ଆଜି ବଜେଟ୍ : କ’ଣ ରହିଛି ଓଡିଶାର ଆଶା ?

ନୂଆଦିଲ୍ଲୀ -କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ବର୍ଷ ପାଇଁ ସଂସଦରେ ଆଜି ବଜେଟ୍ ଉପସ୍ଥାପନ କରିବେ। ତେବେ, ଏଥର ବଜେଟରେ ଓଡିଶା କ’ଣ ଆଶା ରଖିଛି ? ପ୍ରାକ୍ ବଜେଟ୍ ଆଲୋଚନା ବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ରାଜ୍ୟର ଏକାଧିକ ପ୍ରସ୍ତାବକୁ ବଜେଟରେ ସାମିଲ କରିବାକୁ ଅନୁରୋଧ କରିଥିଲେ। ବଜେଟ୍ ପାଣ୍ଠି ଆବଂଟନରେ ରାଜ୍ୟକୁ ପ୍ରାଥମିକତା ଦେବାକୁ କହିଥିଲେ ନିରଞ୍ଜନ ପୂଜାରୀ। ଏହାଛଡା ଜିଏସଟି କ୍ଷତିପୂରଣ ପ୍ରଦାନ ଅବଧିକୁ ଆଉ ୫ ବର୍ଷ ବଢାଇବା ସହ ବକେୟା ରାଶିକୁ ଦେବା ପାଇଁ ନିର୍ମଳା ସୀତାରମଣଙ୍କୁ ଅନୁରୋଧ କରିଥିଲେ ରାଜ୍ୟ ଅର୍ଥମନ୍ତ୍ରୀ।

କୋଭିଡ ପ୍ରଭାବିତ ଅର୍ଥନୀତିକୁ ସଜାଡିବା ପାଇଁ ରାଜ୍ୟକୁ ତତ୍କାଳ ସହାୟତାର ଆବଶ୍ୟକତା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ପ୍ରାକ୍ ବଜେଟ୍ ଆଲୋଚନା ବେଳେ ଅବଗତ କରାଯାଇଥିଲା। ରାଜ୍ୟର ପ୍ରତି ପଂଚାୟତରେ ପ୍ରତ୍ୟକ୍ଷ ବ୍ୟାଙ୍କ ଶାଖା ଖୋଲିବା, ଅନଗ୍ରସର ଅଂଚଳରେ ଇଂଟରନେଟ୍ ଓ ଟେଲି ଯୋଗାଯୋଗ ପ୍ରକଳ୍ପ ଏବଂ ଜାତୀୟ ରାଜପଥର ନିର୍ମାଣ ପାଇଁ ପର୍ଯ୍ୟାପ୍ତ ପାଣ୍ଠିର ବ୍ୟବସ୍ଥା ପାଇଁ ଓଡିଶା ଅର୍ଥମନ୍ତ୍ରୀ ଦାବି ରଖିଥିଲେ।

ରାଜ୍ୟରେ ଚାଲୁ ରହିଥିବା ଓ ନୂଆ ଭାବେ ହାତକୁ ନିଆଯାଇଥିବା ରେଳ ପ୍ରକଳ୍ପର କାର୍ଯ୍ୟ ଶେଷ ପାଇଁ ମଧ୍ୟ ପର୍ଯ୍ୟାପ୍ତ ବଜେଟ୍ ବ୍ୟବସ୍ଥା କରିବାକୁ ଅର୍ଥମନ୍ତ୍ରୀ ପୂଜାରୀ ଦାବି ରଖିଥିଲେ।

Comments are closed.