କାଲିଠାରୁ ପୁଣି ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର

ପୁରୀ- ଫେବ୍ରୁଆରୀ ପହିଲାରୁ ପୁଣି ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ୨୦ ଦିନ ପରେ ପୁଣି ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । କୋରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଶ୍ରୀମନ୍ଦିରକୁ ଜାନୁଆରୀ ୧୦ ତାରିଖରୁ ୩୧ ତାରିଖ ଯାଏଁ ସର୍ବସାଧାରଣଙ୍କ ପାଇଁ ବନ୍ଦ ରଖାଯାଇଥିଲା । ଏବେ କୋଭିଡ ସଂକ୍ରମଣ କମିଥିବାରୁ ଫେବ୍ରୁଆରୀ ପହିଲାରୁ ପୁଣି ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିବାକୁ ଛତିଶ ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନର ବୈଠକରେ ନିଷ୍ପତ୍ତି ହୋଇଥିଲା । ଭକ୍ତମାନେ ସକାଳ ୬ରୁ ରାତି ୯ଟା ଯାଏଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ପୂର୍ବଭଳି ସେମାନେ ୯୬ ଘଂଟା ଭିତରର ଆରଟିପିସିଆର୍ ନେଗେଟିଭ ରିପୋର୍ଟ ବା କୋଭିଡ ଟିକାର ଦୁଇ ଡୋଜ୍ ନେଇଥିବା ପ୍ରମାଣପତ୍ର ଦେଖାଇ ଦର୍ଶନ କରିପାରିବେ । ପୁରୀ ସହରବାସୀ ପଶ୍ଚିମ ଦ୍ୱାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଅନ୍ୟ ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରିପାରିବେ ।
ଫେବ୍ରୁଆରୀ ୬, ୧୩, ୨୦ ଓ ୨୬ ତାରିଖରେ ପଡୁଥିବା ରବିବାର ଶ୍ରୀମନ୍ଦିର ବନ୍ଦ ରହିବ ।

Comments are closed.