବାବଦରେ ଲୋକଙ୍କୁ ଜଣାଇ ପଞ୍ଚାୟତ ନିର୍ବାଚନରେ ସେମାନଙ୍କ ସମର୍ଥନ ବିପୁଳ ମାତ୍ରାରେ ହାସଲ କରିବାକୁ ଦଳୀୟ ପ୍ରାର୍ଥୀ, ନେତା ଓ କର୍ମକର୍ତ୍ତାଙ୍କୁ ଉଦ୍‌ବୋଧନ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧ୍ଵ ଭାବେ ଆମେ ସମସ୍ତେ ଏକାଠି ହୋଇ ଲଢ଼ିବା ଓ ଜିତିବା ଆବଶ୍ୟକ ବୋଲି କହିଥିଲେ ସେ। ଦଳ ତରଫରୁ ଜିଲ୍ଲା ପାଇଁ ନିଯୁକ୍ତ ସହ-ପର୍ଯ୍ୟବେକ୍ଷକ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ବିରୋଧୀଙ୍କ ମିଥ୍ୟା ପ୍ରଚାରର ଶକ୍ତ ଜବାବ ଦେବାକୁ, ମୁଖ୍ୟମନ୍ତ୍ରୀଙ୍କ ବିକାଶର ବାର୍ତ୍ତାକୁ ପ୍ରତିଟି କନ୍ଧମାଳବାସୀଙ୍କ ନିକଟରେ ପହଞ୍ଚାଇବାକୁ ଆହ୍ବାନ ଦେଇଥିଲେ। ନିଜ ନିଜ ଅଞ୍ଚଳରେ ବିଜେଡି ପ୍ରାର୍ଥୀମାନଙ୍କ ବିଜୟକୁ ସୁନିଶ୍ଚିତ କରାଇବା ପାଇଁ କର୍ମୀମାନଙ୍କୁ ଆହ୍ବାନ ଦିଆଯାଇ ଥିଲା। ମୁଖ୍ୟମନ୍ତ୍ରୀ କନ୍ଧମାଳ ଜିଲ୍ଲାର ବିକାଶ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି, ମେଡିକାଲ କଲେଜରୁ ଆରମ୍ଭ କରି ସ୍ମାର୍ଟ ସ୍କୁଲ ପର୍ଯ୍ୟନ୍ତ ଯାବତୀୟ ଉନ୍ନୟନମୂଳକ ଯୋଜନା ପାଇଁ ତାଙ୍କୁ ସାଧୁବାଦ ଜଣାଇବାକୁ ଏହି ନିର୍ବାଚନ ଏକ ସୁଯୋଗ ବୋଲି ମତପ୍ରକାଶ ପାଇଥିଲା। ୨୦୧୭ ନିର୍ବାଚନରେ ବିଜେଡି କନ୍ଧମାଳ ଜିଲ୍ଲା ପରିଷଦକୁ ଜିତିଥିବା ବେଳେ ଏଥର ସେହି ସଫଳତା ଦୋହରାଇବାକୁ ସଂକଳ୍ପ ନେଇଥିଲେ ଦଳୀୟ ନେତୃବୃନ୍ଦ।

ଆୟୋଜିତ ସଭାରେ କନ୍ଧମାଳ ଜିଲ୍ଲାର ସମସ୍ତ ୧୮ ଜୋନର ବିଜେଡି ପ୍ରାର୍ଥୀମାନେ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ଭରି ରହିଥିଲା ଯୋଶ୍ ଓ ନିର୍ବାଚନରେ ବିଜୟ ସମ୍ଭାବନାର ଆଗୁଆ ଆକଳନ ଭରା ଆଶା ବିଶ୍ୱାସ। ଜିଲ୍ଲା ସଭାପତି ସରୋଜ କଣ୍ଠ ସଂଯୋଜନା କରିଥିବା ବେଳେ ଜିଲ୍ଲାର ତିନି ବିଧାୟକ ଅଙ୍ଗଦ କହଁର, ଚକ୍ରମଣି କହଁର ଓ ସାଲୁଗା ପ୍ରଧାନ, ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଓ ରାଜୀବ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମ୍ମିଳନୀରେ ବିଭିନ୍ନ ବ୍ଲକ୍ ସଭାପତି, ଯୁବ- ଛାତ୍ର- ମହିଳା ବିଜେଡି କର୍ମକର୍ତ୍ତା, ଜିଲ୍ଲା ଓ ବ୍ଲକ୍‌ସ୍ତରୀୟ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

Comments are closed.