ବରିଷ୍ଠ କଂଗ୍ରେସ ଓ ବିଜେପି ନେତା ବିଜେଡିରେ ସାମିଲ, ଆକର୍ଷିତ କଲା ନବୀନଙ୍କ ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ

ଭୁବନେଶ୍ୱର: ଜୟପୁର ବିଧାନସଭା ଏବଂ ବୋରିଗୁମ୍ମା ବ୍ଳକର ବରିଷ୍ଠ କଂଗ୍ରେସ ଓ ବିଜେପି ନେତା ଆଜି ବିଜେଡିରେ ସାମିଲ ହୋଇଛନ୍ତି । ସ୍ଥାନୀୟ ବିଜୁ ଯୁବ ଜନତାଦଳ କାର୍ଯ୍ୟାଳୟ ଠାରେ କୋରାପୁଟ , ମାଲକାନଗିରି ପର୍ଯ୍ୟବେକ୍ଷକ ଥିବା ଚନ୍ଦ୍ରସାରଥ ବେହେରାଙ୍କ ଉପସ୍ଥିତରେ ଏହି ନେତାମାନେ ବିଜେଡି ହାତ ଧରିଛନ୍ତି ।

ବିଜେଡିରେ ସାମିଲ ହୋଇଥିବା ଏହି ନେତାଙ୍କ ମଧ୍ୟରେ ରହିଛନ୍ତି ନାଗରାଜ ଦୋରା । ଶ୍ରୀ ଦୋରା ୨୦୦୯ରେ ଜୟପୁର ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବାବେଳେ ଏବେ ବିଜେପିର ସକ୍ରିୟ ସଦସ୍ୟ ଥିଲେ । ଏଥ୍ ସହିତ ଶ୍ରୀ ଦୋରା ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଏବଂ ପିସିସି ସଦସ୍ୟ ଭାବେ ଦାୟିତ୍ଵ ତୁଲାଇଥିଲେ । ସେହିଭଳି କୋରାପୁଟ ଜିଲ୍ଲା କଂଗ୍ରେସ କିଷାନ ସେଲ୍‌ର ପୂର୍ବତନ ସଭାପତି ଦାୟିତ୍ବରେ ଥିଲେ । ବିଜେଡିରେ ମିଶିଥିବା ଆଉ ଜଣେ ଟାଣୁଆ ନେତା ହେଲେ ନିରଞ୍ଜନ ପ୍ରଧାନ । ଶ୍ରୀ ପ୍ରଧାନ ଜନତା ଦଳର ପୂର୍ବତନ ଜିଲ୍ଲା ଯୁବ ସଭାପତି ଥିବାବେଳେ ପୂର୍ବତନ ବ୍ଲକ କଂଗ୍ରେସ କମିଟିର ଉପସଭାପତି ଭାବେ ଦାୟିତ୍ବରେ ଥିଲେ । ସେ ମଧ୍ୟ ଆତ୍ମାର ପୂର୍ବତନ ସଭାପତି । ବିଜେଡି ହାତ ଧରିଥିବା ଆଉ ଜଣେ ବରିଷ୍ଠ ନେତା ହେଲେ ବୋରିଗୁମ୍ମା ବ୍ଲକର କୋଟପାଡ ବିଧାୟକଙ୍କ ପୂର୍ବତନ ପ୍ରତିନିଧି ସୁଭାଷ ଚନ୍ଦ୍ର ନାୟକ । ଏଥୁସହିତ ସେ ବୋରିଗୁମ୍ମା ବ୍ଲକ ଛାତ୍ର କଂଗ୍ରେସର ସଭାପତି ଓ ଜିଲ୍ଲା କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ ଥିଲେ । ସେ ମଧ୍ୟ ନବରଙ୍ଗପୁର ସାଂସଦଙ୍କ ବୋରିଗୁମ୍ମା ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ । କୋରାପୁଟ ଜିଲ୍ଲାର ଏହି ତିନି ବରିଷ୍ଠ ନେତା ଆଜି ବିଜେଡିରେ ଯୋଗ ଦେଇଥିବାବେଳେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ ଶାସନରେ ଆକର୍ଷିତ ହୋଇ ସେମାନେ ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିବା କହିଛନ୍ତି ।

Comments are closed.